ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେକେବିକେ ସରକାରୀ ମହାବିଦ୍ୟାଳୟରେ ଜାତୀୟ କବି ବୀରକିଶୋରଙ୍କ ଜୟନ୍ତୀ ଅନୁଷ୍ଠିତ

କଟକ :  ଜାତୀୟ କବି ବୀରକିଶୋରଙ୍କ ଜନ୍ମ ଜୟନ୍ତୀ କଟକ ସ୍ଥିତ ଜେକେବିକେ ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ, ମହାବିଦ୍ୟାଳୟର ଅଧ୍ୟକ୍ଷା ଅନୁଜା ମହାପାତ୍ର,ଜାତୀୟ କବି ବୀରକିଶୋର ଦାସ ଜୟନ୍ତୀ କମିଟିର ଅଧକ୍ଷ ଅନନ୍ତ ଜେନା,ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ସୁକାନ୍ତ ଚନ୍ଦ୍ର ସାହାଣୀ,ଜଗନ ସାହୁ, ମନୋଜ ମହାନ୍ତି ଓ ସମସ୍ତ ଛାତ୍ର ଛାତ୍ରୀ ଉକ୍ତ ସମାରୋହରେ ଯୋଗ ଦେଇଥିଲେ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ସାହିତ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଯେଉଁ ସାହିତ୍ୟିକମାନେ ମୁକ୍ତି ସଂଗ୍ରାମକୁ ଜୀବନ୍ତ କରିଥିଲେ, ସେମାନଙ୍କ ମଧ୍ୟରୁ ଜାତୀୟ କବି ବୀରକିଶୋର ଦାସ ଥିଲେ ଅନ୍ୟତମ। ରାଶି ରାଶି ଜାତୀୟତାବାଦୀ ସଙ୍ଗୀତ ରଚନା କରି ସଂଗ୍ରାମୀଙ୍କ ଭିତରେ ଦେଶ ଭକ୍ତିମୂଳକ ଜାଗରଣ ସୃଷ୍ଟି କରିବାରେ ସେ ଥିଲେ ସଫଳ ବିନ୍ଧାଣି। ତାଙ୍କ ରଚିତ କବିତାଗୁଡ଼ିକ ଥିଲା ବେଶ୍‌ ପ୍ରଭାବଶାଳୀ। ତାଙ୍କର ପ୍ରତିଟି କବିତା ଦେଶବାସୀଙ୍କ ମନରେ ଦେଶାତ୍ମବୋଧ ଭାବନା ସୃଷ୍ଟି କରିଥିଲା। ଭାରତର ସ୍ବାଧୀନତା ଆନ୍ଦୋଳନ ପାଇଁ ତାଙ୍କ କଲମ ଥିଲା ଅସ୍ତ୍ର।

ସେ ୧୮୯୮ ମସିହା ଆଜିର ଦିନରେ ଜଗତସିଂହପୁର ପୁନଙ୍ଗ ଗାଁରେ ଜନ୍ମଗ୍ରହଣ କରିଥିଲେ। ବୀରକିଶୋର ଜମିଦାର ଗୋପାଳଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ ଥିଲେ। ଗ୍ରାମ ଚାଟଶାଳୀରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କଟକର ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୧୧ ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ କଲେଜରେ ଏଫ୍‌.ଏ ପଢ଼ିଥିଲେ, ମାତ୍ର ସଂପୂର୍ଣ୍ଣ କରି ନ ଥିଲେ। ଏହାପରେ କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା ପରେ ସରକାରୀ କିରାଣି ଚାକିରି କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ଚାକିରି ଛାଡ଼ି ସେ ମୁକ୍ତି ସଂଗ୍ରାମରେ ଯୋଗଦେଲେ। ୧୯୩୦ ମସିହାରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ।

ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ସରଳ ଭାଷାରେ ରଚିତ ତାଙ୍କର ଜ୍ୱାଳାମୟୀ କବିତାମାନ ମୁକ୍ତିକାମୀ ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କରିପାରିଥିଲା। ଜାତିପ୍ରାଣରେ ଉଦ୍‌ବୁଦ୍ଧ ହୋଇ ଅନେକ ସରକାରୀ ଚାକିରିର ମୋହ ଛାଡ଼ି ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ‘ମୋହନବଂଶୀ’, ‘ବିଦ୍ରୋହୀବୀଣା’, ‘ମୋହନବେଣୁ’ ଆଦି ତାଙ୍କ ରଚିତ ଅନନ୍ୟ ଜାତୀୟତାଧର୍ମୀ କବିତା। ସେ କେବଳ ଯେ, ଜାତୀୟତାବାଦୀ କବିତା ଲେଖୁଥିଲେ ତାହା ନୁହେଁ, ସେ ଅନେକ ଶିଶୁ କବିତା ମଧ୍ୟ ଲେଖୁଥିଲେ। ମାସିକ ଶିଶୁ ସାହିତ୍ୟ ପତ୍ରିକା ‘ମୋ ଦେଶ’ର ସେ ଆରମ୍ଭ କରିଥିଲେ। ୧୯୪୬ରେ ସେ ପାଠ୍ୟ ପୁସ୍ତକ ‘ମୋ ଛବି ବହି’ ଓ ‘ନୂଆ ଛବି ବହି’ ଲେଖିଥିଲେ। ‘ଶିଶୁ ଲେଖା’ ପତ୍ରିକା ତାଙ୍କ ସାଧନାର ଫଳ। ଦେଶ ସ୍ବାଧୀନ ହେବା ପରେ ୧୯୬୨ ମସିହାରେ ସେ ପୁସ୍ତକ ଜାତୀୟକରଣ କମିଟିର ସମ୍ପାଦକ ଏବଂ କଟକ ସଦର ଲୋକାଲ ବୋର୍ଡର ଚେୟାରମ୍ୟାନ୍‌ ପଦବୀରେ ରହିଥିଲେ। ୧୯୭୩ ମସିହା ଏପ୍ରିଲ୍‌ ୨୮ ତାରିଖରେ କଟକସ୍ଥିତ ସ୍ବରାଜ ଆଶ୍ରମରେ ତାଙ୍କର ପରଲୋକ ଘଟିଥିଲା।

Leave A Reply

Your email address will not be published.