ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨ ବର୍ଷ ପରେ ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି : ୨,୫୦୦ ବ୍ରତଧାରୀଙ୍କ ପାଇଁ ହେଉଛି ବ୍ୟବସ୍ଥା

ପୁରୀ: ଆଗକୁ ଆସୁଛି କାର୍ତ୍ତିକ। ପବିତ୍ର କାର୍ତ୍ତିକ ମାସରେ ପୁରୀକୁ ବହୁ ସଂଖ୍ୟକ ହବିଷିଆଳି ବ୍ରତ ପାଳନ କରିବାକୁ ଆସିଥାନ୍ତି। ସେମାନେ ନିଜ ନିଜ ଉଦ୍ୟମରେ ମଠ, ଧର୍ମଶାଳାରେ ରୁହନ୍ତି। ଏଥିପାଇଁ ବ୍ରତଧାରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଏମିତି ବି କେତେ ଜଣଙ୍କର ଶ୍ରୀକ୍ଷେତ୍ରରେ ରହି ହବିଷ କରିବାକୁ ଇଚ୍ଛା ଥିଲେ ବି ଅର୍ଥାଭାବରୁ ଆସିପାରି ନ ଥାନ୍ତି। ଏହି ଅସୁବିଧାକୁ ଦୂର କରିବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷିଆଳି ଯୋଜନା। ହେଲେ କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ଏହି ଯୋଜନା ବନ୍ଦ ରହିଥିବା ବେଳେ ଏ ବର୍ଷ ପୁଣି ଆରମ୍ଭ ହେବ। ଏଥିପାଇଁ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତବର୍ଷ ପ୍ରାୟ ଅଢେଇ ହଜାର ବ୍ରତଧାରୀଙ୍କୁ ରଖିବା ଲାଗି ପ୍ରଶାସନ ଚିନ୍ତା କରୁଛି। ଏ ନେଇ ୮ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୧୦ରୁ ପଞ୍ଜୀକରଣ ଆରମ୍ଭ କରାଯାଇ ୨୫ରେ ଶେଷ ହେବ। ଏଥର ନୂତନ ହବିଷିଆଳୀ ଶିବିର ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହେବ। ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ହବିଷିଆଳୀମାନେ ରହିବେ। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ। ଆବଶ୍ୟକ ପଡ଼ିଲେ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ମୋଚିସାହି କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଶିବିର କରାଯିବ। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷିଆଳି ପଞ୍ଜୀକରଣ କରିବେ। ହବିଷିଆଳୀଙ୍କ ପାଇଁ ବୁଷ୍ଟର ଡୋଜ ବାଧ୍ୟତାମୂକଳ ରହିବ ବୋଲି ଜଣାପଡ଼ିଛି।

ପ୍ରତିବର୍ଷ କାର୍ତ୍ତିକ ମାସର ବ୍ରତ ପାଳନ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସିଥାନ୍ତି। ପରିଣତ ବୟସରେ ହବିଷ କରିବାକୁ ଆସୁଥିବା ବ୍ରତଧାରୀମାନେ ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ମଠ, ମନ୍ଦିର, ଧର୍ମଶାଳା ଏବଂ କେହି କେହି ନିଜ ସମ୍ପର୍କୀୟଙ୍କ ଘରେ ରହିଥାନ୍ତି। ଏମିତି ବି ଅନେକ ବ୍ରତଧାରୀ ଅଛନ୍ତି, ଯେଉଁମାନେ କେବଳ ପଞ୍ଚକ ପାଞ୍ଚଦିନ ଶ୍ରୀକ୍ଷେତ୍ର ରହି ହବିଷ କରିଥାନ୍ତି। ଏମାନେ ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ରାଇଦାମୋଦରଙ୍କୁ ପୂଜା କରିଥାନ୍ତି।

ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଦିନକୁ ଥରେ ହବିଷାନ୍ନ ସେବନ କରନ୍ତି। କେହି କେହି ହାତରେ ହବିଷାନ୍ନ ପ୍ରସ୍ତୁତ କରୁଥିବା ବେଳେ ଆଉ କେହି ମାସଟା ଯାକ ମହାପ୍ରସାଦ ମଧ୍ୟ ସେବନ କରିଥାନ୍ତି। ସାଧାରଣତଃ ଅଧିକାଂଶ ପରିଣତ ବୟସରେ ପହଞ୍ଚିଥିବା ମହିଳାମାନେ ବ୍ରତ କରିବାକୁ ପୁରୀ ଆସିଥାନ୍ତି। ତେଣୁ ସେମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ, ସେଥିଲାଗି ୨୦୧୬ରେ ରାଜ୍ୟ ସରକାର ହବିଷିଆଳି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ, ପ୍ରଥମେ ହବିଷିଆଳିମାନେ ସେମାନଙ୍କ ନାମ ପଞ୍ଜୀକରଣ କରୁଥିଲେ। ରାଜ୍ୟର ଯେ କୌଣସି ଜିଲ୍ଲାର ହବିଷିଆଳିଙ୍କ ପାଇଁ ଏହି ସୁବିଧା ରହିଥିଲା। ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଲୱେ କଲ୍ୟାଣ ମଣ୍ଡପ, ପୌରପାଳିକା କଲ୍ୟାଣ ମଣ୍ଡପ, ଶ୍ରୀଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ରରେ ହବିଷିଆଳି ଶିବିର କରାଯାଉଥିଲା। ଏପରି କି ଗୋଟିଏ ବର୍ଷ ପୁରୁଣା ଜେଲ୍ ପରିସରରେ ମଧ୍ୟ ଏହି ଶିବିର କରାଯାଇଥିଲା।

ହବିଷିଆଳିମାନେ ମାସେ ପର୍ଯ୍ୟନ୍ତ ରହି ମନ୍ଦିରକୁ ଯିବା ସହ ଅବଢ଼ା ସେବନ କରିପାରୁଥିଲେ। ଦୁଇବର୍ଷ ପରେ ପୁଣି କାର୍ଯ୍ୟକାରୀ ହେବ ହବିଷିଆଳୀ ଯୋଜନା। ଏଥିପାଇଁ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଶୃଙ୍ଖଳିତ, ହବିଷିଆଳିଙ୍କ ପାଇଁ ଦର୍ଶନ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ, ପୂଜାର୍ଚ୍ଚନା ନେଇ ଆଲୋଚନା କରାଯାଇଛି।

Leave A Reply

Your email address will not be published.