ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଙ୍କୁର ସେଠୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ତାଙ୍କ ପତ୍ନୀ ମିନତୀ ସେଠୀ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦରପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀଭାବେ ଛିଡା ହୋଇଥିଲେ । ଗତ ୨୨ ତାରିଖରେ ମତଦାନ ସରିଛି । କିନ୍ତୁ ତାଙ୍କ ସ୍ୱାମୀ ଘରେ ନଥିବା ବେଳେ କେତେକ ବ୍ୟକ୍ତି ମାରଣାସ୍ତ୍ର ଧରି ଘରକୁ ଆସି ତାଙ୍କ ସ୍ୱାମୀଙ୍କୁ ଖୋଜିଥିଲେ । ଏଥିସହିତ ତାଙ୍କ ସ୍ୱାମୀ ଓ ପୁଅକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ ।

ଏ ସମ୍ପର୍କରେ ସରପଞ୍ଚ ପ୍ରାର୍ଥୀ ଶ୍ରୀ ସେଠୀ କହିଛନ୍ତି ଯେ ମୋ ବିରୋଧୀ ପ୍ରାର୍ଥୀ ହାରିଯିବା ଭୟରେ ଲୋକ ଲଗାଇ ଏପରି କାଣ୍ଡ ଭିଆଇଛନ୍ତି । ଅପରପକ୍ଷରେ ଅଙ୍କୁର ସେଠୀଙ୍କ ବିରୋଧରେ ଏହି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀନୀ ଅମ୍ବିକା ସେଠୀ କେନ୍ଦ୍ରାପଡ଼ା ସଦର ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ କେନ୍ଦ୍ରାପଡ଼ା ବ୍ଲକକୁ ଏଜେଣ୍ଟ ଫର୍ମ ଆଣିବାକୁ ଯାଇଥିଲେ । କିନ୍ତୁ ବ୍ଲକ ଫାଟକ ସମ୍ମୁଖରେ ଅଙ୍କୁର ସେଠୀ ତାଙ୍କ ସ୍ୱାମୀ ରବିନ୍ଦ୍ର ସେଠୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ
Leave a comment