ସାତଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା

ଜୟପୁର : ଦୀର୍ଘଦିନର ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ଅଗ୍ନିକୁ ସାକ୍ଷୀ ରଖି ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ପରିବାର ତଥା ନାମୀଦାମୀ ଅତିଥିଙ୍କ ଉପସ୍ଥିତିରେ ରାଜସ୍ଥାନର ଜୈସଲମେରର ପ୍ରସିଦ୍ଧ ପ୍ୟାଲେସ୍ ସୂର୍ଯ୍ୟଗଡ଼ର ବାବଡ଼ିରେ ଦୁହେଁ ସାତଫେରା ନେଇଛନ୍ତି। ବରବେଶରେ ସିଦ୍ଧାର୍ଥ ଏକ ଧଳା ରଙ୍ଗର ଘୋଡ଼ା ଚଢ଼ି ଆସିଥିଲେ। ସେହିଭଳି ମନୀଷ ମଲହୋତ୍ରାଙ୍କ ଡିଜାଇନର୍ ଗୋଲାପୀ ରଙ୍ଗର ଲେହେଙ୍ଗାରେ ନବବଧୂ ବେଶରେ କିଆରା ନଜର ଆସିଥିଲେ।
ସିଦ୍ଧାର୍ଥ ସୁନେଲୀ ରଙ୍ଗର ସେର୍ୱାନୀ ପିନ୍ଧି ବେଦୀରେ ବସିଥିଲେ। ମନୀଷ ଦୁହିଁଙ୍କ ପାଇଁ ୧୫୦ ପ୍ରକାର ଆଉଟ୍ଫିଟ୍ ଡିଜାଇନ୍ କରିଥିବା ଜଣାପଡ଼ିଛି। ଅବଶ୍ୟ ବାହାଘର ପୂରା ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି। କହିବାକୁ ଗଲେ, ଦୁହେଁ ବିବାହ ଉତ୍ସବକୁ ନିଆରା କରିବା ପାଇଁ ବିବାହ ମଣ୍ଡପଠୁ ଆରମ୍ଭ କରି ଖାଦ୍ୟପାନୀୟ, ସାଜସଜ୍ଜା ତଥା ଅତିଥିଙ୍କ ଲାଗି ସେମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ସୁଦ୍ଧା ଉତ୍ସବ ପାଇଁ ସିଦ୍ଧାର୍ଥ ଓ କିଆରା ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିବାହ ମଣ୍ଡପ ଚତୁଃପାର୍ଶ୍ବକୁ ଖୁବ୍ ସୁନ୍ଦର ଭାବେ ସଜ୍ଜା ଯାଇଥିଲା। ତେବେ ବିବାହ ପାଇଁ ଗୋଲାପି ଥିମ୍ ରଖାଯାଇଥିଲା। ଏହା ସହ ଅତିଥିମାନଙ୍କୁ ମଧ୍ୟ ରାଜକୀୟ ଶୈଳୀରେ ଆତିଥେୟ ପ୍ରଦାନ କରାଯାଇଛି।
ବିବାହ ପୂର୍ବରୁ ମେହେନ୍ଦି ତଥା ହଳଦୀ ଆଦି କାର୍ଯ୍ୟକ୍ରମ ପୂରା ପଞ୍ଜାବୀ ରୀତିନୀତିରେ ଶେଷ ହୋଇଥିଲା। ମହଲର ସାଜସଜ୍ଜା ବ୍ୟତୀତ ଅତିଥିଙ୍କ ଲାଗି ହୋଇଥିବା ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ଥିଲା ଏହି ବାହାଘରର ଅନ୍ୟତମ ଚର୍ଚ୍ଚାର ପ୍ରସଙ୍ଗ। ବାହାଘରରେ ଅତିଥିଙ୍କ ପାଇଁ ୧୦ ଦେଶରୁ ୧୦୦ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଥିଲା। ଇଟାଲିୟନ, ଚାଇନିଜ୍, ଆମେରିକାନ୍ ସାଉଥ୍ ଇଣ୍ଡିଆନ୍, ମେକ୍ସିକାନ, ରାଜସ୍ଥାନୀ, ଗୁଜରାଟୀ, ପଞ୍ଜାବୀ ଆଦି ରାନ୍ଧଣା ଅତିଥିଙ୍କୁ ପରଷା ଯାଇଥିଲା।
ସେହିପରି ମିଠାରେ ଜୈସଲମେରର ପ୍ରସିଦ୍ଧ ଘୋଟୱାନ ଲଡ଼ୁ ରଖାଯାଇଥିଲା। ଅନ୍ୟପଟେ ବାହାଘରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଥିଲା। ମଣ୍ଡପର ଚାରିଆଡ଼େ କ୍ୟାମେରା ଖଞ୍ଜାଯାଇଥିବା ବେେଳ ଅତିଥିଙ୍କୁ ଫୋନ୍ ବ୍ୟବହାର ମଧ୍ୟ ମନା କରାଯାଇଥିଲା। ସେହିପରି ବିବାହ ପରେ ସେହି ସୂର୍ଯ୍ୟଗଡ଼ ପ୍ୟାଲସ୍ରେ ହିଁ ରାତିରେ ରିସେପସନ୍ ପାର୍ଟି ଆୟୋଜନ କରାଯାଇଥିଲା।