ଆଧାର କରୁଛି ହଟହଟା : ଅପଡେଟ୍‌ କରିବାକୁ ଆସି ଲାଇନ୍‌ରେ ଛିଡା ହେବାକୁ ୨ ଶହ

ଗରଦପୁର: ଆଧାର କରୁଛି ହଟହଟା । ଲୋକେ ରାତି ୩ରୁ ଆସି ଲମ୍ବା ଲାଇନରେ ଛିଡା ହେଉଛନ୍ତି । ତଥାପି ଆଧାର ଅପଡେଟ କରିପାରୁନାହାନ୍ତି । ଲୋକେ ଆଧାର କେନ୍ଦ୍ରରେ ଲାଇନ ଦେବା ପୂର୍ବରୁ ଇଟା ପଥର ଖଣ୍ଡ ଆଗ ଲାଇନ ଦେଉଛନ୍ତି । ଗୋଟେ କି ଦୁଇଖଣ୍ଡ ଇଟା ପଥର ନୁହେଁ । ବରଂ ଶହ ଶହ ଇଟା ପଥର ଲାଇନରେ ରଖାଯାଇଥିବା ଦେଖିବାକୁ ମିଳୁଛି । ଗୋଟେ ଇଟା ପଥର ଲାଇନରୁ ହଟେଇବା ପାଇଁ ୨ ଶହ ଟଙ୍କା ମଗାଯାଉଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗରଦପୁର ବ୍ଲକ ପରିସରରେ ।

ଗରଦପୁର ବ୍ଲକର ବିଡ଼ିଓଙ୍କ କ୍ୱାର୍ଟରକୁ ଲାଗି ହୋଇଛି ଆଧାର ସେଣ୍ଟର। ରାତିରୁ ସ୍ଥାନୀୟ କେତେଜଣ ମୁଷ୍ଟିମେୟ ଆଧାର କେନ୍ଦ୍ର ସମ୍ମୁଖରେ ଇଟା ପଥର ରଖି ଜଣକା ଦୁଇ ଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି ।ବିଡ଼ିଓଙ୍କ କ୍ୱାର୍ଟରରୁ ଯିବାଆସିବା ବେଳେ କେମେତି ତାଙ୍କର ନଜର ପଡୁନି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଧାର ସେବା କେନ୍ଦ୍ରରେ ଏକ ଆପୋଏଣ୍ଟମେଣ୍ଟ ବୁକ୍ କରିବା କଷ୍ଟକର ହୋଇପଡିଛି । ଦଲାଲଙ୍କ କବଜାରେ ଗରଦପୁର ବ୍ଲକ ଥିବାରୁ କେବଳ ଆଧାର ନୁହେଁ ଅନ୍ୟ ସବୁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି କ୍ଷ ନୂଆ ଆଧାର କାର୍ଡ ହେଉ ବା ସଂଶୋଧନ ସେଥିପାଇଁ ଦୁଇ ଶହ ଟଙ୍କା ମଗାଯାଉଛି କ୍ଷ ଟଙ୍କା ନଦେଲେ କାର୍ଡ ଉଠାଇ ହେବ ନାହିଁ କି ସଂଶୋଧନ କରି ହେବ ନାହିଁ ବୋଲି ରୋକଠୋକ ଦଲାଲ ମାନେ ମନା କରୁଥିବା ଦେଖିବାକୁ ମିଳୁଛି । ଯଦି କେହି ଟଙ୍କା ଦେବାକୁ ରାଜି ନହେଲା ତେବେ ଦୁର୍ବ୍ୟବହାର କରୁଥିବା ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି ।ତୁରନ୍ତ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a comment