ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟନାରାୟଣ ମିଶ୍ର ଦେଖାଇଦେଲେ ଓଡ଼ିଶା ବିଜେପି ନାରୀଙ୍କୁ କେମିତି ସମ୍ମାନ ଦିଏ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର : ଓଡ଼ିଶା ରାଜନୀତିକୁ କଳଙ୍କିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନେତା କାହାକୁ ବଳିଯିବେ ନାହିଁ । ଗୋଟିଏ ପରେ ଗୋଟିଏ କୁତ୍ସିତ ଅଧ୍ୟାୟ ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଆରମ୍ଭ କରୁଛି ବିଜେପି । ଓଡ଼ିଶା ବିଜେପି ରାଜ୍ୟର ଭବିଷ୍ୟତ ପିଢ଼ୀଙ୍କୁ ହିଂସା ଓ ଅପରାଧର ରାଜନୀତି ଶିଖାଉଛନ୍ତି । ଆଜି ସମ୍ବଲପୁରରେ ଆନ୍ଦୋଳନ ନାମରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ ତଥା ଅସଦାଚରଣ କଲେ ତାକୁ ସାରା ରାଜ୍ୟରେ ନନ୍ଦା କରାଯାଉଛି। ବିରୋଧୀ ଦଳର ନେତା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଶାରୀରିକ ଆକ୍ରମଣ ସହିତ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରାଜ୍ୟ ବିଜେପି ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଛି।

ଜୟନାରାୟଣଙ୍କ ଏପରି କାର୍ଯ୍ୟକଳାପକୁ ରାଜ୍ୟର ବିଭିନ୍ନ ଦଳ ନିନ୍ଦା କରୁଥିବା ବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି ଏହି ଘଟଣାକୁ କଡା ନିନ୍ଦା କରିବା ସହ ଓଡ଼ିଶାବାସୀ ବିଜେପିର ଅସଲ ଚେହେରା ଦେଖଛନ୍ତି ବୋଲି କହିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳା ପୁଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରୁଥିବାର ଏକ ଭିଡିଓ ଟ୍ବିଟରେ ପୋଷ୍ଟ କରି ପ୍ରଣବ ପ୍ରକାଶ ଦାସ ଲେଖିଛନ୍ତି ‘ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ।’


ପ୍ରଣବ ଆହୁରି ମଧ୍ୟ ଲେଖିଛନ୍ତି ‘ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଜୟନାରାୟଣ ମିଶ୍ରଙ୍କ ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ। ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ।’ ଏଥି ସହିତ ପ୍ରଣବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଲ୍ଲେଖ କରି କହିଛନ୍ତି ‘ଭାଇ-  ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶାବାସୀ ଏହା ଆପଣଙ୍କଠୁ ଆଶା ରଖୁଛନ୍ତି।’


ଅନ୍ୟପଟେ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ଧନୁପାଲି ଥାନାରେ ତାଙ୍କ ନାମରେ ସଙ୍ଗୀନ୍‌ ଦଫାରେ ମାମଲା ରୁଜୁ କରାଯାଇଛି । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ଭଳି ଦଫା ଲାଗିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪, ସରକାରୀ କର୍ମଚାରୀଙ୍କ କାମରେ ବାଧା ପହଞ୍ଚାଇବା ପାଇଁ ୩୫୩ । ଧମକ ଦେବା, ଅପରାଧିକ ଷଡ଼ଯନ୍ତ୍ର କରିବା ପାଇଁ ୫୦୬, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଶାରିରୀକ ଆଘାତ ପହଞ୍ଚାଇବା ପାଇଁ ୩୩୨, ଅଶାଳୀନ ଭାଷା ପ୍ରୟୋଗ ପାଇଁ ୫୦୦ ଓ ୨୯୪ ଓ ବେଆଇନ ଭାବେ ଅଟକ ରଖିବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ୩୪୧ ଦଫା ।

ଅନିତା ପ୍ରଧାନଙ୍କ ଏତଲା ଅନୁସାରେ ଅପରାହ୍ମ ୨ଟାରେ ବିଜେପିର ଆନ୍ଦୋଳନ ସରିବା ବେଳକୁ ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମୋ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଲେ । ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ ଏବଂ ଗାଳିଗୁଲଜ ସହ ତତେ ଦେଖିଦେବି, ଥାନା ପୋଡିଦେବି ଏବଂ ତତେ ସସପେଣ୍ଡ କରିଦେବି ବୋଲି ଧମକ ଦେଇଥିଲେ । ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡା ମାରିଥିଲେ । ଜଣେ ମହିଳା ପୋଲିସ ଅଧିକାରୀ ହିସାବରେ ଜୟନାରାୟଣଙ୍କ କାର୍ଯ୍ୟ ମୋତେ ଅପମାନିତ କରିଛି । ସର୍ବସାଧାରଣ ସ୍ଥାନରେ କର୍ତ୍ତବ୍ୟରତ ଥିବାବେଳେ କେବଳ ମୋ ଇଜ୍ଜତରେ ଆଞ୍ଚ ଆଣିଲେ ନାହିଁ ବରଂ ଡ୍ୟୁଟି କରିବାରେ ବାଧା ଦେଇଥିଲେ । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଆଇଆଇସି ଅନୀତା ପ୍ରଧାନ ଟାଉନ ଥାନାରେ ଏତଲାରେ ଅନୁରୋଧ କରିଛନ୍ତି ।

ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ

ପ୍ରତିବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ପୁଲିସ ନିର୍ଦ୍ଦେଶକୁ ବେଖାତିର କରି ମାରଣାସ୍ତ୍ର ଧରି ପ୍ରଦର୍ଶନ କରିବା ନେଇ ଶ୍ରୀ ମିଶ୍ର ଅନେକ ହଙ୍ଗାମା କରିଛନ୍ତି । ତେବେ ପୁଲିସ ଉପରେ ତାଙ୍କର ସତେ ଯେପରି ବଡ଼ ରାଗ ରହିଛି । ଖଣ୍ଡା ବୁଲାକୁ ବିରୋଧ କରିବାରୁ ଶ୍ରୀ ମିଶ୍ର ଜିଲ୍ଲା ଏସ୍‌ପିଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ବରଗଡ଼ ଉପ ନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଏବଂ ତାଙ୍କ ସମର୍ଥକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ମାମଲାରେ ଶ୍ରୀ ମିଶ୍ର ଛନ୍ଦି ହୋଇଛନ୍ତି । ୨୦୨୦ ମସିହାରେ ଜୁଲାଇ ମାସରେ କୋଭିଡ୍‌ ନିୟମ ଭଙ୍ଗ କରି ଶୋଭାଯାତ୍ରା କରିବା ଅଭିଯୋଗରେ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ୨୦୧୬ ମସିହାରେ ତକ୍ରାଳନୀ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କ କାର୍‌କେଡ୍‌କୁ ପିଛା କରୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଅଟକାଇବାରୁ ସେ ହୀରାକୁଦ ଥାନା ଆଇଆଇସି ତୋଫାନ ବାଗ୍‌ଙ୍କୁ ଠେଲା ପେଲା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ୨୦୧୩ରେ ଜଣେ ଡିଏସ୍‌ପିଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ମଧ୍ୟ ଶ୍ରୀ ମିଶ୍ର ଏବଂ ତାଙ୍କ ସମର୍ଥକଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।

ଗତବର୍ଷ ଜଣେ ତହସିଲଦାରଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାରୁ ତାଙ୍କ ନାମରେ ମାମଲା ରହିଛି । ଏସବୁ ଘଟଣା ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ତାଙ୍କର ଅସମ୍ମାନ ତଥା ଅସହିଷ୍ଣୁତାକୁ ସ୍ପଷ୍ଟ କରୁଛି । କେବଳ ବାହାରେ ନୁହେଁ ବିଧାନସଭା ଭିତରେ ବି ଶ୍ରୀ ମିଶ୍ର ହଙ୍ଗାମା କରିବାର ଅନେକ ନଜୀର ରହିଛି । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଜଣେ ପୁଲିସ କର୍ମଚାରୀ ଅଭିଯୁକ୍ତ ହେବା ପରେ ଶ୍ରୀ ମିଶ୍ର ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଫେରାଇ ଦେଇଥିଲେ । ସମଗ୍ର ପୁଲିସ ପ୍ରଶାସନ ପ୍ରତି ଏହା ଅପମାନ ହୋଇଥିବାରୁ ରାଜ୍ୟ ସିପାହୀ ସଂଘ ବିରୋଧୀ ଦଳ ନେତାଙ୍କୁ ତିବ୍ର ଭର୍ସନା କରିବା ସହିତ କ୍ଷମା ପ୍ରାର୍ଥନା ଦାବି କରିଥିଲା ।

ଅନ୍ୟପଟେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି, ମୁଁ ମୋ ଜୀବନକାଳ ମଧ୍ୟରେ କୌଣସି ରାଜନେତାଙ୍କର ଏପରି ଆଚରଣ ଦେଖି ନାହିଁ । ଜଣେ ପୁଲିସ କର୍ମଚାରୀ ଆଇନ୍‌ ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣାସ୍ଥଳରେ ଛିଡ଼ା ହୋଇଥାଏ । କିନ୍ତୁ ଜଣେ ରାଜନେତା ହୋଇ ମଧ୍ୟ ତାଙ୍କୁ ଆକ୍ରମଣ କରିବା, ଥାନା ପୋଡ଼ି ଧମକ ଦେବା, ଅଶାଳୀନ ମନ୍ତବ୍ୟ ଦେବା ଶୋଭା ପାଏ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଳାର ସାଧାରଣ ମହିଳାମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଣେ ମହିଳ ଭାବେ ଆମେ ଏହି ଘଟଣାକୁ କେବେ ଗ୍ରହଣ କରିପାରୁ ନାହୁଁ । ଜଣେ ମହିଳା ନିଜ ପରିବାରକୁ ଛାଡ଼ି ରାସ୍ତାରେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ସେ କୌଣସି ଭୂଲ୍‌ କିମ୍ବା ଅନୁଚିତ କାର୍ଯ୍ୟ କରି ନାହାନ୍ତି । ତାଙ୍କୁ ଆକ୍ରମଣ କରିବା, ଗାଳି ଗୁଲଜ କରିବା, ଧମକ ଦେବା ସଭ୍ୟ ସମାଜ କେବେ ବରଦାସ୍ତ କରିବ ନାହିଁ ।

Leave A Reply

Your email address will not be published.