ବିଶେଷଜ୍ଞଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପ କାମ ଚାଲିଛି, ବିକାଶ କାମରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜାରୀ ରହିବା ଆବଶ୍ୟକ। ବିଶେଷଜ୍ଞଙ୍କ ଦ୍ବାରା କାମ ଚାଲିଛି। ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ନିଜ ମତ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୈଠକ ପରେ ସେ ଏହା କହିଛନ୍ତି।

ଆଜି ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଗଜପତି ମହାରାଜାଙ୍କ ସହ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସେବାୟତ ପ୍ରତିନିଧି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇବା ସହ ପରାମର୍ଶ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ମତାମତ ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର କୌଣସି ଅଧିକାରୀ ମୋ ସହ ଆଲୋଚନା କରିନାହାନ୍ତି।ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିସ୍ତୃତ ଭାବେ ପ୍ରକଳ୍ପ ସଂପର୍କରେ ବୁଝାଇଛନ୍ତି। କାମ ଜାରୀ ରହିବା ଆବଶ୍ୟକ।ବିଶେଷଜ୍ଞଙ୍କ ଦ୍ବାରା କାମ ଚାଲିଛି।ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ। ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ସହଜରେ ସମାଧାନ କରାଯାଇପାରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ ଆଜି ଶ୍ରୀମନ୍ଦିର ସେବାୟତ ହାଇକୋର୍ଟ ଯାଇଛନ୍ତି । କାମ କିପରି ଶିଘ୍ର ଶେଷ କରାଯିବ ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସେମାନେ କହିଛନ୍ତି । ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି।

Leave a comment