ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରେ। ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କାର୍ତ୍ତିକ ମାସ ସାରା ଦେବଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ। ଏହାଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ବାସ ରହିଛି। ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦ୍‌ଯାପନ ହୋଇଥାଏ। ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡ଼େ ଭୀଷ୍ମ ପଞ୍ଚକ। ଏହାର ଅନ୍ୟ ନାମ ବକ ପଞ୍ଚକ।

କୁହାଯାଏ ଯେ, ପଞ୍ଚକ ପାଞ୍ଚ ଦିନ ଯାକ ବଗ ମଧ୍ୟ ମାଛ ଖାଇ ନ ଥାଏ। ଚତୁର୍ମାସ୍ୟ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚତୁର୍ମାସ୍ୟ ପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ। ଚତୁର୍ଦ୍ଦଶୀ ଦିନ ଶିବ ଉତ୍‌ଥାନ ଯାତ୍ରା ଓ ବଡ଼ ଓଷା ଅନୁଷ୍ଠିତ ହୋଇଥାଏ। ବିଷ୍ଣୁ ପୁରାଣ ଅନୁସାରେ, କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଭଗବାନ ବିଷ୍ଣୁ ତାଙ୍କର ଦଶ ଅବତାରର ପ୍ରଥମ ଅବତାର ଧାରଣ କରିଥିଲେ । ଜଳ ପ୍ରଳୟ ସମୟରେ ସାରା ପୃଥିବୀ ଜଳମଗ୍ନ ହୋଇଯାଇଥିଲା। ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ସସସ୍ତଙ୍କୁ ରକ୍ଷା କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିବା ଯୋଗୁଁ ବୈଷ୍ଣବ ମତରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ସେହିପରି ଶୈବ ମତ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ସଂହାର କରିଥିଲେ ଭଗବାନ ଶିବ। ଯେଉଁଥିପାଇଁ ତାଙ୍କ ନାଁ ତ୍ରିପୁରାରୀ ରହିଛି । ମାସସାରା ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ବ୍ରତ ଉଦ୍‌ଯାପନ କରନ୍ତି ।

ଏହିଦିନ କଦଳୀପଟୁକା ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର।’ ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ। କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ, ଏହି ସମୟର ପବନର ଗତି ଯୋଗୁଁ ସେମାନଙ୍କ ଯାତ୍ରା ଅନୁକୂଳ ଥିଲା । ପୁଣି ଆଷାଢ଼ ମାସରେ ଫେରୁଥିଲେ । ସେଇ ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଥାଉ । ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବମାନ ଅନୁଷ୍ଠିତ ହୁଏ । ଏହିଦିନ ଡଙ୍ଗା ଭସାଇବା ପରେ ଲୋକେ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିଥାନ୍ତି। ଚତୁର୍ଦିଗରୁ ନାମ ସଂକୀର୍ତ୍ତନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁନାବେଶରେ ଦର୍ଶନ ଦେଇଥା’ନ୍ତି।

Leave A Reply

Your email address will not be published.