ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାକ ପ୍ରେମରୁ ସଂସାରର କୋଳାହଳ : ଖଇରଙ୍କ ସହ ‘ଇତିହାସ’ ଲେଖିଲେ ଇତିହାସ

ରାଇରଙ୍ଗପୁର/ରରୁଆଁ : ପ୍ରେମ ପାଇଁ ହୃଦୟ ଛଡ଼ା ଆଉ କିଛି ଦରକାର ନାହିଁ। କଥା ନ କହି ପାରିଲେ କ’ଣ ହେଲା; ହୃଦୟକୁ ବୁଝିବା ଭଳି ଆଉ ଗୋଟେ ହୃଦୟ ହିଁ ଯଥେଷ୍ଟ। କେନ୍ଦୁଝରର ଦିବ୍ୟାଙ୍ଗ ଝିଅ ଖଇର ଓ ମୟୂରଭଞ୍ଜର ଦିବ୍ୟାଙ୍ଗ ପ୍ରେମିକ ଇତିହାସଙ୍କୁ ଜୀବନ ସାଥୀ ଭାବେ ପାଇବା ପରେ ଏହା ପୁଣି ପ୍ରମାଣିତ ହୋଇଛି। ଏ ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ୍‍ ହେବା ସହ ଉଭୟ ସମସ୍ତଙ୍କ ଆଶୀର୍ବାଦ ସାଉଁଟୁଛନ୍ତି।

କେନ୍ଦୁଝର ମନୋଜ ମଞ୍ଜରୀ ଶିଶୁ ଭବନରେ ମୟୂରଭଞ୍ଜ ରରୁଆଁ ବ୍ଲକ ଫୁଲକମ୍ପର ଇତିହାସ ଓ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାର ଖଇର ଉପର ତଳ ଶ୍ରେଣୀରେ ପଢ଼ୁଥିଲେ। ଉଭୟଙ୍କ ମଧ୍ୟରେ ପରିଚୟ ଥିଲା; କିନ୍ତୁ ପ୍ରେମ ସୃଷ୍ଟି ହୋଇ ନ ଥିଲା। ପଢ଼଼ା ସରିବା ପରେ ଇତିହାସ ଚେନ୍ନାଇର ଏକ ଘରୋଇ କମ୍ପାନିରେ କାମ କରିବାକୁ ପଳାଇଥିଲେ। ଖଇର ଘରେ ରହିଯାଇଥିଲେ। ହଠାତ୍‍ ଉଭୟଙ୍କର ଦିନେ ଫେସବୁକ୍‍ ପ୍ଲାଟଫର୍ମରେ ଦେଖାହେଲା। ଓଠ ସିନା କିଛି କହୁ ନ ଥିଲା। ଲିଖିତ ଶବ୍ଦରେ ଉଭୟ ଉଭୟଙ୍କ ମନ ବୁଝିବାରେ ଲାଗିଥିଲା। ଦିନେ ଭିଡିଓ କଲ୍‍ କରି ଇତିହାସ ଖଇରଙ୍କୁ ପ୍ରେମ ସହ ବିବାହ ପ୍ରସ୍ତାବ ଦେଲେ।

ସେତେବେଳେକୁ ଖଇର ବି ମନେ ମନେ ପ୍ରେମ କରୁଥିଲେ; ତେଣୁ ଇତିହାସଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ୩ ମାସ ତଳେ ଉଭୟଙ୍କ ପରିବାର ଏ ସମ୍ପର୍କରେ ଜାଣିବା ପରେ କଥା ଆଗକୁ ବଢ଼଼ିଥିଲା। ଶେଷରେ ଉଭୟ ପରିବାରର ସହମତିର ଗତ ସପ୍ତାହରେ ଇତିହାସ ଓ ଖଇର ବୈଦିକ ରୀତିରେ ବିବାହ କରିଛନ୍ତି। ଏବେ ଉଭୟ ବେଶ୍‍ ଖୁସି ଅଛନ୍ତି। ବେଶ୍‍ କିଛି ଦିନ ହେଲା ପ୍ରେମ ପ୍ରତାରଣାକୁ ନେଇ ଭାରାକ୍ରାନ୍ତ କରିବା ଭଳି ଖବର ଆସୁଥିବା ବେଳେ ଏ ଖବର କିନ୍ତୁ ମନକୁ ଖୁସି କରିଦେଇଛି।

Leave A Reply

Your email address will not be published.