କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା; ଆଉ ଜଣଙ୍କ ମୃତ୍ୟୁ

କଟକ : କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ୨୫ ବର୍ଷୀୟ ପିଣ୍ଟୁ ଖାନ। ସେ ବର୍ଣ୍ଣ ୟୁନିଟ୍‍ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବାଣ ବିସ୍ଫୋରଣରେ ଆହତ ହୋଇ ଏସ୍‍ସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଉଦୟ ଭୋଇ(୫୦)ଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ସୂଚନା ଅନୁସାରେ, ଏବେ ୩୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏମାନଙ୍କ ଭିତରୁ ୧୧ ଜଣ ଆଇସିୟୁରେ ରହିଛନ୍ତି।

ସୂଚନାଯୋଗ୍ୟ ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବାଣ ବିସ୍ଫୋରଣ ପରେ ନିଆଁ ଯାଇ ବାଣ ଷ୍ଟକ୍ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼କୁ ଛିଟିକିଥିଲା। ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ। ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୁଲିସ। ସେମାନେ ହେଲେ ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲିକ୍, ଅରକ୍ଷୀତ ମଲିକ ଓ ଚିଲୁ ଦାସ। ଗିରଫ ଅଭିଯୁକ୍ତ ମାନେ ଭିନ୍ନଭିନ୍ନ ପୂଜା କମିଟିର ସଦସ୍ୟ ବୋଲି ଜଣାପଡିଛି। ସେମାନଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି।

Leave a comment