ଚୀନକୁ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ଚେତାବନୀ : ବିବାଦ ଆମେ ଚାହୁଁନୁ, ଆମ ସହ ଲାଗିଲେ ଛାଡିବୁନି…..

ୱାଶିଂଟନ୍ : ଚାଇନକୁ ଆାମରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁଣାଇଛନ୍ତି କଠୋର ଚେତାବନୀ। ଚୀନ ଆମେରିକାର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଆମେରିକା କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ। କିନ୍ତୁ ଯଦି ଚୀନ ଆମେରିକା ସହ ଲାଗିବ ତେବେ ଆମେରିକା ଛାଡିବ ନାହିଁ। ଉଚିତ ଜବାବ ଦେବା ଆମେରିକାକୁ ଭଲ ଭାବେ ଜଣା ବୋଲି ବାଇଡେନ୍ କହିଛନ୍ତି।
ଆମେରିକା ‘କ୍ୟାପିଟଲ୍ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ କରି ମଙ୍ଗଳବାର ରାତିରେ ‘ଷ୍ଟେଟ୍ ଅଫ୍ ୟୁନିୟନ୍’ରେ ଉଦ୍ବୋଧନ ଦେବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି। କରୋନାଭାଇରସ୍ ମହାମାରୀ ସତ୍ବେ ଦେଶର ପ୍ରଗତିକୁ ପ୍ରଶଂସା କରି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଦୁଇ ବର୍ଷ ତଳେ, କୋଭିଡ୍ ଆମ ବ୍ୟବସାୟ ବନ୍ଦ କରିଦେଇଥିଲା, ଆମ ସ୍କୁଲ୍ ବନ୍ଦ କରି ଦେଇଥିଲା ଏବଂ ଆମଠାରୁ ବହୁତ କିଛି ଲୁଟି ନେଇଥିଲା। ଆଜି କୋଭିଡ୍ ଆଉ ଆମ ଜୀବନକୁ ନିୟନ୍ତ୍ରଣ କରୁନାହିଁ। ଗୃହଯୁଦ୍ଧ ପରଠାରୁ ଦୁଇ ବର୍ଷ ପୂର୍ବେ ଆମ ଗଣତନ୍ତ୍ର ସବୁଠୁ ବଡ଼ ବିପଦର ସମ୍ମୁଖୀନ ହୋଇଥିଲା। କ୍ଷତବିକ୍ଷତ ହୋଇଥିଲେ ସୁଦ୍ଧା ଆଜି ଆମ ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି। ଆମେ ୧୨ ନିୟୁତ ନୂଆ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି। ଏତେ ଅଧିକ କର୍ମନିଯୁକ୍ତି ୪ ବର୍ଷରେ କୌଣସି ରାଷ୍ଟ୍ରପତି ସୃଷ୍ଟି କରିପାରି ନାହାନ୍ତି।
ଆମେରିକା ଉପରେ ଚାଇନା ଗୁପ୍ତଚର ବେଲୁନ୍ ଉଡିବା
ଆମେରିକା ଆକାଶରେ କିଛି ଦିନ ଉଡିଥିଲା ଚାଇନାର ଏକ ସ୍ପାଏ ବେଲୁନ। ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିବା ସହ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିଲା। ସେହି ଘଟଣାକୁ ନେଇ ମଙ୍ଗଳବାର ଆାମରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ‘ ଯଦି ଚୀନ ବିଶ୍ବକୁ ଲାଭ ପହଞ୍ଚାଇବା ଏବଂ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖି କାମ କରିବ ତେବେ ମୁଁ ମୁଁ ଚୀନ୍ ସହିତ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆମେ ରୋକ୍ଠୋକ୍ ଜଣାଇଦେଉଛି କି ଯଦି ଆମ ସାର୍ବଭୌମତ୍ବ ପ୍ରତି ବିପଦ କରିବାକୁ ଚୀନ ଚେଷ୍ଟା କରିବ ତେବେ ଆମେ ଆମ ଦେଶର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବୁ।
‘ଆମେ ପ୍ରତିଯୋଗିତା ଚାହୁଁ, ବିବାଦ ନୁହେଁ’
ଭାଷଣରେ ଚାଇନାକୁ ବାରମ୍ବାର ଉଲ୍ଲେଖ କରି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଚାଇନା ତାର ଶକ୍ତି ବୃଦ୍ଧି କରୁଛି। ଯାହାର ପ୍ରଭାବ ଆମେରିକା ଉପରେ ପଡୁଛି। ମୁଁ ଚୀନ ରାଷ୍ଟ୍ରପତିଙ୍କୁ ସ୍ପଷ୍ଟ ଭାବେ ଜଣାଇଦେବାକୁ ଚାହୁଁଛି କି ଆମେରିକା ସହ ପ୍ରତିଯୋଗୀତା କର କିନ୍ତୁ ବିବାଦ କରନି। କାରଣ ଏହା ବହୁ ଭୟଙ୍କର ହୋଇପାରେ ବୋଲି ବାଇଡେନ୍ କହିଛନ୍ତି।