ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମୁଦ୍ରିକ ଝଡ଼ ‘ଫନୀ’କୁ ପୂରିଛି ୩ ବର୍ଷ : ପୁରୁଣା ଚିହ୍ନ ଯାଇନି,ପୁଣି ଘାରିଲାଣି ବାତ୍ୟା ଭୟ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନୀ’କୁ ୩ ବର୍ଷ ପୂରିଛି। ଗତ ୨୦୧୯ ମସିହା ମେ’ ୩ ତାରିଖରେ ସ୍ଥଳଭାଗରେ ତାଣ୍ଡବ କରିଥିବା ଫନୀ ରାଜଧାନୀକୁ ସର୍ବାଧିକ କ୍ଷତି ପହଞ୍ଚାଇଥିଲା। ରାଜ୍ୟ ଅର୍ଥନୀତି ଓ ପ୍ରାଣକେନ୍ଦ୍ର ସାଜିଥିବା ଭୁବନେଶ୍ୱର ଫନୀ କୋପରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଏହି ବାତ୍ୟାକୁ ମଙ୍ଗଳବାର ୩ ବର୍ଷ ପୂରୁ ଥିବା ବେଳେ ଦୁର୍ଭାଗ୍ୟବଶତଃ ଚଳିତ ବର୍ଷ ଏହି ସମୟରେ ପୁଣି ଥରେ ବାତ୍ୟା ଭୟ ଘାରିଛି। ସହରକୁ ଖିନଭିନ କରି ଫନି ସବୁଜିମା ଭରା ଭୁବନେଶ୍ୱରକୁ ଏକ ଥୁଣ୍ଟା ସହରରେ ପରିଣତ କରାଇଦେଇଥିଲା। ରାଜଧାନୀର ଛାତି ଉପରେ ଥିବା ହଜାର ହଜାର ଗଛ ନିଶ୍ଚିନ୍ନ ହୋଇଯାଇଥିଲା।

ସେହିପରି ବିଭିନ୍ନ ବସ୍ତି ଛାରଖାର ହୋଇଯାଇଥିଲା। ବଡ଼ ବଡ଼ କୋଠା ଘର ମଧ୍ୟ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆହ୍ୱାନ ହେବା ପାଇଁ ଯାଉଛି। ଫନୀ ପରେ ଦେଶର ୧ ନମ୍ବର ସ୍ମାର୍ଟସିଟିକୁ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ନାହିଁ ନ ଥିବା କଷ୍ଟ କରିବକୁ ପଡ଼ିଥିଲା। ଏକଦା ଆଇଟି ହବ୍‍ କୁହାଯାଉଥିବା ସହରରେ ୭ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍‍ ଲିଭାଯାଇଥିବା ବେଳେ ଡିଜିଟାଲ କ୍ରାଇସିସ୍‍ ଦେଖାଦେଇଥିଲା। ଇଣ୍ଟରନେଟ୍‍ ସେବା ବହୁଳ ଭାବେ କ୍ଷତିର ସାମନା କରିଥିବା ବେଳେ ଶକ୍ତି ବିଭାଗର ଅଣ୍ଟା ଭାଙ୍ଗିଯାଇଥିଲା। ବାତ୍ୟା ସମୟରେ ପବନର ବେଗ ୨୦୦ କିମି ପର୍ଯ୍ୟନ୍ତ ପହଞ୍ଚିଥିଲା।

ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୬ ହଜାର ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ବେଳେ ଭୁବନେଶ୍ୱର ପ୍ରାୟ ୪୦ ହଜାର ଖୁଣ୍ଟ ଭାଙ୍ଗିଥିଲା। ଫଳରେ ସଞ୍ଜ ନଇଁଲେ ସହରରେ ଅନ୍ଧାରୀ ରାଜ୍‍ କରିବା ସହ ୭ ଦିନ ପର୍ଯ୍ୟନ୍ତ ପୂରା ସହରଟା ଅନ୍ଧାରରେ ରହିଥିଲା। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ମରାମତି କରିବା ପାଇଁ ଏନ୍‍ଡିଆରଏଫ୍‍, ଓଡ୍ରାଫ୍‍, ସେସୁ ଆଦି ଅକ୍ଲାନ୍ତ ପରିଶ୍ରମ କରିଥିଲେ। ସେହିପରି ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ୨ ହଜାରରୁ ଊର୍ଦ୍ଧ୍ବ କୁଶଳି କର୍ମଚାରୀ ଆସି କାମରେ ନିୟୋଜିତ ହୋଇଥିଲେ। ରାଜଧାନୀ ଭୁବନେଶ୍ୱରରେ କେମିତି ବିଦ୍ୟୁତ ପୁନଃ ସଂଯୋଗୀକରଣ କାର୍ଯ୍ୟ ହୋଇପାରିବ ସେନେଇ ସମସ୍ତେ ପ୍ରୟାସ କରୁଥିବା ସହ ଦିନ ରାତି ଏକ କରି ଦେଇଥିଲେ। ରାଜଧାନୀରେ ଥିବା ୮ଟି ପାୱାର ଟ୍ରାନ୍ସମିସନ ଟାୱାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଅନ୍ୟପଟେ ଆଜି ସାମୁଦ୍ରିକ ଝଡ଼ ‘ଫନୀ’କୁ ୩ ବର୍ଷ ପୁରିଥିବା ବେଳେ ପୁଣି ଏକ ବାତ୍ୟା ଆସୁଛି। ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଛନକା ପସିଛି।  ସମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହେଲେ ଯେମିତି ଭୁବନେଶ୍ୱରବାସୀଙ୍କର କୌଣସି କ୍ଷତି ନ ହୁଏ ସେନେଇ କାର୍ଯ୍ୟ ଆରମ୍ଭ କରିଦେଇଛି ବିଏମସି। ଏଥିପାଇଁ ବିଏମ୍‍ସି ମେୟର ସୁଲୋଚନା ଦାସ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବା ବେଳେ ବାତ୍ୟା ମୁକାବିଲା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବିଏମ୍‍ସି ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଥିବା ବେଳେ ଏହାକୁ ବାତ୍ୟା ସମୟରେ ବ୍ୟବହାର କରିବା ପାଇଁ ଯୋଜନା କରାଯାଇଛି। ସମ୍ବେଦନଶୀଳ ଜଳବନ୍ଦୀ ସ୍ଥାନ ଭାବେ ୩୧ଟି ଅଞ୍ଚଳ ରହିଥିବା ବେଳେ ଏଠାରୁ ଅଧିକ ବର୍ଷାଜଳ ନିଷ୍କାସନ କରିବା ପାଇଁ ମଟର ପମ୍ପର ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‍ସିର ୪ଟି ପମ୍ପ ବ୍ୟତୀତ ୧୫ଟି ମଟର ପମ୍ପ ଭଡ଼ା ସୂତ୍ରରେ ଆସିବ ଏବଂ ଆବଶ୍ୟକସ୍ଥଳେ ଅଗ୍ନିଶମ ବିଭାଗର ମଟର ପମ୍ପକୁ କାର୍ଯ୍ୟରେ ଲଗାଯିବ ବୋଲି ବୈଠକରେ କୁହାଯାଇଛି। ହଠାତ ଜଳବନ୍ଦୀଜନିତ ବର୍ଜ୍ୟ ସଫେଇ ଏବଂ ପାଣି ବାଟ ପରିଷ୍କାର କରିବା ନିମନ୍ତେ ପ୍ରତ୍ୟେକ ଜୋନ୍‍ରେ ଦିଆଯାଇଥିବା ଜେସିବି, ଟ୍ରାକ୍ଟର ଇତ୍ୟାଦି କାର୍ଯ୍ୟରେ ଲାଗିବ ଏବଂ ମୁଖ୍ୟ କାର୍ଯ୍ୟାଳୟରେ ଜରୁରୀ ପରିସ୍ଥିତି ପାଇଁ ଅଧିକ ଜେସିବି ଏବଂ ଟିପ୍ପର୍‍ ଇତ୍ୟାଦି ମହଜୁଦ୍‍ ରହିବ ବୋଲି କୁହାଯାଇଛି। ବୁଲା ପଶୁ ଇତ୍ୟାଦିଙ୍କୁ କୌଣସି ଆଘାତଜନିତ ସେବା ଦେବାପାଇଁ ପଶୁସମ୍ପଦ ଅଧିକାରୀ ସହରରେ କାର୍ଯ୍ୟ କରୁଥିବା ଏନ୍‍ଜିଓଗୁଡ଼ିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖି ସେବା ଦେବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଜଳବନ୍ଦୀ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ଏବଂ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯିବ। ଅଧିକ ଦିନ ପରିସ୍ଥିତି ଲାଗି ରହିଲେ ଗରମ ରନ୍ଧା ଖାଦ୍ୟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଖୋଲିବ ହେଲ୍ପଲାଇନ ନମ୍ବର

