ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋର୍ଟ ନୁହେଁ ଗାଁ ପାଳଗଦା ମୂଳେ ବସିଲା ଅଦାଲତ, ଗାଁରେ ପହଞ୍ଚି ୪ ଅନାଥ ଶିଶୁଙ୍କୁ ନ୍ୟାୟ ଦେଲେ ବିଚାରପତି

ରାଜନଗର : କଥାରେ କଥାରେ ସମସ୍ତେ କୁହନ୍ତି ଭାରତୀୟ ଆଇନ ବ୍ୟବସ୍ଥା ବିଷୟରେ ନକହିବା ଭଲ। କାରଣ କୌଣସି ଗୋଟିଏ ମାମଲାର ସମାଧାନ ପାଇଁ କୋର୍ଟକୁ ଡେଇଁ ଡେଇଁ ଆପଣ ନୟାନ୍ତ ହୋଇଯିବେ କିନ୍ତୁ ମାମଲା ସମାଧାନ ହେବନି। ତାରିଖ ପରେ ତାରିଖ ଆପଣ କୋର୍ଟକୁ ଦୌଡିବେ ଆଉ ବିଚାରପତି ସବୁ ସମସ୍ୟାର ଶୁଣାଣି କରିବେ।  କିନ୍ତୁ କେବେ ଆପଣ ଶୁଣିଛନ୍ତି ଯେ ଖୋଦ୍ ବିଚାରପତିଙ୍କୁ କୋର୍ଟ ବାହାରେ ଗାଁରେ ପହଞ୍ଚି ମାମଲାର ଶୁଣାଣି ବା କୌଣସି ସମସ୍ୟାର ସମାଧାନ କରିବା କଥା । ବାସ୍ତବରେ ଏମିତି କିଛି ଘଟିଛି କେନ୍ଦ୍ରାପଡ଼ାରେ ଜିଲ୍ଲାର ରାଜନଗରରେ । ଖୋଦ୍ ବିଚାରପତି ଗାଁରେ ପହଞ୍ଚି ସମସ୍ୟା କଥା ବୁଝିଛନ୍ତି।

