ଦେଶର ୧୦୦୦ ସହରରେ ୫ଜି ସେବା ପାଇଁ ଜିଓ ପ୍ରସ୍ତୁତ

ଭୁବନେଶ୍ୱର : ରିଲାଏନ୍ସ ଜିଓ ଦେଶର ୧୦୦୦ଟି ସହରରେ ୫ଜି ସେବାର ଶୁଭାରମ୍ଭ ଲାଗି ପ୍ରସ୍ତୁତ। କମ୍ପାନୀ ଏହାର ୫ଜି ନେଟ୍‌ୱର୍କରେ ସ୍ୱାସ୍ଥ୍ୟ ସେବା ଓ ଶିଳ୍ପ ଅଟୋମେସନର ପରୀକ୍ଷଣ କରୁଛି। ୫ଜି ନେଟ୍‌ୱର୍କରେ ଅଧିକ ଡାଟା ଖର୍ଚ୍ଚ ହୁଏ, ତେଣୁ କମ୍ପାନୀ ଅଧିକ ଡାଟା ବ୍ୟବହାର ହେଉଥିବା ଅଞ୍ଚଳ ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ଲାଗି ହିଟ୍ ମ୍ୟାପ୍‌ସ, ୩ଡି ମ୍ୟାପ୍‌ସ ଓ ରେ-ଟ୍ରେସିଂ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରୁଛି। ଏହାଦ୍ୱାରା ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ଏକ ଦୃଢ଼ ନେଟ୍‌ୱର୍କ ପ୍ରସ୍ତୁତ କରାଯାଇପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣାରୁ ଏହି ତଥ୍ୟ ଜଣାପଡିଛି।

ଗ୍ରାହକ ଆଧାରିତ ୫ଜି ସମାଧାନ ବିକଶିତ କରିବା ଲାଗି ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯାଇଛି। ସେମାନେ ଯେଭଳି ବିଭିନ୍ନ ପ୍ରକାରର ୫ଜି ସମାଧାନ ବିକଶିତ କରିପାରିବେ ସେଥିପାଇଁ ସେମାନଙ୍କୁ ଭାରତ ସହିତ ଆମେରିକାରେ ମଧ୍ୟ ମୂତୟନ କରାଯାଇଛି। କମ୍ପାନୀର ଏହି ବିଶ୍ୱାସ ରହିଛି ଯେ, ଏହି ଟିମ୍ଗୁଡିକ ଏଭଳି ୫ଜି ସମାଧାନ ପ୍ରସ୍ତୁତ କରିବ ଯାହା ବୈଷୟିକ ଦୃଷ୍ଟିକୋଣରୁ ବିଶ୍ୱସ୍ତରର ସମକକ୍ଷ ରହିବ କିମ୍ବା ତା’ଠାରୁ ଅଧିକ ଉନ୍ନତ ହେବ। ଏହା ବ୍ୟତୀତ କମ୍ପାନୀ ୟୁରୋପରେ ଏକ ପ୍ରଯୁକ୍ତି ଟିମ୍ ଗଠନ କରିଛି ଯାହା ୫ଜି ପରବର୍ତ୍ତୀ ବ୍ୟବସ୍ଥା ପ୍ରସ୍ତୁତ କରିବା କାର୍ଯ୍ୟ କରିବ। ୫ଜିକୁ ଶୀଘ୍ର ମୂତୟନ କରିବା ଲାଗି କମ୍ପାନୀ ପକ୍ଷରୁ ଭିତିଭୂମି ଢ଼ାଞ୍ଚାକୁ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି। ସାଇଟ୍‌ଗୁଡ଼ିକରେ ଫାଇବର୍ ଓ ବିଦ୍ୟୁତ ଉପଲବ୍ଧତାକୁ ବୃଦ୍ଧି କରାଯାଉଛି। ଏହା ଦ୍ୱାରା ଯେତେବେଳେ ୫ଜି ପ୍ରଚଳନ କରିବାର ସମୟ ଆସିବ ସେଥିରେ କୌଣସି ବିଳମ୍ବ ବା ସମସ୍ୟା ହେବ ନାହିଁ ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଫଳାଫଳ ଅନୁଯାୟୀ ରିଲାଏନ୍ସ ଜିଓର ହାରାହାରି ଗ୍ରାହକ ପିଛା ରାଜସ୍ୱ (ଆର୍‌ପୁ) ବୃଦ୍ଧି ପାଇ ପ୍ରତି ଗ୍ରାହକ ପିଛା ପ୍ରତି ମାସିକ ହାରାହାରି ୧୫୧.୬ ଟଙ୍କା ହୋଇଛି। ପ୍ରତି ଗ୍ରାହକ ପିଛା ମାସିକ ଭଏସ୍ ଓ ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ମାସକୁ ହାରାହାରି ୧୮.୪ ଜିବି ଡାଟା ବ୍ୟବହାର କରୁଛନ୍ତି ଓ ୯୦୧ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତ୍ତା ହେଉଛନ୍ତି। ଜିଓର ମୋଟ ଗ୍ରାହକ ସଂଖ୍ୟା ଏବେ ପ୍ରାୟ ୪୨ କୋଟି ୧୦ ଲକ୍ଷ ପାଖାପାଖି ରହିଥିବାବେଳେ ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିବା ସହ ଦୃତ ଗତିରେ ବୃଦ୍ଧିପାଉଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

Leave a comment