ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପାଙ୍କ ପରେ ଦଳ ମୋ ଉପରେ ଭରସା କରିଛି, ଆମେ ବହୁ ଭୋଟରେ ଜିତିବୁ : ଦୀପାଳି ଦାସ

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମ ଘୋଷଣା ପରେ ଶନିବାର ଦୀପାଳି ଦାସ  ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି। ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ। ବାପାଙ୍କ ପରେ ଦଳ ମୋ ଉପରେ ଭରସା କରିଛି ତାକୁ ନେଇ ମୁଁ ବହୁତ୍ ଖୁସି। ଏଠାରେ ଆମେ ଝାରସୁଗୁଡାରେ ବହୁ ଭୋଟରେ ଜିତିବୁ। କାରଣ ବାପାଙ୍କ ପ୍ରତି ଥିବା ଜନସାଧାରଣଙ୍କ ଭଲ ପାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରା ସବୁବେଳେ ଲୋକଙ୍କ ହିତ କରିଛି। ଏଣୁ ଆମେ ଆଶାବାଦୀ ଯେ ବହୁ ଭୋଟରେ ବିଜୟୀ ହେବୁ ବୋଲି କହିଛନ୍ତି।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଝାରସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଗତ ୨୯ ତାରିଖ ଅର୍ଥାତ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିବା ପରେ ୪୮ ଘଣ୍ଟା ମଧ୍ୟରେ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ଗତକାଲି ତାର ପ୍ରାର୍ଥୀ ଘୋଷଣା କରିଥିଲା। କାଲି ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦୀପାଳି ମଧ୍ୟ କହିଥିଲେ ‘ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ’ ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ପାଖରେ ପହଞ୍ଚାଇବି।ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ଏହି ଉପନିର୍ବାଚନ ବିପୁଳ ଭୋଟରେ ଜିତିବୁ। ମୋ ବାପା ଝାରସୁଗୁଡାକୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ  ତାହା ସବୁ ପୂରଣ ପାଇଁ ଚେଷ୍ଟା କରିବି ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି। କାରଣ ଦୀପାଳି ଦାସଙ୍କୁ ଟକ୍କର ଦେଲା ଭଳି ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ପୂର୍ବ ୨୦୧୯ ନିର୍ବାଚନରେ ବିଜେଡିର ଟାଣୁଆ ନେତା ଦୃଢ ସଙ୍ଗଠନ ସ୍ବର୍ଗତ ନବ କିଶୋର ଦାସ ବଡ଼ ବିଜୟ ହାସଲ କରିଥିଲେ। ତାଙ୍କ ଅବର୍ତ୍ତମାନରେ ହେଉଥିବା ଉପନିର୍ବାଚନରେ ଝାରସୁଗୁଡା ବାସୀ ପୁଣିଥରେ ବିଜେଡିକୁ ହିଁ ବିଜୟ ଦେବେ ବୋଲି ବିଜେଡି ନେତାମାନେ କହିଛନ୍ତି।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ଗତ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଝାରସୁଗୁଡା ଉପନିର୍ବାଚନ ନେଇ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଉଲ୍ଲେଖଯୋଗ୍ୟ  ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୧ ହଜାର ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ଓ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ରହିଛନ୍ତି। ଏଥିରେ କିରିମିରା, ଲଇକେରା, କୋଲାବିରା ବ୍ଲକ, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ। ଏଥି ସହିତ ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରଷଦ ଓ ପୌର ନିର୍ବାଚନରେ ଝାରସଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି। ଏଣୁ ଉପନିର୍ବାଚନରେ ମଧ୍ୟ ବିଜେଡି ବିପୁଳ ଭୋଟରେ ବାଜିମାତ୍‌ କରିବ ବୋଲି ରାଜନୈତିକ ସମୀକକ୍ଷ ମାନେ ମତ ଦେଇଛନ୍ତି।

Leave A Reply

Your email address will not be published.