ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଖଣ୍ଡଗିରି ମାଘମେଳା, ମନ୍ତ୍ରଧ୍ୱନିରେ ମୁଖରିତ ହେବ ପରିବେଶ

ଭୁବନେଶ୍ୱର : ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସାରା ଦେଶରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ମେଳା ଲଗାଇଲେଣି। ଆସନ୍ତାକାଲି ପ୍ରତ୍ୟୁଷରୁ ଧୁନି ସ୍ଥାପନ ପରେ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ଖଣ୍ଡଗିରି ଉଦୟଗିରି ପାଦଦେଶର ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ବିଶ୍ୱରୁ ସାଧୁସନ୍ଥମାନେ ଆସି ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଛନ୍ତି। କଳିଙ୍ଗ ସମ୍ରାଟ ମହାମେଘନାଦ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଏଠାକୁ ସାଧନା ପାଇଁ ଆସୁଛନ୍ତି। ବହୁ ବଡ଼ବଡ଼ ସାଧୁସନ୍ଥ ଏଠାକୁ ଆସି ନିଜର ଧନସମ୍ପତ୍ତିକୁ ଜଳାଞ୍ଜଳି ଦେଇ ସାଧନା କରନ୍ତି। ପାରଳାଖେମୁଣ୍ଡି ରାଜାଙ୍କ ପୁତ୍ର ସନ୍ଥ ଅରକ୍ଷିତ ଦାସ ୧୭ବର୍ଷ ଧରି ଲାଞ୍ଛନା, ଯାତନା ଓ ନିର୍ଯାତନା ସବୁକିଛି ସହି ସାଧନା କରିଥିଲେ।

ଏଥିପାଇଁ ହଜାର ବର୍ଷ ତଳୁ ଏଠାକୁ ବହୁ ମୁନିଋଷିମାନେ ଆସି ତପସ୍ୟା କରିଛନ୍ତି। ଏହା ହେଉଛି ମା’ ବାରଭୁଜାଙ୍କ ସାଧନା ପୀଠ। ନିଜ ନିଜ ଉପାୟରେ ଈଶ୍ୱରପ୍ରାପ୍ତିପାଇଁ ସାଧନା କରିବେ ସାଧୁସନ୍ଥ। ବିଶ୍ୱଶାନ୍ତି ପାଇଁ ଏଠି ୯ଦିନ ଧରି ଯଜ୍ଞ କରାଯିବ। ସେ ପର୍ଯ୍ୟନ୍ତ ଅଖଣ୍ଡ ଧୁନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ, ଆହୁତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବେ। କୁଷ୍ଣ କୁମାର ଶାମ୍ବ ଅଭିଶାପ ପାଇ ସୂର୍ଯ୍ୟଙ୍କ ପୂଜା କରି ବ୍ୟାଧିରୁ ମୁକ୍ତିପାଇଥିଲେ।
ଚନ୍ଦ୍ରଭାଗାରେ ବୁଡ଼ ପକାଇବାପରେ ସୂର୍ଯ୍ୟଙ୍କୁ ପୂଜା କରିଥିଲେ। ପରମ୍ପରାସ୍ୱରୂପ ଆଜି ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ ପକାଇସାରି ଖଣ୍ଡଖିରି ପାଇବେ। ଏହାପରେ ସୂର୍ଯ୍ୟ ଅଗ୍ନି ନେଇ କୁମ୍ଭମେଳା ପାଇଁ ଧୁନି ସ୍ଥାପନ କରିବେ।

ଏଥିପାଇଁ ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିସାରିଛନ୍ତି। କିଏ ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ହିମାଳୟ ଗଙ୍ଗୋତ୍ରୀ ଧାମ ଶିବାନନ୍ଦ ଗିରି(ନାଗା ବାବା) କହିଛନ୍ତି। ଏହା ସହିତ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ଲାଗି ବ୍ୟବସ୍ଥା କରାଯିବା ସହ ଶ୍ରୀ ହନୁମାନଜିଉଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା ପାଠ କରାଯିବ। ୯ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉଥିବା ବିଭିନ୍ନ ସେବା ଆଶ୍ରମର ବାବାମାନେ କହିଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତା କୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ।

ଏହି ମେଳା ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ମ୍ୟୁନିସିପାଲିଟି ପକ୍ଷରୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ଏବେସୁଦ୍ଧା ଓଡ଼ିଶା, ହରିଦ୍ୱାର, ଗୁଜରାଟ ଏବଂ ଝାନ୍ସୀରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବା ଆସି ପହଞ୍ଚିଛନ୍ତି। ଖଣ୍ଡଗିରିମେଳା ପାଇଁ ମୀନାବଜାରର ପ୍ରସ୍ତୁତି ଶେଷ ହୋଇଛି। ଦୋକାନବଜାର ମଧ୍ୟ ଲାଗିଗଲାଣି। ଖଣ୍ଡଗିରି ଉଦୟଗିରି ପାଦଦେଶରେ ବିଭିନ୍ନ ଷ୍ଟଲ୍‌‌ ପଡ଼ିଛି। ଖାଇବା ଷ୍ଟଲ୍‌‌ଠାରୁ ଆରମ୍ଭକରି ଘରସଜ୍ଜା ସାମଗ୍ରୀ ଓ ଗୃହୋପକରଣ ସାମଗ୍ରୀ ପାଇଁ ଷ୍ଟଲ ଲାଗିବା ଆରମ୍ଭ ହୋଇଗଲାଣି। କେତେକ ଷ୍ଟଲ୍‌‌ ଆଜିଠାରୁ ଖୋଲିଗଲାଣି। କୁଲା, ବାଉଁଶିଆଠାରୁ ଆରମ୍ଭ କରି ପଥର ଓ ପିତ୍ତଳ ସାମଗ୍ରୀ ଦୋକାନୀମାନ ଖୋଲିଗଲାଣି।

Leave A Reply

Your email address will not be published.