ବାତ୍ୟା ସମୟରେ କୌଣସି ପ୍ରକାର ସୂଚନା ଏବଂ ସହାୟତା ପାଇଁ ଜନସାଧାରଣ ୧୯୨୯କୁ ମାଗଣାରେ କଲ୍‍କରି ପାରିବେ ବୋଲି କୁହାଯାଇଛି। ସେହିପରି ଅଗ୍ନିଶମ ବିଭାଗର ପମ୍ପ, ନିରାପତ୍ତା ସରଞ୍ଜାମ, ଗଛ କାଟିବା ଓ ଉଦ୍ଧାରକାରୀ ଦଳଙ୍କୁ ମହଜୁଦ୍‍ ରଖାଯିବ ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବିଶ୍ୱାଳ ବୋଲି କହିଛନ୍ତି। ପାନୀୟ ଜଳ ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ସହରରେ ଥିବା ୨୫ଟି ପାଣି ଟ୍ୟାଙ୍କର, ୨୫୦ଟି ସିନ୍‍ଟେକ୍ସ ଟାଙ୍କି ଏବଂ ବିଦ୍ୟୁତ୍‍ ସହାୟତା ପାଇଁ ୮୦ଟି ଡିଜେଲ୍‍ ଜେନେରେଟର୍‍ ସେଟ୍‍ ମହଜୁଦ ରହିଛି ବୋଲି ୱାଟ୍‍କୋ ଜେନେରାଲ୍‍ ମ୍ୟାନେଜର ଗୁରୁଚରଣ ଦାସ୍‍ କହିଛନ୍ତି। ଟାଟା ପାୱାର୍‍ ପକ୍ଷରୁ ଉପସ୍ଥିତ ଥିବା ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଅହରହ ବିଦ୍ୟୁତ୍‍ ଯୋଗାଣର ତୁରନ୍ତ ପରିଚାଳନା କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‍ ବ୍ୟତୀତ ଫୋନ୍‍ ଟାୱାର୍‍ କରିଥିବା ସଂସ୍ଥାଙ୍କୁ ନିଜସ୍ୱ ଦାୟିତ୍ୱ ନିଭାଇବା ପାଇଁ ସେମାନଙ୍କୁ କାର୍ଯ୍ୟାଳୟସ୍ତରୀୟ ବୈଠକରେ ଜଣାଇବାକୁ କୁହାଯାଇଛି।

ବିପର୍ଯ୍ୟୟ ସମୟରେ ଟାୱାର୍‍ ପଡ଼ିଯିବାର ସମ୍ଭାବନା ରହିଛି। ତେଣୁ ସମ୍ପୃକ୍ତ କମ୍ପାନୀ ଏହାର ପରବର୍ତ୍ତୀ ବ୍ୟବସ୍ଥା ତୁରନ୍ତ କରିବା ଉଚିତ୍‍ ବୋଲି ମେୟର କହିଛନ୍ତି। ସ୍ୱାସ୍ଥ୍ୟଜନିତ କୌଣସି ଆବଶ୍ୟକତା ପାଇଁ ଚିଫ୍‍ ମ୍ୟୁନିସିପାଲ୍‍ ମେଡିକାଲ୍‍ ଅଫିସରଙ୍କୁ ଆମ୍ବୁଲାନ୍ସ, ମୌଳିକ ଔଷଧ, ସର୍ପଦଂଶନ ଚିକିତ୍ସା ପାଇଁ ଇଞ୍ଜେକ୍‍ସନ୍‍, ଓଆର୍‍ଏସ୍‍, ହାଲୋଜିନ୍‍ ବଟିକା ଏବଂ ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀ ପାଇଁ ଫାଷ୍ଟେଡ୍‍ କିଟ୍‍ ନିଶ୍ଚିତ କରିବାକୁ କୁହାଯାଇଛି। ଠିକ୍‍ ସେହିପରି ପରିମଳ କର୍ମଚାରୀଙ୍କୁ ନେଇ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରେ ଆବଶ୍ୟକ କାର୍ଯ୍ୟ ନିଶ୍ଚିତ କରାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି।

Leave A Reply

Your email address will not be published.