ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସତର୍କ କରାଇଲା ଆଇଟି ବିଭାଗ : ପିଲାଙ୍କ ମଧ୍ୟରେ ବଢୁଛି ଇଣ୍ଟରନେଟ୍‍ର ବ୍ୟବହାର

ଭୁବନେଶ୍ୱର : ସମ୍ପ୍ରତି ମୋବାଇଲ୍‍ ଫୋନ୍‍ର ଅତ୍ୟାଧିକ ବ୍ୟବହାର ଏବଂ ତାହାର କୁପ୍ରଭାବକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ଉଦ୍ରେକ ହୋଇଛି। ପିଲାମାନଙ୍କ ଉପରେ ମୋବାଇଲ୍‍ ଫୋନ୍‍ ଯେପରି ପ୍ରଭାବ ବିସ୍ତାର କରୁଛି ତାହା ଆହୁରି ଚିନ୍ତାଜନକ। ଏପରିସ୍ଥଳେ ଛୋଟ ପିଲା ଏବଂ ଅଭିଭାବକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ ପିଲାମାନେ ଏବେ ଢ଼େର ସମୟ ମୋବାଇଲ୍‍ ଫୋନ୍‍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ସହିତ ବିତାଉଛନ୍ତି। ଫଳରେ ଇଣ୍ଟରନେଟ୍‍ରୁ ମିଳୁଥିବା ଭଲ ଓ ମନ୍ଦ ସେମାନଙ୍କ ନିକଟରେ ପହଞ୍ଚି ପାରୁଛି। ଏପରିସ୍ଥଳେ ସାଇବର ଅପରାଧ ଏବଂ ବିପଦରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଏକ ସୁରକ୍ଷିତ ଅନ୍‍ଲାଇନ୍‍ ପରିବେଶ ସୃଷ୍ଟି କରିବା ଆବଶ୍ୟକ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ବିପଦଜ୍ଜନକ ୱେବ୍‍ସାଇଟ୍‍ ଏବଂ ଆପ୍‍ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ। ଫଳରେ ସେମାନେ ସହଜରେ ଠକାମୀ ଅବା ଅପରାଧୀଙ୍କ କବଳରେ ପଡ଼ିବେ ନାହିଁ। ସଚେତନ ରହିଲେ ସେମାନେ ନିଜର କିମ୍ବା ଅଭିଭାବକଙ୍କ ବ୍ୟକ୍ତିଗତ ଅବା ବ୍ୟାଙ୍କ ତଥ୍ୟ କାହାକୁ ଦେବେ ନାହିଁ। ସେହିପରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୱାଇଫାଇ ଠାରୁ ପିଲାମାନେ ଦୂରେଇ ରହିବା ଆବଶ୍ୟକ। ବିଭିନ୍ନ ଦୃଷ୍ଟିରୁ ଏହା ବିପଜ୍ଜନକ ହୋଇପାରେ। କୌଣସି ପରିସ୍ଥିତିରେ ବି ଯେପରି ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା କାହା ସହିତ ସେୟାର ନ କରନ୍ତି ତାହା ପିଲାମାନଙ୍କୁ ଅବଗତ କରାଇବା ଜରୁରୀ। ଆଉ ଜରୁରୀ କାର୍ଯ୍ୟ ହେଉଛି ବିଭିନ୍ନ ପ୍ରକାର ପାସୱାର୍ଡ ସୁରକ୍ଷିତ ରଖିବା। ପାସୱାର୍ଡ ଇଣ୍ଟରନେଟ୍‍ରେ ସେୟାର କରିବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରାଯାଉଛି। ତେଣୁ ଏଥିରୁ ଦୂରେଇ ରହିବା ଉଭୟ ପିଲା ଏବଂ ଅଭିଭାବକଙ୍କ ପାଇଁ ସୁରକ୍ଷିତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କୋଭିଡ୍‍ ମହାମାରୀ ପରେ ପିଲାମାନଙ୍କ ମଧ୍ୟରେ ମୋବାଇଲ୍‍ ଫୋନ୍‍ ଏବଂ ଇଣ୍ଟରନେଟ୍‍ ବ୍ୟବହାର ବହୁତ ବଢ଼଼ିଯାଇଛି। ଏବେ ଅନ୍‍ଲାଇନ୍‍ କ୍ଲାସ୍‍ ବନ୍ଦ ହୋଇ ଶ୍ରେଣୀ ଗୃହରେ ପାଠ ପଢ଼଼ା ଆରମ୍ଭ ହେଲାଣି। କିନ୍ତୁ ମହାମାରୀ ସମୟରେ ଇଣ୍ଟରନେଟ୍‍ ବ୍ୟବହାରରେ ବିରାମ ଲାଗିପାରି ନାହିଁ। ମୋବାଇଲ୍‍ ଫୋନ୍‍, ଟ୍ୟାବ୍‍, କମ୍ପ୍ୟୁଟର୍‍ ପିଲାମାନଙ୍କ ଜୀବନର ସହଚର ହେଲାଣି। ଯଦିଓ ସେମାନେ ଏଥିରୁ ଶିକ୍ଷାଲାଭ କରୁଛନ୍ତି ତଥାପି କୁପଥରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଭିଭାବକ ସବୁବେଳେ ପିଲାମାନଙ୍କ ଉପରେ ନଜର ରଖିବା ସମ୍ଭବ ନୁହେଁ। ତେଣୁ ସଚେତନତା ଦ୍ୱାରା ଇଣ୍ଟରନେଟ୍‍ର ବିପଦ ବିରୋଧରେ ଜାଗରଣ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି।

Leave A Reply

Your email address will not be published.