ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲର ଆକର୍ଷଣ ବଢାଉଛି ‘ଝାର୍‌ ଖଜୁର୍’ : ପାଚିଲେ କଳା ହେଲେ ପାଟିକୁ ସୁଆଦିଆ

ସୋନପୁର : ବଣ ଜଙ୍ଗଲ ଘେରା ସୁବର୍ଣ୍ଣପୁର ଜିଲ୍ଲା। ଏଠି ବିଭିନ୍ନ ସମୟରେ ମିଳିଥାଏ ସୁଆଦିଆ ଋତୁକାଳୀନ ଫଳ। ଏବେ ଜଙ୍ଗଲିଆ ଅଞ୍ଚଳକୁ ବୁଲିବାକୁ ଗଲେ ମନ ମୋହୁଛି ଝାର୍‌ ଖଜୁର୍ ବା ଜଙ୍ଗଲୀ ଖଜୁରୀ। ଛୋଟ ଛୋଟ ଖୁଜୁରୀ ବୁଦାରେ ପେନ୍ଥା ପେନ୍ଥା ଝାର୍ ଖଜୁର୍। ଯେଉଁ ଗୁଡିକ ପାଚି ଯାଇଛି କଳା ମଚ ମଚ ଦେଖା ଯାଉଛି। ରଙ୍ଗରେ କଳା ଦେଖା ଯାଉଥିଲେ ମଧ୍ୟ ଏହା ଖୁବ୍ ସୁଆଦିଆ। ତେବେ ଯେଉଁ ଝାର୍ ଖଜୁର୍ ପେନ୍ଥା ଅଛି ତାହା ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର। ଏହା ଅଙ୍ଗୁର ପେନ୍ଥା ଭଳି ଦେଖା ଯାଉଛି। ଏବେ ପତ୍ର ତୁଳା ସମୟ ଚାଲି ଥିବାରୁ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଆଣନ୍ତି ପତ୍ର ତୋଳାଳି ମାନେ। ଘରେ ଥିବା ଶିଶୁ ମାନେ ଅପେକ୍ଷା କରି ରହିଥାନ୍ତି କେତେ ବେଳେ ତାଙ୍କ ପାଇଁ ଜଙ୍ଗଲରୁ ଆସିବ ଝାର୍‌ ଖଜୁର୍। ଏହି ସୁଆଦିଆ ଜଙ୍ଗଲ୍ ଜାତ ଫଳ କିଛି ଦେଇ ଦେଲେ ତାଙ୍କ ମନ ଖୁସି ହୋଇଯାଏ। ସାବିତ୍ରୀ ଅମାବାସ୍ୟା ପାଇଁ ଏହାର ଚାହିଦା ଦ୍ୱିଗୁଣିତ ହୋଇ ଯାଇଛି।

ବୈଶାଖ ଅଧାର ଜୈଷ୍ଠ ଅଧା ଯାଏଁ ବିଭିନ୍ନ ଜଙ୍ଗଲରେ ଫଳିଥାଏ ଏହି ଖଜୁରୀ। ପ୍ରତିବର୍ଷ ବିଭିନ୍ନ ଜଙ୍ଗଲିଆ ଗାଁର ଅଧିବାସୀ ମାନେ ସୋନପୁରକୁ ଏଭଳି ଖଜୁରୀ ବିକ୍ରି କରି ଆଣନ୍ତି। ଖଜୁରୀ, ଚାର, ଜାମୁ କୋଳି ବିକ୍ରି କରି ଭଲ ରୋଜଗାର ମଧ୍ୟ କରିଥାନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ଚଳିତ ବର୍ଷ ସହରରେ ମିଳୁନି ଏହି ସୁଆଦିଆ ଫଳ। ସୋନପୁର ନିବାସୀ ମନୋଜ ବାରିକ କହିଛନ୍ତି ବିଭିନ୍ନ ଗାଁରୁ ଚଳିତ ବର୍ଷ ଏହି ଫଳ ବିକ୍ରି ଆସୁନଥିବାରୁ ଖାଇବାକୁ ମିଳୁନାହିଁ। ତେବେ ବର୍ଷ ସାରା ବଡ ଖଜୁରୀ ଫଳ ଦୋକାନରେ ଉପଲବ୍ଧ ହେଉଥିବା ବେଳେ ଝାର୍‌ ଖଜୁର୍ କେବଳ ଏହି ସମୟରେ ମିଳିଥାଏ। ତେଣୁ ଏହା ଖାଇବା ପାଇଁ ଲୋକଙ୍କ ଆଗ୍ରହ ବେଶୀ।

Leave A Reply

Your email address will not be published.