ଆଜିଠାରୁ ଖଣ୍ଡଗିରିରେ ଯାତ୍ରା ମହାକୁମ୍ଭ: ସାଧାରଣ ଟିକଟ୍ ୧୫୦, ସ୍ୱତନ୍ତ୍ର ଟିକଟ ୨୫୦ ଟଙ୍କା

ଖଣ୍ଡଗିରି: ଦୁଇ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ସୋମବାର ଠାରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ମୋଟ ୬ଟି ଅନୁଷ୍ଠାନକୁ ନାଟକ ପରିବେଷଣ କରିବାକୁ ପ୍ରଶାସନ ଅନୁମତି ଦେଇଥିବାବେଳେ ଆଜିଠାରୁ ୩ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି। ସାଧାରଣ ବର୍ଗର ଟିକଟର ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକଟ ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ଇନ୍ଦିରା ସାଂସ୍କୃତିକ ପରିଷଦ (ଖଣ୍ଡଗିରି-ଜାଗମରା) ରେ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରିବ। ‘ଆଖି ତୋର ଲୁହ ମୋର’ ନାଟକକୁ ନେଇ ଶିବାନୀ ମଇଦାନକୁ ଓହ୍ଲାଇବ। ଏହି ନାଟକରେ ଶଙ୍ଖାଳିଙ୍କୁ ମୁଖ୍ୟ ନାୟକ ଓ ଟିକିଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ସେହିପରି ଖଳନାୟକ ଭୂମିକାରେ କାହ୍ନା ଓ ବ୍ରଜ ପାଣି ଅଭିନୟ କରିଛନ୍ତି।
ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ପେଣ୍ଡାଲରେ ଅପେରା ସୂର୍ଯ୍ୟ ମନ୍ଦିର ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ ଭଳି ନାଟକ ଦର୍ଶକଙ୍କୁ ଭେଟି ଦେବ। ସୁବାସ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଥିବାବେଳେ ଟିକିନାଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ହାସ୍ୟ ଅଭିନେତା ଭୁମିକାରେ ବାପି-ଟୁକୁ ଓ ଖଳନାୟକ ଭୂମିକାରେ ଶୁଭେନ୍ଦୁଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚ ବିଶ୍ୱ ଦରବାରକୁ ନେଇ ଯାତ୍ରା ମଇଦାନକୁ ଆସିବ। ‘ମୃତ୍ୟୁ ପରେ ମଣିଷ’ ନାଟକକୁ ନେଇ ବିଶ୍ୱ ଦରବାର ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ଓହ୍ଲାଇବ। ବାପି ପଣ୍ଡା ହିରୋ ଏବଂ ଭାରତୀ ଓ ମାତନ ହିରୋଇନ୍ ଭୂମିକାରେ ନଜର ଆସିବେ। ଏହି ନାଟକରେ ପ୍ରମୁଖ ଭୂମିକାରେ ଜଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ ଭୋଳଙ୍କ ଅଭିନୟ ଲୋକପ୍ରିୟତା ସାଉଁଟିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଯେଉଁଥିରେ ଜୀବିତ ଥିବା ସାବତ ଭାଇକୁ ସମ୍ପତ୍ତି ଲୋଭରେ ନକଲି ସାର୍ଟିଫିକେଟ୍ ଦେଖାଇ ମୃତ ବୋଲି ପ୍ରମାଣିତ କରାଯାଇଥିବା ଦର୍ଶକ ଦେଖିବାକୁ ପାଇବେ। ‘ମୁଁ ସଞ୍ଜୁ ବିଷୋୟୀ, ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ, ଭଲ ଥିଲେ ଭଗବାନ ବୁଦ୍ଧ, ରାଗିଲେ କଂସେଇ’ ଭଳି ଡାଇଲଗ୍ ସଞ୍ଜୟ ଭୋଳଙ୍କଠାରୁ ଶୁଣିବାକୁ ମିଳିବ।