ଜୟଶ୍ରୀଙ୍କ କଣ୍ଢେଇ ଘର: ବୋହୂବୋହୂକା ଖେଳରୁ ବିଦେଶ ଯାତ୍ରା

ଭୁବନେଶ୍ୱର: ଲୁପ୍ତପ୍ରାୟ ପାରମ୍ପରିକ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିବାରେ ସେ ଅହରହ ଲାଗି ପଡ଼ିଛନ୍ତି। ଏ ଦିଗରେ ଯୁବଗୋଷ୍ଠୀଙ୍କୁ ତାଲିମ ଦେବା ସହ ସମସାମୟିକ କଥାବସ୍ତୁକୁ ନେଇ ରାଜଧାନୀର ବସ୍ତିଠାରୁ ଆରମ୍ଭ କରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ବିଦେଶରେ ପହଞ୍ଚାଇବାର ପ୍ରୟାସରେ ଲାଗି ପଡ଼ିଛନ୍ତି। କଣ୍ଢେଇ ନାଚ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ‘କଣ୍ଢେଇ ଘର’ ନାମରେ ଏକ ଅନୁଷ୍ଠାନ ଗଠନ କରିଛନ୍ତି। ଯେଉଁଥିରେ ବିଭିନ୍ନ ପ୍ରକାରର କଣ୍ଢେଇ ସାଇତି ରଖିଛନ୍ତି। ସେମିତି ଜଣେ ଉଦ୍ୟୋଗୀ ମହିଳା ହେଲେ ଭୁବନେଶ୍ୱରର ଜୟଶ୍ରୀ ଦାସ।

ଛୋଟବେଳୁ ବୋହୂବୋହୂକା ଖେଳରୁ ଆରମ୍ଭ ହୋଇଛି ତାଙ୍କର ଏହି ଯାତ୍ରା। କଣ୍ଢେଇ ନାଚ ପାଇଁ କରିଛନ୍ତି କଣ୍ଢେଇ ଘର। ଜୟଶ୍ରୀ ଛୋଟ ବେଳୁ ନୃତ୍ୟ ଓ ସଙ୍ଗୀତ ସହିତ ଜଡ଼ିତ ଥିଲେ। କିନ୍ତୁ ୨୦୦୨ ମସିହାରେ ପ୍ରଥମେ କଣ୍ଢେଇ ନାଚ ଜଗତକୁ ଆସିଥିଲେ। ସେହିପରି ୨୦ରୁ ଊର୍ଦ୍ଧ୍ବ କଣ୍ଢେଇ ନାଟକ ଜୟଶ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ନେପାଳ ପ୍ରଭୃତିରେ ପ୍ରଦର୍ଶିତ ହୋଇଛି। ବିଭିନ୍ନ ଗ୍ରାମାଞ୍ଚଳରେ ସୂତା କଣ୍ଢେଇ ଓ ହସ୍ତ କଣ୍ଢେଇ ନାଟକ କରି ଜନ ସଚେତନତା ସୃଷ୍ଟି କରନ୍ତି। ହାତରେ ଆଙ୍ଗୁଠି ଦ୍ୱାରା ଓ ସୂତା ଦ୍ୱାରା ସେ କଣ୍ଢେଇ ନାଚ ପରିବେଷଣ କରନ୍ତି। କେତେବେଳେ ତାଙ୍କ ନାଟକରେ ବାଲ୍ୟବିବାହର କଥା ଥାଏ ତ ଆଉ କେତେବେଳେ ନାରୀ ନିର୍ଯାତନା, ଶୋଷଣ, ନାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଶିଶୁଶ୍ରମିକର ବାର୍ତ୍ତାକୁ ନେଇ କଣ୍ଢେଇ ନାଚରେ ପ୍ରଦର୍ଶିତ କରନ୍ତି। କେବଳ ସେତିକି ନୁହେଁ, ନାରୀ କଳାକାରଙ୍କୁ ନେଇ ୪୫ରୁ ଊର୍ଦ୍ଧ୍ବ ହସ୍ତ, ସୂତା ଓ କାଠି କଣ୍ଢେଇ ନାଚ ଫ୍ରାନ୍ସ, ଫିନ୍‍ଲାଣ୍ଡ, ନେପାଳ, ନରୱେ ଏବଂ ନେଦରଲାଣ୍ଡରେ ପରିବେଷଣ କରିଛନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସବୁଠାରୁ ବଡ଼କଥା ହେଉଛି ନିଜେ କଣ୍ଢେଇ ତିଆରି କରି ସେଗୁଡ଼ିକୁ ନାଚ କରାନ୍ତି। ଚିରା ଅବ୍ୟବହୃତ କାଗଜ ସଂଗ୍ରହ କରି ତାକୁ ପାଣିରେ ବତୁରାଇ ସେଥିରେ ମଣ୍ଡ ପ୍ରସ୍ତୁତ କରି କଣ୍ଢେଇ ତିଆରି କରୁଛନ୍ତି। ଏହାସହିତ ବେଲୁନ୍‍, ମେଥି, ମାଟି ଆଦିରେ ହସ୍ତ କଣ୍ଢେଇ ତିଆରି କରନ୍ତି। ବିଭିନ୍ନ ଅଞ୍ଚଳକୁ ଯାଇ ସେଠାକାର ପ୍ରସିଦ୍ଧ କଣ୍ଢେଇ ନାଚକୁ ଅନୁସରଣ କରି ଏ କଳାକୁ ବଞ୍ଚାଇରଖିବାକୁ ଚେଷ୍ଟା କରିଛନ୍ତି। ୨୦୦୫ ମସିହାରେ କଣ୍ଢେଇ ନାଟକ ପାଇଁ ‘କଣ୍ଢେଇ ଘର’ କରିଥିଲେ। କେବଳ ନିଜ ଭିତରେ ଏହି କଳାକୁ ସୀମିତ ନ ରଖି ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ କଣ୍ଢେଇ ନାଟକର କଳାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ପ୍ରଚେଷ୍ଟା ଜାରିରଖିଛନ୍ତି।

