ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀରର ଜାମସର ଗାଁ, ଯେଉଁଠି ବିନା ବରଯାତ୍ରୀରେ ହୋଇଥାଏ ବାହାଘର

ବଲାଙ୍ଗୀର(ଶିଶିର ଶତପଥୀ): ପରମ୍ପରା, ପ୍ରଥା, ବିଶ୍ୱାସର ଗଣ୍ଠିରେ ବନ୍ଧା ସାମାଜିକ ବ୍ୟବସ୍ଥା। ପୂର୍ବ ପୁରୁଷଙ୍କ କାଳରୁ ଧାରାବାହିକ ଭାବେ ମାନ୍ୟତା ପାଇ ଆସିଛି। ଘଟଣାର ସତ୍ୟତା କେତେ କିମ୍ୱା ତାହା କେଉଁ କାଳର ସେ ବିଷୟରେ କାହାକୁ ଜଣାନାହିଁ। ଏକଦା ମନ୍ତ୍ର ଯନ୍ତ୍ର ତନ୍ତ୍ର ପୀଠର ପ୍ରାଣକେନ୍ଦ୍ର କୁହାଯାଉଥିବା କୁଅାଁରୀ ପାଟଣା ବା ଅଧୁନା ବଲାଙ୍ଗିର ଜିଲ୍ଲାରେ ଏବେବି ଅନେକ ରୋଚକ କଥା ଶୁଣିବାକୁ ମିଳେ। ତହିଁରୁ ବିବାହ ସମୟରେ ପାଳନ କରାଯାଉଥିବା ପରମ୍ପରାଗୁଡିକ ମନକୁ ଆଶ୍ଚର୍ଯ୍ୟଚକିତ କରିଦିଏ। ଏହା କାହା ପାଇଁ ଅନ୍ଧବିଶ୍ୱାସ ତ ଆଉ କାହା ପାଇଁ ପରମ୍ପରା। ବିବାହ ସମୟରେ ବରଯାତ୍ରୀ ଓ ରୋଷଣୀ ସବୁଠି ପ୍ରଚଳିତ ଥିଲେ ହେଁ ଜାମସର ଗାଁ ଏହାର ଏକ ଭିନ୍ନ ବ୍ୟତିକ୍ରମ।

ବାହାଘର ଏକ ସାମାଜିକ କାର୍ଯ୍ୟକ୍ରମ। ବରଯାତ୍ରୀଙ୍କ ସହ ରୋଷଣୀ କରି ବର ବିବାହ ପାଇଁ ଯାଇଥାଏ। କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ ଗାଁ ରହିଛି ଯେଉଁଠି ବାହାଘର ହେଲେ ରୋଷଣୀ ବା ବରଯାତ୍ରା ବାହାରେ ନାହିଁ। ବଲାଙ୍ଗିର ସଦର ମହକୁମା ଠାରୁ ୧୦ କିମି ଦୂର ଜାମସର ଗାଁରେ ବିବାହ ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ। ଜାମସର ଗ୍ରାମରେ ବିବାହ ହେଲେ ଗାଁକୁ ବରଯାତ୍ରୀ ଆସନ୍ତି ନାହିଁ କିମ୍ୱା ଗାଁରୁ ବାହାରକୁ ବରଯାତ୍ରୀ ଯାଆନ୍ତି ନାହିଁ। ଗ୍ରାମର ପୁଅ ବିବାହ ବେଳେ ଝିଅପକ୍ଷ ଗାଁକୁ କନ୍ୟାକୁ ସାଥୀରେ ନେଇ ଆସନ୍ତି ଓ ଝିଅ ବିବାହ ବେଳେ କନ୍ୟା ପକ୍ଷର ଲୋକମାନେ ପୁଅ ଘରକୁ ଯାଇ ଝିଅକୁ ଶାଶୁଘରେ ଛାଡ଼ି ଆସନ୍ତି। ଗ୍ରାମବାସୀଙ୍କ ବିଶ୍ୱାସ ଯେ, ଉକ୍ତ ଗ୍ରାମରେ ରୋଷଣୀ ହେଲେ ଗ୍ରାମଦେବୀ କୋପ କରନ୍ତି ଓ ବିବାହ କାର୍ଯ୍ୟରେ କୌଣସି ନା କୌଣସି ଅମଙ୍ଗଳ ଘଟେ। ପ୍ରଚଳିତ ଲୋକକଥା ଅନୁସାରେ ଏକଦା ଉକ୍ତ ଗ୍ରାମର ଏଭଳି ଏକ ଘଟଣା ଘଟିଥିଲା। ସେହିଦିନଠାରୁ ଏହି ଗ୍ରାମରେ କେବେ ରୋସଣୀର ଆୟୋଜନ କରାଯାଏ ନାହିଁ। ସେହିଭଳି ଏହି ଗୋଟିଏ ଦିନରେ ଦୁଇଟି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ। ଗୋଟିଏ ଶୁଭକାର୍ଯ୍ୟ ହେବାର ୭ ଦିନ ପରେ ହିଁ ଆଉ ଏକ କାର୍ଯ୍ୟ କରାଯାଏ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।

