ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗ : ଜେ.ପି ନଡ୍ଡାଙ୍କ ବକ୍ତବ୍ୟ ଧରା ପକାଇଲା କେନ୍ଦ୍ରର ଆଗ୍ରହ

ଭୁବନେଶ୍ୱର : ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ବିକାଶ ପଥରେ ସବୁଠୁ ବଡ଼ ପ୍ରତିବନ୍ଧକ। ଭିତ୍ତିଭୂମି ନିର୍ମାଣ ଅଗ୍ରଗତିରେ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ସାଧାରଣ ଜନଜୀବନକୁ ବହୁଳ ପ୍ରଭାବିତ କରିଥାଏ। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନର ଯଥାର୍ଥତା ରହିଛି। ଏନେଇ ରାଜ୍ୟ ସରକାର ଜାତୀୟସ୍ତର ବିଭିନ୍ନ ଫୋରମ୍‍ରେ ଦାବି ଉଠାଇ ଆସୁଛନ୍ତି। ସ୍ୱତନ୍ତ୍ର ପାହ୍ୟା ଯଦି ସମ୍ଭବ ନୁହେଁ; ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ବର୍ଷରୁ ଅନୂନ୍ୟ ୩ ବର୍ଷ ଯାଏଁ ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବାକୁ ମଧ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ଭାବେ ମାନ୍ୟତା ଦେବାକୁ ମଧ୍ୟ ଦାବି ରହିଛି। ମାତ୍ର ଏହି ଦାବି ପୂରଣକୁ କେନ୍ଦ୍ର ରାଜ୍ୟ ସ୍ୱାର୍ଥ ଅପେକ୍ଷା ନିଜର ରାଜନୈତିକ ଫାଇଦା ଦୃଷ୍ଟିରେ ଅଧିକ ପରିମାଣରେ ଦେଖୁଥିବା ମନେ ହେଉଛି।

ଆଗକୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ଯଥେଷ୍ଟ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ସେଠାରେ ରାଜନୈତିକ ସଭା ଆୟୋଜନ କରୁଛନ୍ତିି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ହିମାଚଳ ଗସ୍ତ କରିବା ସହ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଏକ ବକ୍ତବ୍ୟ ରଖିଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶ୍ରୀ ନଡ୍ଡା କହିଥିଲେ ଯେ ବିଜେପି ସରକାର ଆସିବା ପରେ ହିଁ ହିମାଚଳ ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିଲା। କଂଗ୍ରେସ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲା। ସ୍ୱତନ୍ତ୍ର ପାହ୍ୟ କାରଣରୁ ରାଜ୍ୟକୁ କେନ୍ଦ୍ରୀୟ ଓ ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ଆକାରରେ ମିଳିପାରୁଛି। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ସ୍ୱତନ୍ତ୍ର ଶିଳ୍ପ ସହାୟତା ମଧ୍ୟ ପ୍ରଦାନ କରାଯାଇଥିବା ନଡ୍ଡା ସୂଚନା ଦେଇଛନ୍ତି। ଏହି ବକ୍ତବ୍ୟ ସ୍ପଷ୍ଟ କରିଛି ଯେ କେନ୍ଦ୍ର ସରକାର ଚାହିଁଲେ ଯେକୌଣସି ସମୟରେ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିପାରିବେ। ସେଠାରେ ବିଜେପି ସରକାର ଥିବାରୁ ହିମାଚଳକୁ ଅନାୟାସରେ ମାନ୍ୟତା ମିଳିଲା। ୨୦୧୪ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ନେଇ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ମାତ୍ର କେନ୍ଦ୍ରରେ କ୍ଷମତା ପାଇବା ସତ୍ତ୍ବେ ଏହାକୁ କାର୍ଯ୍ୟକାରୀ କରି ନ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଇସ୍ତାହାରରୁ ଏହି ପ୍ରତିଶ୍ରୁତି ଉଭାନ ହୋଇ ଯାଇଥିଲା।

‘ନିତି’ ଆୟୋଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ହିମାଚଳ ପ୍ରଦେଶ ସମେତ ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଯାଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କଶ୍ମୀରକୁ ମଧ୍ୟ ଏହି ମାନ୍ୟତା ମିଳିଛି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ତେଣୁ ଏହାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିବା ଅଯୌକ୍ତିକ ନୁହେଁ। ମାତ୍ର ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଏହି ମାନ୍ୟତାରୁ ବଞ୍ଚିତ କରାଯିବା ଆଦୌ ଗ୍ରହଣୀୟ ନୁହେଁ। କେବଳ ପ୍ରାକୃତିକ ବିପର୍ଯ୍ୟୟ ଅନୁଦାନ କି ଅନ୍ୟ ଯୋଜନାରେ ଅନୁଦାନ ହ୍ରାସ ନୁହେଁ; ୨୦୧୪ରୁ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ ନ କରିବା ମଧ୍ୟ ରାଜ୍ୟ ପ୍ରତି କ୍ରମାଗତ ଅବହେଳାକୁ ଦର୍ଶାଉଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।

Leave A Reply

Your email address will not be published.