ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ବାଟ ଦେଖାଇଛି ମିଶନଶକ୍ତି; ରଙ୍ଗୀନ ମାଛ ଯାଆଁଳ ଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ

ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ନାଲି, ନେଳି, ହଳଦୀ ରଙ୍ଗର ମାଛ। ଦେଖିଲେ ପୁରିଯାଏ ଆଖି। ସତେ ଯେମିତି ଜଳପରୀ। ବାସ୍ତୁ ଦୋଷ ନିବାରଣ ହେଉ ବା ସୌକ ରଙ୍ଗୀନ ମାଛ ଏବେ ଅନେକଙ୍କ ପସନ୍ଦ। ଘର, ବ୍ୟବସାୟିକ ପ୍ରତିଷ୍ଠାନ ସହ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟରେ କାଚ ବାକ୍ସରେ ଥିବା ରଙ୍ଗୀନ ମାଛ ବା ଆକ୍‌‌ୱାରିଅମ୍‌‌ ଶୋଭା ପାଉଛି। ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ପ୍ରେରଣା ପାଇ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ରଙ୍ଗୀନ ମାଛ ଯାଆଁଳ ଚାଷ କରି ବେଶ୍‌‌ ଲାଭବାନ ହୋଇପାରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଅଧୀନ ଜୟଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମିଶନଶକ୍ତି ସହାୟତାରେ ଏପରି ବ୍ୟବସାୟ ଆରମ୍ଭ କରିଛନ୍ତି।

ଏହି ଗୋଷ୍ଠୀର ୧୧ ଜଣ ସଦସ୍ୟା ମିଶନ ଶକ୍ତି ସହାୟତାରେ ପ୍ରଥମେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରରେ ଗୋଟିଏ ଦିନର ତାଲିମ ଓ ପରେ ଭୁବନେଶ୍ୱରସ୍ଥିତ ସିଫାରେ ଦୁଇ ଦିନ ଏହି ମାଛ ଯାଆଁଳ ଚାଷ ସମ୍ୱନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି। ପରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ଗୋଷ୍ଠୀର ସଦସ୍ୟାଙ୍କୁ ୩୨ଟି କୁଣ୍ଡ, ଅମ୍ଳଜାନ ଯୋଗାଇବା ମେସିନ୍‌‌, ମାଛ ଯାଆଁଳ, ମାଛ ଖାଦ୍ୟ, ଔଷଧ ସମେତ ସମସ୍ତ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା। ମହିଳାମାନେ ଏହି କୁଣ୍ଡକୁ ସବଳଙ୍ଗସ୍ଥିତ ସାଥୀ ସମାଜ ପରିସରରେ ରଖିବା ସହିତ ଯତ୍ନ ନେବା ଆରମ୍ଭ କରିଥିଲେ। ଆବଶ୍ୟକ ସ୍ଥଳେ ମାଛ ଲାଳନ ପାଳନରେ କୌଣସି ଅସୁବିଧା ଦେଖାଦେଲେ କିମ୍ୱା ମାଛରେ କୌଣସି ରୋଗ ଦେଖାଦେଲେ ସେମାନେ ତୁରନ୍ତ ସିଫା, ଜିଲ୍ଲା ଓ ବ୍ଲକ ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିଥାନ୍ତି। ସେମାନଙ୍କ ପରାମର୍ଶ କ୍ରମେ ଏହାର ଉପଚାର କରିଥାନ୍ତି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା ଓ ସମ୍ପାଦିକା ମାଳତୀ ଜେନା ପ୍ରକାଶ କରିଛନ୍ତି। ଗୋଷ୍ଠୀର ସମସ୍ତ ସଦସ୍ୟା ଏହି ମାଛ କୁଣ୍ଡର ନିୟମିତ ଯତ୍ନ ନେବା ସହ ଖାଦ୍ୟ ଓ ଔଷଧ ଦେବା ସହିତ ନିୟମିତ ବ୍ୟବଧାନରେ କୁଣ୍ଡରୁ ପାଣି ମଧ୍ୟ ସଫା କରିଥାନ୍ତି।

ମାତ୍ର ବର୍ଷେ ପୂର୍ବରୁ ଏହି ବ୍ୟବସାୟ ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ମାଛ କିଣି ନେଉଛନ୍ତି। ଏହି ମାଛ ଗୋଟିକୁ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ସେମାନେ ମୁଖ୍ୟତ ମଲ୍ଲି ଓ ଗପି ପ୍ରଜାତିର ମାଛ ଚାଷ କରିଛନ୍ତି; ଯାହାକି ଦେଖିବାକୁ ବହୁତ ସୁନ୍ଦର। ଲୋକମାନେ ସେମାନଙ୍କ ଆକ୍ୱାରିୟମ୍‌‌ରେ ଏହା ରଖିବାକୁ ଖୁବ୍‌‌ ଭଲ ପାଉଛନ୍ତି। ଏ ସମ୍ପର୍କରେ ଡେରାବିଶ ବ୍ଲକ ମିଶନ ଶକ୍ତିର ସମ୍ପାଦିକା ମନୋରମା ରାଉତ କହିଛନ୍ତି ଯେ, ଏହି ଗୋଷ୍ଠୀ ମିଶନଶକ୍ତି ଜରିଆରେ ପ୍ରଥମ କରି ଏହି ବ୍ୟବସାୟ ଆରମ୍ଭ କରିଛନ୍ତି। ଗୃହ ସାଜସଜ୍ଜା ପାଇଁ ଏହି ମାଛର ପ୍ରବଳ ଆଦର ରହିଥିବାରୁ ଅନ୍ୟ ମହିଳାମାନେ ଏହାକୁ ଆପଣେଇ ବହୁ ଲାଭବାନ ହେବା ସହିତ ସ୍ୱାବଲମ୍ୱୀ ମଧ୍ୟ ହୋଇପାରିବେ।

Leave A Reply

Your email address will not be published.