ଯୁବତୀଙ୍କୁ ନିଶା ଦେଇ ଅପହରଣ, ବନ୍ଦୀ କରି ଦୁଷ୍କର୍ମ

କେନ୍ଦ୍ରାପଡା : ଯୁବତୀଙ୍କୁ ନିଶା ସୁଂଘାଇ ଅପହରଣ କରି ଏକ ନିଛାଟିଆ ସ୍ଥାନରେ ବନ୍ଦି କରି ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି । ଏହିଭଳି ଏକ ଘଟଣା ମହାକାଳପଡ଼ା ଥାନା ଅଧିନ ମାଳିଆଞ୍ଚ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ, ତନ୍ତିଆପାଳ ଥାନାର ବଗଗହଣ ଗ୍ରାମର ବଚନ ମଣ୍ଡଳ ମାଳିଆଞ୍ଚ ଅଞ୍ଚଳରେ ରହି ରାଜମିସ୍ତ୍ରୀ କାର୍ଯ୍ୟ କରନ୍ତି । ଗତବର୍ଷ ନଭେମ୍ବର ୧୦ ତାରିଖ ରାତିରେ ଯୁବତୀଙ୍କ ଘରପାଖରେ ଜଣେ ମହିଳା ଝୁନି ରାଉତଙ୍କ ଘରେ ଭୋଜିଭାତର ଆୟୋଜନ କରିଥିଲେ । ଅରତ ଗ୍ରାମର ସନାତନ ନାୟକ ଯୁବତୀଙ୍କୁ ଖାଇବାକୁ ଡାକିଥିଲେ। ଝୁନି ରାଉତ, ସନାତନ ନାୟକ ଓ ବଚନ ମଣ୍ଡଳ ଯୁବତୀଙ୍କ ଖାଇବାରେ ନିଶା ମିଶାଇ ଦେଇଥିଲେ । ଖାଇବା ପରେ ଯୁବତୀ ଜଣଙ୍କ ବେହୋସ ହୋଇଯାଇଥିଲେ । ସେ ବେହୋସ ହେବା ପରେ ରାଜମିସ୍ତ୍ରୀ ବଚନ ମଣ୍ଡଳ ତାଙ୍କୁ ଦୁଷ୍କର୍ମ କରିବା ସହ ଅଶ୍ଲୀଳ ଭିଡ଼ିଓ ସୁଟିଂ କରି ନେଇଥିଲା । ଯୁବତୀଙ୍କ ହୋସ ଆସିବା ପରେ ତାଙ୍କର କଣ ହୋଇଥିଲା ବୋଲି ପଚାରିବାରୁ ମୁଣ୍ଡ ବୁଲେଇ ପଡିଯାଇଥିବା କୁହାଯାଇଥିଲା । ଏହାପରେ ଯୁବତୀ ଜଣକ ତାଙ୍କ ଘରକୁ ଫେରି ଯାଇଥିଲେ ।

ଏହି ଘଟଣାର କିଛିଦିନ ପରେ ଅଭିଯୁକ୍ତ ବଚନ ମଣ୍ଡଳ ଯୁବତୀଙ୍କ ଅଶ୍ଲୀଳ ଭିଡ଼ିଓ ଦେଖାଇ ବ୍ଲାକମେଲିଂ ଆରମ୍ଭ କରିଥିଲେ । ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣଙ୍କ ରାଜି ନହେବାରୁ ତା ବଦଳରେ ୩ ଲକ୍ଷ ଟଙ୍କା ମାଗିଥିଲେ ।ହେଲେ ଯୁବତୀ ଜଣଙ୍କ ଏତେଟଙ୍କା ଦେଇପାରିବେ ନାହିଁ ବୋଲି ମନା କରିଥିଲେ । ବହୁତ କଷ୍ଟରେ ଯୁବତୀ ନିଜର ଇଜତ ବଞ୍ଚାଇବାକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଅଭିଯୁକ୍ତ ବଚନ ଟଙ୍କା ନେବା ପରେ ଭିଡ଼ିଓ ଡିଲିଟ କରିନଥିଲେ । ସମ୍ପୂର୍ଣ୍ଣ ଟଙ୍କା ନଦେବା ପର୍ଯ୍ୟନ୍ତ ଭିଡ଼ିଓ ଡିଲିଟ କରିବେ ନାହିଁ ବୋଲି ଧମକ ଦେଇଥିଲେ । ଯେ ପର୍ଯ୍ୟନ୍ତ ଟଙ୍କା ନଦେଇଛନ୍ତି ଯେଉଁଠିକି ଡାକିଲେ ଯଦି ଯୁବତୀ ଜଣଙ୍କ ନଯାଆନ୍ତି ତେବେ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ କରିଦେବାର ଧମକ ଦେଇଥିଲେ । ଟଙ୍କା ନେବାର କିଛିଦିନ ପରେ ଅଭିଯୁକ୍ତ ତାଙ୍କ ଗ୍ରାମ ନିକଟରେ ପହଁଚି ଫୋନ କରିଥିଲେ ।  ଏକ ବୋଲେରୋରେ ଅଭିଯୁକ୍ତ ଆଉ ତାଙ୍କର ଦୁଇ ସହଯୋଗୀ ବସିଥିଲେ । ଯୁବତୀ ଜଣଙ୍କ ବୋଲେରୋ ନିକଟରେ ପହଁଚି କାହିଁକି ଡାକିଥିଲେ ବୋଲି ପଚାରିବାରୁ ତାଙ୍କୁ ନିଶା ସୁଂଘାଇ ବେହୋସ କରି ଅପହରଣ କରି ନେଇଯାଇଥିଲେ । ଯୁବତୀଙ୍କ ହୋସ ଆସିବା ପରେ ସେ ପାରାଦ୍ୱୀପ ଅଞ୍ଚଳରେ ଥିବା ଜାଣିବାକୁ ପାଇଲେ । ସେଠାରେ ଏକ ନିବୁଜ କୋଠରୀରେ ମାସ ମାସ ବନ୍ଦି କରି ରଖି ଦୁଷ୍କର୍ମ କରିଚାଲିଲେ । ଯୁବତୀ ଜଣଙ୍କ ମୌକା ପାଇ ସେଠାରୁ ଖସି ଆସି ନିଜ ଘରକୁ ପଳାଇ ଆସିଥିଲେ । ଏନେଇ ପରିବାର ସଦସ୍ୟଙ୍କୁ ସମସ୍ତ କଥା କହିବାରୁ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏନେଇ ପୁଲିସ ଅଭିଯୁକ୍ତ ବଚନ ମଣ୍ଡଳ, ଝୁନି ରାଉତ ଏବଂ ସନାତନ ନାୟକଙ୍କ ବିରୋଧରେ ଏକ ମାମଲା ୫/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a comment