ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢିଲା ଜୟନାରାୟଣ ମିଶ୍ରଙ୍କ ଅଡୁଆ : ଆସନ୍ତା ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥାଇ ଜାମିନରେ ଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଡ଼ୁଆ ବଢ଼଼ିବାରେ ଲାଗିଛି। ୨୦୧୮ ମସିହା ବିଜେପୁର ଉପନିର୍ବାଚନ ସମୟରେ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜାମିନରେ ଥିବା ଜୟନାରାୟଣ ମିଶ୍ର ଓ ଅନ୍ୟ ୧୨ ଜଣଙ୍କୁ ୧୭ ତାରିଖରେ ଅଦାଲତରେ ହାଜର ହେବାକୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍‌‌ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବରେ ୨୦୧୦ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଆସନ୍ତା ୨୩ ତାରିଖରେ ଶୁଣାଣି ହେବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି। ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜାମିନରେ ଥିବା ଜୟନାରାୟଣ ହାଇକୋର୍ଟଙ୍କ ଧାର୍ଯ୍ୟ ସର୍ତ୍ତାବଳୀକୁ ଖିଲାପ କରିଥିବାରୁ ତାଙ୍କର ଜାମିନ ରଦ୍ଦ କରିବାକୁ ବିମଲ ଭୁଏ ନାମକ ଜଣେ ବ୍ୟକ୍ତି ଅଦାଲତରେ ରୁଜୁ କରିଥିବା ମାମଲାର ଶୁଣାଣି ୧୭ ତାରିଖରେ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ୨୦୧୦ ମସିହାରେ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପି ନେତା ରାଧାରାଣୀ ପଣ୍ଡା ଓ ପ୍ରଦୀପ ପୁରୋହିତ ପ୍ରମୁଖ ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ବେଳେ ବାସୁଦେବ ପାଇକମାଳ ଥାନାରେ କାର୍ଯ୍ୟରତ ଥିଲେ। ଏହି ଆକ୍ରମଣ ପରେ ଜୟନାରାୟଣ ଓ ଅନ୍ୟମାନଙ୍କ ବିରୋଧରେ ପାଇକମାଳ ଥାନାରେ କେସ ନମ୍ବର ୧୭୫/୨୦୧୦ ଓ ଆଇପିସିର ଧାରା ୧୪୭ ଅର୍ଥାତ୍‌‌ ଦଙ୍ଗା ସୃଷ୍ଟି କରିବା, ଧାରା ୩୪୧- ଅନ୍ୟାୟ ଭାବେ କାହାକୁ ଅଟକାଇ ରଖିବା, ୪୫୨- ଥାନା ଭିତରକୁ ବେଆଇନ୍‌‌ ଭାବେ ପ୍ରବେଶ କରିବା, ଧାରା ୩୫୪- ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା, ଧାରା ୩୩୨-ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଧାରା ୨୯୪- ଅଶ୍ଳୀଳ ଭାଷା ପ୍ରୟୋଗ କରିବା, ଧାରା ୩୦୭- ହତ୍ୟା ଉଦ୍ୟମ ଏବଂ ଏସ୍‌‌ସିଏସଟି ଆଇନର ସେକ୍ସନ-୩ ଅର୍ଥାତ୍‌‌ ହରିଜନ ବୋଲି ଜାତିଆଣ ଆକ୍ଷେପ କରିବା ଭଳି ମାମଲା ରୁଜୁ ହୋଇଥିଲା।

ଏହି ମାମାଲାରେ ଜୟ ନାରାୟଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟ ବିଧାୟକ ଓ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟକୁ ମାମଲା ଶୁଣାଣି ପାଇଁ କହିଥିଲେ। ଆଜି ଏହି ମାମାଲାରେ ଶୁଣାଣି କରି କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜୟ ନାରାୟଣଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଆଜିର ଏହି ଶୁଣାଣି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌‌ ସସ୍ମିତା ପାଢ଼ୀଙ୍କ କୋର୍ଟରେ ଅନୁଷ୍ଠିତ ହୋଇଥିବା ବେଳେ ଜୟ ନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ ଏବଂ ଅନ୍ୟ ୭ ଜଣ ଅଭିଯୁକ୍ତ ହାଜର ହୋଇଥିଲେ। ତେବେ ଅନ୍ୟତମ ଅଭିଯୁକ୍ତ ରାଧାରଣୀ ପଣ୍ଡା ଆଜି ହାଜର ହୋଇ ନ ଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୩ରେ ହାଜର ହେବାକୁ କୁହାଯାଇଛି। ଏହାସହ ତତ୍କାଳୀନ ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ମଧ୍ୟ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ୨୦୧୮ ବିଜେପୁର ଉପ ନିର୍ବାଚନରେ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ସୋହେଲା ଜେଏମ୍‌‌ଏଫସି କୋର୍ଟରୁ ଜାମିନରେ ଜୟ ନାରାୟଣ ଅଛନ୍ତି। ଏହି ମାମଲାରେ ଆସନ୍ତା ୧୭ରେ କୋର୍ଟରେ ହାଜର ହେବା ପାଇଁ ଜୟ ନାରାୟଣଙ୍କ ସମେତ ଅନ୍ୟ ୧୨ ଜଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଦିଲେଶ୍ୱର ହତ୍ୟା ଘଟଣାରେ ଶାରୀରିକ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। ମାତ୍ର ସମାନ ସମୟରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ରାଲି ଓ ଧାରଣାରେ ଯୋଗ ଦେଉଛନ୍ତି। ନିକଟରେ ଜୟ ନାରାୟଣ ସମ୍ବଲପୁର ସମ୍ବଲପୁରରେ ଜଣେ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଘଟଣାର ଅଭିଯୋଗକାରୀ ବିମଳ ଭୁଏ ଜୟ ନାରାୟଣଙ୍କ ଜାମିନ୍‌‌ ଆବେଦନ ଖାରଜ୍‌‌ କରିବାକୁ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ବିଭିନ୍ନ ସଂଗୀନ ମାମଲାରେ ଅଭିଯୁକ୍ତ ଜୟ ନାରାୟଣଙ୍କ ଜାମିନ୍‌‌ ରଦ୍ଦ ଓ ଗିରଫଦାରୀ ଭୟରେ ଆଗୁଆ ଜାମିନ୍‌‌ ଆବେଦନ କରିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.