ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୟାସିନ ମଲ୍ଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ।ଆଜି ଏନଆଇଏ କୋର୍ଟ ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ କୋର୍ଟ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ରେ ଆତଙ୍କବାଦୀ ୟାସୀନ ମଲ୍ଲିକ କାଶ୍ମୀରରେ ଆତଙ୍କବାଦ ଗତିବିଧିକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ କିଛି ଗମ୍ଭୀର ଅପରାଧରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ୟାସୀନ ମଲ୍ଳିକ ଜମ୍ମୁ-କାଶ୍ମୀରରେ ଯୁବକଙ୍କମାନଙ୍କୁ ଆତଙ୍କବାଦ ପ୍ରତି ଆକୃଷ୍ଟ କରିବା, ଜଣେ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ସହ ଆତଙ୍କବାଦୀ ହାଫିଜ୍ ସଇଦ ସହ ସଂପର୍କ ରଖିବା ଭଳି ଗୁରୁତର ଅଭିଯୋଗ ରହିଥିଲା ।

୧୯୯୦ ମସିହାରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ତଥା ସ୍ବାଧୀନ କାଶ୍ମୀର ଦାବି କରି କାଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲା ୟାସିନ । ପୋଲିସ, ସୁରକ୍ଷାକର୍ମୀ ଓ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ହତ୍ୟା କରିବା ପରି ସଙ୍ଗୀନ ମାମଲା ୟାସିନ ବିରୋଧରେ ରହିଛି । ତାକୁ ପ୍ରଥମେ ୧୯୯୦ ରେ ଗିରଫ କରାଯାଇଥିଲା । ୧୯୯୩ ରେ ସେ ଆତଙ୍କୀ କାର୍ଯ୍ୟକଳାପ ଛାଡି ରାଜନୀତିରେ ପ୍ରବେଶ କରିବା ସହ ଅଲ ପାର୍ଟି ହୁରିୟତ କନଫରେନ୍ସ ଗଠନ କରିଥିଲା ।ତେବେ ୟାସିନ ମଲ୍ଲିକ ପ୍ରଥମ କାଶ୍ମୀର ଯୁବକ ଯିଏ, ସୀମା ପାର ଶତ୍ରୁ ସହାୟତାରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ଧାରା ଆରମ୍ଭ କରିଥିଲା ।

ପରେ ସେ ଘାଟିରେ ଏକାଧିକ ଆକ୍ରମଣ ଓ ହତ୍ୟାକାଣ୍ଡରେ ମଧ୍ୟ ସାମିଲ ରହିଥିଲା । ୨୦୧୭ ମସିହାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବିଚ୍ଛିନ୍ନତାବାଦୀଙ୍କ ଉପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ମଲ୍ଲିକ ୨୦୧୯ ଏପ୍ରିଲ ୧୦ ତାରିଖରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଣି ଥରେ ଏନଆଇଏ ଦ୍ବାରା ଗିରଫ ହୋଇଥିଲା । ୟାସିନଙ୍କ ଜମ୍ମୁ-କାଶ୍ମୀର ଲିବରସେନ ଫ୍ରଣ୍ଟ ୨୦୧୬ ରେ ଅଲ ପାର୍ଟି ହୁରିୟତ କନଫରେନ୍ସ ସାମିଲ ହେବା ପରେ ବିଚ୍ଛିନ୍ନତାବାଦୀ ନେତାମାନେ ଘାଟିରେ ଭାରତ ବିରୋଧୀ ଚିନ୍ତାଧାରରେ ଯୁବକଙ୍କୁ ପ୍ରବର୍ତ୍ତାଇବା ସହ ଘାଟିରେ ସୁରକ୍ଷା ବଳ ଉପରେ ପଥର ମାଡ, ଭାରତ ବିରୋଧୀ ଆନ୍ଦୋଳନ ଆଦି ଆୟୋଜିତ କରିବାରେ ଲାଗିଥିଲେ । କାଶ୍ମୀରରେ ଅସ୍ଥିରତା ଓ ଆତଙ୍କ ସୃଷ୍ଟି କରିବାରେ ଏହି ବିଛିନ୍ନତାବାଦୀ ସଂଗଠନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ନିଜେ ମଧ୍ୟ ଦୋଷ ସ୍ୱୀକାର କରିଛି।ତେବେ ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲ୍ଲିକଙ୍କୁ ଏନ୍‌ଆଇଏ’  ପକ୍ଷରୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିଲା। ହେଲେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।

Leave a comment