ସେହିପରି ଦେଓଗାଁ ବ୍ଲକ ଅନ୍ତର୍ଗତ ପଥରବନ୍ଧା ଗାଁରେ ରହିଛି ଭିନ୍ନ ଏକ ନିୟମ। ସେହି ଗାଁରେ ବରଯାତ୍ରା ଓ ରୋଷଣୀ ହୁଏ; ମାତ୍ର ତାହା ଗାଁର ଶେଷ ମୁଣ୍ଡରୁ। ଜିଲ୍ଲା ସଦରମହକୁମାଠାରୁ କିଛି ଦୂରେ ଥିବା ଏହି ଗାଁର ଲୋକମାନଙ୍କ ବିଶ୍ୱାସ ଯେ ଗାଁ ସମ୍ମୁଖ ଦେବୀଙ୍କ ବାସସ୍ଥାନ। ତାଙ୍କ ସମ୍ମୁଖ ଦେଇ ରୋଷଣୀ ଗଲେ ଅଘଟଣ ଘଟିବ। ସେଥିପାଇଁ ଗାଁ ପଛପଶୁ ବାଜା ଓ ରୋଷଣୀ ବାଜେ ଓ ବରଯାତ୍ରୀ ଆସନ୍ତି। କଥିତ କାହାଣୀ ଅନୁସାରେ କେଉଁ କାଳରେ କେବେ ବରଯାତ୍ରୀ ଗାଁ ସମ୍ମୁଖରେ ଶଗଡ଼ରେ ରୋଷଣୀ କରି ଆସୁଥିବା ସମୟରେ ଶଗଡ଼ ଓଲଟି ପଡ଼ିଥିଲା। ବରଯାତ୍ରୀ ଓ ସେମାନଙ୍କ ସହ ସମସ୍ତ ସାମଗ୍ରୀ ପଥର ପାଲଟି ଯାଇଥିଲା। ଆଜି ବି ସେହି ପଥରଗୁଡ଼ିକ ବନ୍ଧରେ ପଡ଼ି ରହିଛି ଓ ପାଣି ଶୁଖିବା ପରେ ତାହା ଦୃଶ୍ୟମାନ ହୁଏ। ସେଥିପାଇଁ ସେହି ଦିନଠାରୁ ଗାଁର ସମ୍ମୁଖ ପଟରେ କେବେ ବର ଶୋଭାଯାତ୍ରା କରି ଆସେ ନାହିଁ। ଶୋଭାଯାତ୍ରା ଓ ରୋଷଣୀ ଗାଁ ପଛ ପଟୁ ଆରମ୍ଭ ହୁଏ।

Leave A Reply

Your email address will not be published.