ପ୍ରସିଦ୍ଧ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ, ଟ୍ବିଟ୍‌ କରି ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁଙ୍କ ହୃଦ୍‌ଘାତ କାରଣରୁ ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀସ୍ଥିତ ବାସଭବନ ଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ନାତି ସ୍ୱରାଂଶ ମିଶ୍ର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଏକ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପରିବାରର ସଦସ୍ୟ ଭାବେ ସେ କଥକ ନୃତ୍ୟକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବିରଜୁ ମହାରାଜ ଲକ୍ଷ୍ନୌରେ ୪ ଫେବୃଆରୀ ୧୯୩୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ପଣ୍ଡିତ ବ୍ରଜମୋହନ ମିଶ୍ର । କଥକ ନୃତ୍ୟଶିଳ୍ପୀ ଛଡ଼ା ସେ ଜଣେ ଶାସ୍ତ୍ରୀୟ ଗାୟକ ମଧ୍ୟ ଥିଲେ । ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ମାମୁଁ ଶମ୍ଭୁ ମହାରାଜ ଏବଂ ଲଚ୍ଛୁ ମହାରାଜ ମଧ୍ୟ କଥକ ନୃତ୍ୟଶିଳ୍ପୀ ଥିଲେ। ବିଶେଷ କରି ମାମୁଙ୍କ ଆଶୀର୍ବାଦ କ୍ରମେ ସେ ପ୍ରତିଭା ଜଗତର ବାଲ୍ୟକାଳରୁ ପାଦ ଦେବା ସହ ଭାରତୀୟ କଳା କେନ୍ଦ୍ରରେ ଶିକ୍ଷା ଲାଭ କରିଥିଲେ । ସେଠାରେ ସେ କଥକ ନୃତ୍ୟରେ ପାରଦର୍ଶିତା ଲାଭ କରିଥିଲେ । ମାତ୍ର 7 ବର୍ଷ ବୟସରେ ତାଙ୍କର ସଂଗୀତ ନୈପୁଣ୍ୟ ଓ କଣ୍ଠସଂଗୀତ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଦିଲ୍ଲୀରେ କଳାଶ୍ରମ ପ୍ରତିଷ୍ଠା କରି ଶହ ଶହ ନବାଗତଙ୍କୁ କଥକ ନୃତ୍ୟ ତାଲିମ ହେଇଥିଲେ । କେନ୍ଦ୍ର ସଂଗୀତ ନାଟକ ଏକାଡେମି ଅନ୍ତର୍ଗତ କଥକ କେନ୍ଦ୍ର ସହ ସେ ବିଶେଷ ଭାବେ ଜଡିତ ଥିଲେ । ଦେବଦାସ, ଦେଢ ଇଶ୍କିଆ, ଉମ୍ରାଓ ଜାନ୍ ଏବଂ ବାଜି ରାଓ ମସ୍ତାନୀ ଭଳି ଫିଲ୍ମରେ ବିରଜୁ ମହାରାଜ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ସତ୍ୟଜିତ୍ ରାୟଙ୍କ ଫିଲ୍ମ ‘ଶତରଞ୍ଜ କେ ଖିଲାଡି’ରେ ସଙ୍ଗୀତ ମଧ୍ୟ ଦେଇଥିଲେ।

୧୯୮୩ରେ ବିରଜୁ ମହାରାଜଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା। ଏହା ସହିତ ସେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କାଳିଦାସ ସମ୍ମାନ ମଧ୍ୟ ପାଇଛନ୍ତି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଖୈରାଗଡ ବିଶ୍ୱବିଦ୍ୟାଳୟ ବିରଜୁ ମହାରାଜଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଥିଲା। ୨୦୨୧୨ରେ ତାଙ୍କୁ ‘ବିଶ୍ବରୂପମ୍’ ଚଳଚ୍ଚିତ୍ରରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୬ରେ ବାଜିରାଓ ମସ୍ତାନୀ ଫିଲ୍ମର ଗୀତ ‘ମୋହେ ରଙ୍ଗ ଦେ ଲାଲ’ରେ ନୃତ୍ୟ ନିର୍ଦ୍ଦେଶନା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ​​।

ବିରଜୁଙ୍କ ପରଲୋକରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଲୋକପ୍ରିୟ ଗାୟକ ଅଦନାମ ସାମୀ ଟୁଇଟ କରି ଲେଖିଛନ୍ତି, ମହାନ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହରାଜଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ଅନୁଭବ କରୁଛି। ଆଜି ଆମେ କଳା ଜଗତର ଜଣେ ଅମୂଲ୍ୟ ରତ୍ନକୁ ହରାଇଛେ। ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ଖବର ଜାଣି ଗଭୀର ଦୁଃଖିତ। ପଣ୍ଡିତ ବିରଜୁ ମହାରାଜ ଜଣେ ଅନୁଷ୍ଠାନ ଥିଲେ । ତାଙ୍କର ବିୟୋଗ କଳା ଜଗର ପାଇଁ ଏକ ଅପୂରଣୀୟ କ୍ଷତି।

Leave a comment