ଘଟଣାଟି ଏହିପରି ….ହାଇଦ୍ରାବାଦରେ ଦାଦନ ଖଟୁଥିବା ବେଳେ ବାପାଙ୍କୁ ଦୁର୍ବୁତମାନେ ମାରିଦେଲେ । ମାଆ ଜନ୍ମକଲା ଚାରି ଚାରିଟି ଶିଶୁଙ୍କୁ ଛାଡି ୬ମାସ ହେଲା କେଊଁଆଡେ ପଳାଇଛି । ଜନ୍ମକଲା ଚାରି ଶିଶୁଙ୍କୁ ମାଆ ଛାଡି ଚାଲିଯିବା ପରେ ଚାରି ଶିଶୁ ଅନାଥ ହୋଇଯାଇଛନ୍ତି । ଜେଜେବାପା ଓ ଜେଜେମାଆଙ୍କ ପାଖରେ ଚାରି ଶିଶୁ ରହୁଛନ୍ତି । ଏହି ୪ଶିଶୁଙ୍କ ଭବିଷ୍ୟତକୁ ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗାଁରେ ପହଁଚିଥିଲେ ବିଚାରପତି । ୪ଶିଶୁ, ତାଙ୍କର ବୁଢା ଜେଜେବାପା ଓ ଜେଜେମାଆଙ୍କ ସହ ସେମାନଙ୍କ ଅଭାବ ଅସୁବିଧା ଏବଂ ସମସ୍ୟା ସଂପର୍କରେ ବିଚାରପତି ପଚାରି ବୁଝିବା ସହ ସରକାରୀ ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଡକାଇ ୪ ଅନାଥ ଶିଶୁଙ୍କ ଭବିଷ୍ୟତ ପାଇଁ ଗାଁରେ ହିଁ ଫଇସଲା କରିଛନ୍ତି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଚାରପତି ସୁମିତ୍ରା ସାହୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଚାରିଘରିଆ ଗାଁରେ ପହଁଚିଥିଲେ । ଗାଁରେ ପହଁଚି ବାପାଙ୍କ ମୃତ୍ୟୁ ପରେ ୪ଜଣ ଛୋଟ ଛୋଟ ଶିଶୁଙ୍କୁ ମାଆ ଛାଡି କେଉଁଆଡେ ପଳାଇବା ଘଟଣାର ଟିକିନିଖ ପଚାରି ବୁଝିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଦଲ ଦାସଙ୍କୁ ଡାକି ଚାରି ପିଲାଙ୍କ ପାଇଁ କି କି ସରକାରୀ ସାହାଯ୍ୟ ଦେଇହେବ ସେ ନେଇ ପଚାରିଥିଲେ । ୪ ଶିଶୁ ଯେପରି ଭଲ ଭାବରେ ଚଳିପାରିବେ ଓ ଭବିଷ୍ୟତ ଗଢି ପାରିବେ, ତାର ବ୍ୟବସ୍ଥା କରିବା ପାଇଁ କହିଥିଲେ । ସରକାରଙ୍କ ମିଶନ ବାତ୍ସ୍ୟଲ୍ୟ ଯୋଜନା ଅନୁସାରେ ଏହି ପରିବାରର ଦୁଇ ଶିଶୁଙ୍କୁ ମାସିକ ୪ ହଜାର ଟଙ୍କା ହିସାବରେ ୮ ହଜାର ଟଙ୍କା ମିଳିବ । ବର୍ତମାନ ୨ ହଜାର ହିସାବରେ ୪ ହଜାର ଟଙ୍କା ମିଳିବ । ଏପ୍ରିଲ ପରେ ବକେୟା ଟଙ୍କା ମଧ୍ୟ ମିଳିବ । ତାଙ୍କ ରାସନକାର୍ଡରେ ମାତ୍ର ୨ଜଣଙ୍କୁ ୫ କେଜି ଲେଖାଏଁ ଚାଉଳ ମିଳୁଥିଲା । ସେମାନେ ସମସ୍ତେ କିପରି ରାସନ ସାମଗ୍ରୀ ପାଇବେ, ସେ ନେଇ ସେମାନଙ୍କ କାଗଜପତ୍ର ନିଆଯାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି । ଘଟଣା ସ୍ଥଳକୁ ସ୍ଥାନୀୟ ରିଟେଲରଙ୍କୁ ଡାକି ବିଚାରପତି କଥା ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ  ୪ଶିଶୁଙ୍କ ଜେଜେ ବ୍ରହ୍ମାନନ୍ଦ ବାରିକଙ୍କୁ ୬୪ ବର୍ଷ ହୋଇଥିଲେ ବି ସେ ଭତ୍ତା ପାଉନାହାଁନ୍ତି । ସେ ବ୍ୟାଙ୍କ ଅଫ୍‌ ବରୋଦାରେ ଆକାଉଣ୍ଟ ଖୋଲିଥିଲେ ବି ତାଙ୍କ ପାସବୁକ୍‌ ମିଳିନଥିବା କହିଥିଲେ । ଏଥିସହ ୪ମାସ ତଳୁ ସେ ଭତ୍ତା ପାଇଁ ଆବେଦନ କରିଥିଲେ ବି ଭତ୍ତା ପାଇନଥିବା କହିଥିଲେ । ବ୍ୟାଙ୍କ ଅଫ୍‌ ବରୋଦା ଚାନ୍ଦିବାଉଁଶମୂଳର ପରିଚାଳକଙ୍କ ସହ କଥା ହୋଇ ସଙ୍ଗେ ସଙ୍ଗେ ପାସ୍‌ ବୁକ୍‌ ପ୍ରଦାନ କରିଥିଲେ । ଘଟଣାସ୍ଥଳକୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କୁ ଡକାଇ ଏହି ୪ଶିଶୁଙ୍କ ଭବିଷ୍ୟତ ନେଇ ଆଲୋଚନା କରିଥିଲେ । ସେମାନେ ଭୂମିହୀନ ହୋଇଥିବାରୁ ସେମାନଙ୍କୁ ଘରଢିହ ଏବଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଚାରିପୋଖରିଆ ଗାଁର ଅମର ବାରିକ ହାଇଦ୍ରାବାଦରେ ଦାଦନ ଖଟନ୍ତି । ହାଇଦ୍ରାବାଦରେ ଦାଦନ ଖଟିବା ଭିତରେ ଭଲପାଇ ସେ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଦେଢବର୍ଷ ତଳେ ହାଇଦ୍ରାବାଦରେ ଅମରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଅମରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସତ୍ୟଭାମା ଓ ୪ ସନ୍ତାନ ଲକ୍ଷ୍ମୀପ୍ରିୟା (୯ବର୍ଷ), ଦେବୀକା (୭ବର୍ଷ), ଆରତୀ (୬ବର୍ଷ), ରୁଦ୍ରମୋହନ (୩ବର୍ଷ) ଗାଁକୁ ଆସି ରହିଥିଲେ । ୬ମାସ ତଳୁ ସତ୍ୟଭାମା ଚାରି ପିଲାଙ୍କୁ ଛାଡି କେଉଁଆଡେ ପଳାଇଛନ୍ତି । ମାଆ ୪ ସନ୍ତାନଙ୍କୁ ଅନାଥ କରି ଚାଲିଯିବା ପରେ ଛୋଟ ଛୋଟ ୪ ଶିଶୁ ଏବେ କିପରି ବଞ୍ଚିବେ, ସେ ନେଇ ସନ୍ଦିହାନରେ ଅଛନ୍ତି । ଚାରି ଶିଶୁଙ୍କ ଜେଜେବାପା ବ୍ରହ୍ମାନନ୍ଦ ବାରିକ (୬୪ବର୍ଷ) ଓ ଜେଜେମାଆ ମୁକ୍ତାମଣି ବାରିକ ପାଖରେ ଏବେ ୪ଶିଶୁ ଅଛନ୍ତି ।

Leave A Reply

Your email address will not be published.