ଏସମ୍ପର୍କରେ ଜୟଶ୍ରୀ କୁହନ୍ତି, କଣ୍ଢେଇ ନାଚ ପାଇଁ କଣ୍ଢେଇ ତିଆରି କରି ମଞ୍ଚରେ ପରିବେଷଣ କରିବା ସହ ଦେଶବିଦେଶରେ ଏହାର ପ୍ରଚାରପ୍ରସାର ପାଇଁ ପ୍ରୟାସ ଜାରି ରଖିଛି। ଦିନକୁ ଦିନ ଏହି କଳାସଂସ୍କୃତି ଲୁପ୍ତ ପାଇଯାଉଥିବାବେଳେ ଏହାକୁ ବଞ୍ଚାଇ ରଖିବା ଆବଶ୍ୟକ ରହିଛି ବୋଲି ସେ ମତ ଦେଇଛନ୍ତି। ୧୯୯୮ ମସିହାରେ ‘ନାଟ୍ୟ ଚେତନା’ରେ ମଞ୍ଚ ନାଟକରେ ପ୍ରବେଶ କରିଥିଲେ। ପ୍ରଥମ ମହିଳା ହିସାବରେ ସେ ନାଟକ ଆରମ୍ଭ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସାଇକଲ୍‍ରେ ଯାଇ ସାଇକୋ ଥିଏଟର୍‍ ମାଧ୍ୟମରେ ନାଟକ ପରିବେଷଣ କରିଆସୁଛନ୍ତି ଜୟଶ୍ରୀ। ରାଜ୍ୟର ଏମିତି କୌଣସି ସ୍ଥାନ ନାହିଁ, ନାଟକ ପାଇଁ ତାଙ୍କର ସାଇକଲ୍‍ ଗଡ଼଼଼ିନଥିବ। ୩୦ରୁ ଊର୍ଦ୍ଧ୍ବ ସାଇକୋ ଥିଏଟର୍‍ ଓ ୧୫ଟି ମଞ୍ଚ ନାଟକରେ ଅଭିନୟ କରି ଶତାଧିକ ମଞ୍ଚରେ ତାକୁ ପରିବେଷଣ କରିପାରିଛନ୍ତି। ରାଜ୍ୟ ବାହାର ଏମିତିକି ନୂଆଦିଲ୍ଲୀ, ରାଜସ୍ଥାନ ଆଦି ଭଳି ରାଜ୍ୟରେ ମଞ୍ଚ ନାଟକ ପରିବେଷଣ କରି ପ୍ରଥମ ଓଡ଼ିଆ ଅଭିନେତ୍ରୀଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।

Leave a comment