ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁଟେରାଙ୍କ ଆଡାସ୍ଥଳୀ ପାଲଟିଛି ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥ; ସପ୍ତାହରେ ୩ ଲୁଟ, ପୋଲିସ ପାଟ୍ରୋଲିଂ ଢିଲା ହେଉଥିବା ଅଭିଯୋଗ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଏବେ ଲୁଟେରାଙ୍କ କବଜାରେ । ଦୈନିକ ଲୁଟ୍‌, ରାହାଜାନି, ଡକାୟତି ଛିନ୍‌ତାଇ ଭଳି ଘଟଣା ଘଟି ଚାଲିଛି । ସନ୍ଧ୍ୟା ଠାରୁ ଲୁଟେରାଙ୍କ ଆତଙ୍କ ରାଜ ଆରମ୍ଭ ହୋଇଯାଉଛି । କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ଆଉକେତେବେଳେ ଭୁଜାଲିରେ ଆକ୍ରମଣ କରାଯାଇ ଲୁଟ ହେଉଛି । ପୋଲିସ ପାଟ୍ରୋଲିଂ ନଥିବାରୁ ପ୍ରତ୍ୟେକ ଦିନ ଏହି ଜାତୀୟ ରାଜପଥଚାରୀ ଲୁଟ, ଡକାୟତି, ଛିନତାଇର ଶିକାର ହୋଇ ଲୋକେ ଲକ୍ଷାଧିକ ଟଙ୍କା ହରାଉଛନ୍ତି ।

ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଦିନକୁ ଦିନ ଲୁଟ ବଢ଼ୁଥିବାରୁ ଲୋକେ ଚିନ୍ତିତ ହୋଇ ପଡିଛନ୍ତି । ମୁଖ୍ୟତଃ ମାର୍ଶାଘାଇର ମଙ୍ଗଳା ଛକ, ହଲାଦିଆଗଡା,ବଡ଼ପାଳ, ତାରିଣୀ ଛକ, ଯଦୁପୁର ଗଡା, ଟିକର ପଙ୍କା ନିଳାଞ୍ଚଳ ବଜାର, ହଜାରୀ ଛକଗୁଡିକରେ ଲୁଟେରା ଜଗି ରହୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ସନ୍ଧ୍ୟାରୁ ଅପରାଧୀ ସେମାନଙ୍କର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ହେଲେ ପୋଲିସ ରାଜପଥ ପାଟ୍ରୋଲିଂକୁ ଗୁରୁତ୍ବ ଦେଉନଥିବାରୁ ଏହିଭଳି କାଣ୍ଡ ଭିଆଇବାକୁ ସେମାନଙ୍କୁ ପ୍ରୋତ୍ସାହନ ମିଳୁଥିବା ଅଭିଯୋଗ ହେଉଛି ।

ଗତ ସପ୍ତାହ ମଧ୍ୟରେ ୩ଟି ଲୁଟ ଘଟଣାକୁ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ପ୍ରଥମ ଘଟଣାରେ ବିହାର ମୁଜାଫରପୁରର ରଞ୍ଜନ କୁମାର ସିଂ ଏକ ଟ୍ରକ ନମ୍ବର ଓଡ଼ି୦୫ଏସି-୫୧୫୩କୁ ଚଳାଇ ପାରାଦୀପ ଆଡୁ ମଶାକଣି ରାସ୍ତାରେ ଆସୁଥିଲେ । ସେହି ସମୟରେ ସେହିଠାରେ ଥିବା ଏକ ରାଇସ ମିଲ ନିକଟରେ ଦୁଇଟି ବାଇକରେ ୫ ଜଣ ଦୁର୍ବୁତ୍ତ ଟ୍ରକ ଚାଳକଙ୍କୁ ଅଟକାଇଥିଲେ । ବେକରେ ଭୁଜାଲି ଲଗାଇ ୨ ହଜାର ଟଙ୍କା ଆଉ ଚାଳକ ଙ୍କ ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇଗଲେ । ଏନେଇ ଚାଳକ ରଞ୍ଜନ ମାର୍ଶାଘାଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ୩୮୩/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଅନ୍ୟ ଏକ ଘଟଣାରେ ବିହାର ବେଗୁସୁରା ଜିଲ୍ଲା ବଳିଆ ଥାନା ଅଞ୍ଚଳର ନିଲେଶ କୁମାର ଗତ ୧୯ ତାରିଖ ରାତି ୮ ଟା ୩୦ରେ ଟ୍ରକ ଭିତରେ ରୋଷେଇ କରୁଥିଲେ । ନିକଟସ୍ଥ ଏଚପି ପେଟ୍ରୋଲ ଟାଙ୍କି ନିକଟରେ ରୋଷେଇ କରୁଥିବା ସମୟରେ ୫ ଜଣ ଦୁର୍ବୁତ୍ତ ସେଠାରେ ପହଁଚି ନିଲେଶଙ୍କ ବେକରେ ଭୁଜାଲି ଲଗାଇ ୭ ହଜାର ଟଙ୍କା, ୨ଟି ମୋବାଇଲ ଫୋନ, ମନି ପର୍ସ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫେରାର ହୋଇଗଲେ । ଏନେଇ ନିଲେଶ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ୩୮୫/୨୧ ରୁଜୁ କରିଛି ।

ସେହିପରି ଆଶ୍ରମ ବାଲିକୁଦା ବ୍ରିଜ ନିକଟସ୍ଥ ପେଟ୍ରୋଲ ଟାଙ୍କିରୁ ମାର୍ଶାଘାଇ କରଞ୍ଜ ଅଞ୍ଚଳର ସୁଶାନ୍ତ କୁମାର ଏକ ଜାର୍କିନରେ ୧ ଶହ ଲିଟର ଡିଜେଲ ବିକ୍ରି ପାଇଁ ନିଜ ବାଇକରେ ନେଉଥିଲେ । ଏହି ସମୟରେ ସୁଶାନ୍ତ ରାସ୍ତାରେ ଯାଉଥିବା ବେଳେ ୩ ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ । ତାଙ୍କ ବେକରେ ଭୁଜାଲି ଲଗାଇ ସମସ୍ତ ଡିଜେଲ ଆଉ ତାଙ୍କ ପକେଟରୁ ୭ ଶହ ଟଙ୍କା ନେଇ ଫେରାର ହୋଇଗଲେ । ଏନେଇ ସୁଶାନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୮୭/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହିଭଳି ଜାତୀୟ ରାଜପଥରେ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ବେଳେ କେନ୍ଦ୍ରାପଡା ପୋଲିସ ବିଭାଗ ବର୍ତ୍ତମାନ ସୁଦ୍ଧା ଜାତୀୟ ରାଜପଥକୁ ଅପରାଧମୁକ୍ତ କରିବା ପାଇଁ ବିଭିନ୍ନ ଥାନାଗୁଡ଼ିକୁ ନେଇ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରି ପାରିନଥିବା ଜାଣିବାକୁ ମିଳିଛି । ଅନ୍ୟପଟେ ଜାତୀୟ ରାଜପଥରେ ସବୁବେଳେ ପାଟ୍ରୋଲିଂ କରାଯିବା ସହ ପୋଲିସ ମୁତୟନ କରଯାଇ ଅପରାଧମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.