କାର୍ତ୍ତିକରେ ତୁଳସୀ ମାହାତ୍ମ୍ୟ

ତୁଳସୀ ବିଷ୍ଣୁଙ୍କର ପ୍ରିୟବତୀ। ସେ ବିଷ୍ଣୁଙ୍କ ସହିତ ସମାନ। କାର୍ତ୍ତିକ ବ୍ରତ ବିଷ୍ଣୁ ପୂଜା ହେତୁ, ତୁଳସୀଙ୍କର ଗୁରୁତ୍ୱ ଏ ମାସରେ ଅଧିକ। ତାଙ୍କ ପୂଜା ହିଁ ବିଷ୍ଣୁ ପୂଜା। ପୌରାଣିକ କଥା ଅନୁସାରେ, ତୁଳସୀଙ୍କ ପୂର୍ବଜନ୍ମର ନାମ ଥÒଲା ବୃନ୍ଦା। ଯାହାଙ୍କ ବିବାହ ସମୁଦ୍ର ଗର୍ଭରୁ ତଥା ଶିବଙ୍କ କ୍ରୋଧାଗ୍ନିରୁ ଜନ୍ମ ହୋଇଥିବା ଜଳନ୍ଧର ନାମକ ଏକ ରାକ୍ଷସ ସହ ହେଇଥିଲା। ବୃନ୍ଦା ଭଗବାନ ବିଷ୍ଣୁଙ୍କ ଭକ୍ତ ହେବାସହ ଜଣେ ପତିବ୍ରତା ସ୍ତ୍ରୀ ଥିଲେ, ତେଣୁ ଜଳନ୍ଧର ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗିଲା। ଜଳନ୍ଧରର ଅତ୍ୟାଚାରରେ ତିନିପୁର ଥରହର ହୋଇପଡ଼ିଲା।

ଜଳନ୍ଧରଠାରୁ ରକ୍ଷା ପାଇବା ପାଇଁ ଦେବଗଣ ଶ୍ରୀବିଷ୍ଣୁଙ୍କ ଶରଣ ପଶିଲେ। ଦେବତାଙ୍କ ଅନୁରୋଧକୁ ରକ୍ଷା କରି ବିଷ୍ଣୁ ଜଳନ୍ଧରର ରୂପ ନେଇ ବୃନ୍ଦାଙ୍କୁ ସ୍ପର୍ଶ କରିଥିଲେ। ବିଷ୍ଣୁଙ୍କ ସ୍ପର୍ଶ ମାତ୍ରକେ ବୃନ୍ଦାଙ୍କ ସତୀତ୍ବ ନାଶ ହେଲା ଓ ଜଳନ୍ଧର ଶକ୍ତି କମ୍‌ ହେବାକୁ ଲାଗିଲା ଏବଂ ମହାଦେବ ଜଳନ୍ଧରର ବଧ କରିଥିଲେ। ସତୀ ବୃନ୍ଦା ଏହା ଜାଣିପାରିଥିଲେ ଯେ, ତାଙ୍କ ଆରାଧ୍ୟ ବିଷ୍ଣୁ ତାଙ୍କ ସହିତ ଛଳନା କରିଛନ୍ତି। ଏହାପରେ ଶ୍ରୀବିଷ୍ଣୁ ନିଜର ପ୍ରକୃତ ସ୍ବରୂପରେ ଦର୍ଶନ ଦେଇଥିଲେ। ଶ୍ରୀବିଷ୍ଣୁ ଛଳ କରିଥିବାରୁ ବୃନ୍ଦା ବିଷ୍ଣୁଙ୍କୁ ଶିଳା ରୂପରେ ପଡ଼ି ରହିବାକୁ ଅଭିଶାପ ଦେଲେ।

ଏଥିସହିତ ପଢ଼ନ୍ତୁ

ତେଣୁ ସେଇଦିନଠାରୁ ବିଷ୍ଣୁ ଶିଳା ଆକାରରେ ଗଣ୍ଡୁକି ନଦୀର ତଟରେ ପଡ଼ି ରହିଲେ ଏବଂ ଶାଳଗ୍ରାମ ସ୍ୱରୂପରେ ପୂଜା ପାଇଲେ। ଏହା ଦେଖି ମା’ ଲକ୍ଷ୍ମୀ ବୃନ୍ଦାଙ୍କୁ ପ୍ରାର୍ଥନା କରିବାରୁ ସେ ତାଙ୍କ ଅଭିଶାପ ଫେରାଇ ନେଇଥିଲେ। ଅଭିଶାପ ଫେରାଇ ନେବା ପରେ ବୃନ୍ଦା ସତୀ ହୋଇଗଲେ ଏବଂ ତାଙ୍କ ଶରୀରର ଭସ୍ମରୁ ଏକ ବୃକ୍ଷ ସୃଷ୍ଟି ହେଲା। ଭଗବାନ ବିଷ୍ଣୁ ଏହି ବୃକ୍ଷର ନାମ ତୁଳସୀ ଦେଇଥିଲେ। ଏହା ସହ କହିଥିଲେ ଯେ, ଯେକୌଣସି ପ୍ରସାଦରେ ତୁଳସୀ ବ୍ୟବହାର ହୋଇ ନ ଥିଲେ ସେ ତାକୁ ଗ୍ରହଣ କରିବେ ନାହିଁ।

ଏହି କାରଣରୁ ଯେବେ ବିଷ୍ଣୁଙ୍କୁ ଭୋଗ ଲଗାଯାଏ, ସେଥିରେ ତୁଳସୀର ପତ୍ର ପକାଯାଏ। ଏହା ସହ ଭଗବାନ ବିଷ୍ଣୁ କହିଥିଲେ କି, ତାଙ୍କ ସ୍ବରୂପ ଶାଳଗ୍ରାମ ସହ ତୁଳସୀଙ୍କ ପୂଜା କରାଯିବ। ଏହି କାରଣରୁ କାର୍ତ୍ତିକ ଶୁକ୍ଳ ଦ୍ବାଦଶୀେର ଶାଳଗ୍ରାମଙ୍କ ବିବାହ ତୁଳସୀଙ୍କ ସହ କରାଯାଏ । ତୁଳସୀ ବିବାହ କରାଇବା, କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।

Leave a comment