ରାଜ୍ୟରେ ପୁଣି ୩ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ୩ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ। ବଲାଙ୍ଗୀର ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ ୭୫ ବର୍ଷୀୟ କୈଳାସ ଚନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ତଳେ କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଚିକିତ୍ସିତ ହେବା ପରେ ସେ ଅସୁସ୍ଥତା କାରଣରୁ ଘରେ ଥିଲେ । ଆଜି ସକାଳ ୫ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜଣେ ପରୋପକାରୀ ବରିଷ୍ଠ ସାମ୍ବାଦିକ ଭାବେ ସେ ପାଟଣାଗଡ଼ ଅଂଚଳରେ ବେଶ୍‌ ଜଣାଶୁଣା । ପାଟଣାଗଡ଼ ଅଂଚଳରେ ଜଣେ ଦକ୍ଷ ସାମ୍ବାଦିକ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଏକ ଦୈନିକ ଖବର କାଗଜରେ ପ୍ରାୟ ୧୮ବର୍ଷ ଧରି କାର୍ଯ୍ୟ କରିବା ପରେ ଗତ ଜାନୁଆରୀ ମାସରେ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ।

ସେହିପରି ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ମୃତ୍ୟୁବରଣ ହୋଇଛି। ଆଜି ସକାଳ ସମୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଏହି ଖବର ପାଇବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସେହିପରି ଯାଜପୁର ଜିଲ୍ଲାରେ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ତାଙ୍କ ନାଁ ରତିକାନ୍ତ ବଳ । ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗାଁରେ। ୩୮ ବର୍ଷୀୟ ରତିକାନ୍ତ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ। ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମମେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧାବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା। ରତିକାନ୍ତ ଏବେ ଏକାମ୍ର ଟିଭିରେ କାର୍ୟ୍ୟରତ ଥିଲେ ।

Leave a comment