କାମ କରୁନି ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ, ୨୦ ବର୍ଷ ଭିତରେ ଓଡ଼ିଶା ଜଙ୍ଗଲରୁ ହଜିଯିବେ କଲରାପତରିଆ ବାଘ

ଭୁବନେଶ୍ୱର : ଆସନ୍ତା ୨୦ ବର୍ଷ ଭିତରେ ଓଡ଼ିଶା ଜଙ୍ଗଲରୁ ହଜିଯିବେ କଲରାପତରିଆ ବାଘ। ଶିକାରୀମାନେ ଯେଭଳି ଭାବେ କଲରାପତରିଆ ବାଘକୁ ଟାର୍ଗେଟ୍‍ କରୁଛନ୍ତି ଏବଂ ହତ୍ୟା କରି ଚାଲାଣ କରିବା ସମୟରେ ଏସ୍‍ଟିଏଫ୍‍ ହାତରେ ଧରାପଡୁଛନ୍ତି, ସେଥିରୁ ବାଘବଂଶ ଲୋପ ହୋଇଯିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଗୋଟିଏ ପଟେ ଓଡ଼ିଶା ଜଙ୍ଗଲରୁ ବନ୍ୟଜନ୍ତୁ ଶୀକାର ବଢ଼଼ୁଥିବା ବେଳେ ବାଘ ଛାଲ ଓ ହାତୀଦାନ୍ତ ବିପୁଳ ପରିମାଣରେ ଜବତ ହେଉଛି। ହେଲେ ଏହାକୁ ରୋକିବା ଦିଗରେ କୌଣସି ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉନି।

ବିଭାଗର ଅପାରଗତା ଓ ନିଷ୍କ୍ରିୟତା ଯୋଗୁଁ ବନ୍ୟପ୍ରାଣୀ ଶିକାର ଲକ୍ଷ୍ୟରେ ଅପରାଧୀମାନେ ଅନାୟାସରେ ଘୂରି ବୁଲୁଛନ୍ତି। ଆଉ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଠିକ୍‍ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଯଦି ପୁଲିସ ଅପରାଧିକ ମାମଲା ବର୍ଷ ବର୍ଷ ଧରି ଚାଲି ପାରୁଛି, ତା’ର ତଦନ୍ତ କରାଯାଇ ପାରୁଛି, ମାମଲାର ଫଲୋଅପ୍‍ କରାଯାଇ ପାରୁଛି, ତେବେ ବନ୍ୟଜନ୍ତୁ ଅପରାଧ ମାମଲା କାହିଁକି ଦଣ୍ଡାଦେଶ ହେବା ଯାଏଁ ଯାଇ ପାରିବନି। ବନଖଣ୍ଡ ଅଧିକାରୀ ଓ ରେଞ୍ଜର ଭଳି ପାହ୍ୟାରେ ବସୁଥିବା ଅଧିକାରୀମାନେ ବନ୍ୟପ୍ରାଣୀ ଅପରାଧିକ ମାମଲାର ଚାର୍ଜସିଟ ଫାଇଲ୍‍ କରିଥା’ନ୍ତି। ତେଣୁ ସେମାନେ ଏସବୁ ମାମଲାର ତଦାରଖ କରିବା ଦରକାର। ଏଥିପାଇଁ କୌଣସି ରଣନୀତି ନୁହେଁ; ବରଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆବଶ୍ୟକ। ସେହିପରି ଅପରାଧିକ ମାମଲା ରୁଜୁ ହେଉଥିବା ବନାଞ୍ଚଳର ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କୁ ଏହା ଉତ୍ତର ଦାୟିତ୍ୱ ନ୍ୟସ୍ତ କରାଯିବା ଦରକାର।

ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୨୪୮ ଜଣଙ୍କୁ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଶିକାର ଅପରାଧରେ ଗିରଫ କରାଯାଇଛି; ହେଲେ ସେମାନଙ୍କ ଭିତରୁ ଜଣକୁ ହେଲେ ବି ଜେଲ୍‍ ଦଣ୍ଡାଦେଶ ହୋଇନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାଘ ଓ ହାତୀ ଶିକାର ଅପରାଧରେ ୩ରୁ ୭ ବର୍ଷ ଜେଲ୍‍ ଦଣ୍ଡାଦେଶର ନିୟମ ଥିଲେ ବି ଏ ଯାଏଁ ଜଣକୁ ହେଲେ ବି ବିଭାଗ ଦଣ୍ଡିତ କରି ପାରିନି। ବନ ବିଭାଗର ଅପାରଗତା ଓ ଖାମଖିଆଲି ମନୋଭବ ଯୋଗୁଁ ବନ୍ୟଜନ୍ତୁ ଅପରାଧୀମାନେ ଏକ ସପ୍ତାହ ଭିତରେ ଜାମିନରେ ମୁକୁଳି ଯାଉଛନ୍ତି। କ୍ରାଇମ୍‍ ବ୍ରାଞ୍ଚର ମିଳିତ ସହଯୋଗରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗତ ୫ ମାସ ଭିତରେ ପାଖାପାଖି ୧୫ଟି କଲରାପତରିଆ ବାଘ ଛାଲ ଜବତ କରିଥିବା ବେଳେ ୨୦୨୦ରୁ ଇତିମଧ୍ୟରେ ୨୫ଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏହାବାଦ୍‌ ବନ ବିଭାଗ ଦ୍ବାରା ଗତ ଦୁଇ ବର୍ଷ ଭିତରେ ପ୍ରାୟ ୨୫ଟି ବାଘଛାଲ ଜବତ କରାଯାଇଛି। ତେଣୁ ମୋଟାମୋଟି ଭାବେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୫୦ଟିରୁ ଊର୍ଦ୍ଧ୍ବ କଲରାପତରିଆ ବାଘ ହତ୍ୟା କରାଯାଇଥିବା ଜଣାପଡ଼ୁଛି। ଏପଟେ ରାଜ୍ୟ ସରକାର ୨୦୨୦-୨୧ରେ ମାତ୍ର ୩ଟି କଲରାପତରିଆ ବାଘ ଶିକାର ହୋଇଥିବା କହିଛନ୍ତି। ଯଦି ଏସ୍‍ଟିଏଫ୍‍ ଦ୍ୱାରା ଜବତ କଲରାପତରିଆ ବାଘ ଛାଲ ସଂଖ୍ୟାକୁ ଅନୁଶୀଳନ କରିବା, ତେବେ ରାଜ୍ୟରେ ଶିକାର ତୁଳନାରେ ଶିକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ଅନୁମାନ କରିହେବ। ଏହାସହ ରାଜ୍ୟରେ ବନ୍ୟଜନ୍ତୁ; ବିଶେଷ କରି ବାଘ ଓ ହାତୀ ଶୀକାରିଙ୍କ ସଂଖ୍ୟା ଯେ ବୃଦ୍ଧି ପାଇଛି ତାହା କହିହେବ।

ମିଳିଥିବା ସୂଚନା ଅନୁସାରେ, ୨୦୨୦ ମେ’ ୨୦ ରୁ ୨୦୨୧ ଏପ୍ରିଲ ଯାଏଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଦ୍ୱାରା ୧୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ୧୦ଟି ଜିଲ୍ଲାରୁ ଏସବୁ ବାଘ ଛାଲ ଜବତ କରାଯାଇଥିବା ବେଳେ ସର୍ବାଧିକ ନୟାଗଡ଼ରୁ ୪ଟି ନବରଙ୍ଗପୁରରୁ ୩ଟି, ମୟୂରଭଞ୍ଜରୁ ୩ଟି, ଖୋର୍ଦ୍ଧାରୁ ୨ଟି , ଢ଼େଙ୍କାନାଳରୁ ୨ଟି, ଗଞ୍ଜାମ, କନ୍ଧମାଳ, ମରଗଡ଼, ସମ୍ବଲପରୁ ଦେଓଗଡ଼ ଓ ନୂଆପଡ଼ାରୁ ଗୋଟିଏ ଲେଖାଏଁ ବାଘ ଛାଲ ଜବତ କରାଯାଇଥିଲା। ସେହିପରି ୨୦୨୧ ଅକ୍ଟୋବର ମାସରେ ଏସ୍‍ଟିଏଫ୍‍ କଳାହାଣ୍ଡି ଜିଲ୍ଲାରୁ ଏକାଥରକେ ୯ଟି କଲରାପତରିଆ ବାଘ ଛାଲ ଜବତ କରିଥିଲା।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁସାରେ, କଲରାପତରିଆ ବାଘ ସିଡ୍ୟୁଲ୍‍ ୧ ତାଲିକାଭୁକ୍ତ ଥିବାବେଳେ ଗତ ଦଶନ୍ଧି ଭିତରେ ରାଜ୍ୟରେ ପାଖାପାଖି ୧୫୦ରୁ ଅଧିକ କଲରାପତରିଆ ବାଘଙ୍କ ଶିକାର ସରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ ମସିହାରେ କରାଯାଇଥିବା ଲିଓପାର୍ଡ ସେନ୍‍ସନ୍‍ର ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୬୦ଟି କଲରାପତରିଆ ବାଘ ଥିବା ବେଳେ ଏବେ ଶିକାରୀଙ୍କ ସହଜ ଟାର୍ଗେଟ୍‍ ଯୋଗୁଁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ବାବଦରେ ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ନିକଟସ୍ଥ ଜନବସତି ଆଡକୁ ଚିତାବାଘମାନେ ମାଡ଼ି ଆସୁଥିବା ବେଳେ ଶିକାରୀମାନଙ୍କ ହାବୁଡ଼ରେ ପଡ଼ିଥା’ନ୍ତି। ପାରମ୍ପରିକ ଔଷଧ ପ୍ରସ୍ତୁତିରେ ସେମାନଙ୍କ ଚମଡ଼ା, ହାଡ଼, ଓ ଅନ୍ୟାନ୍ୟ ଅଂଶ ବ୍ୟବହାର କରାଯାଉଥିବା ବେଳେ ଶିକାରୀମାନେ ଏହାକୁ ନେଇ ଆନ୍ତର୍ଜାତିକ ବଜାରରେ ବିକ୍ରି କରିଥା’ନ୍ତି। ତେଣୁ ବେଳ ଥାଉ ଥାଉ ଏସବୁ ଅବାଧ ଶିକାରକୁ ରୋକିବା ପାଇଁ ଉଦ୍ୟମ ହେବା ଦରକାର।

Leave a comment