ବିଧାନସଭାରେ ପୁଣି ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ, ବିଲ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର : ବିଧାନସଭାରେ ପୁଣି ଉଠିଲା ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ। ଦରଦାମ୍ ବଢୁଥିବା କାରଣରୁ ଚଳିବା କଷ୍ଟକର ହୋଇ ପଡିଛି। ଦରମା କମ୍ ସାଙ୍ଗକୁ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ ମଧ୍ୟ ବୃଦ୍ଧି କରାଯାଉ ବୋଲି ନରସିଂହ କହିଛନ୍ତି। ତେବେ ନରସିଂହ ମିଶ୍ର ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ ଗୃହର ସବୁ ସଦସ୍ୟ ସମର୍ଥନ କରିଛନ୍ତି।ବିଜେପି,କଂଗ୍ରେସ ଓ ବିଜେଡିର ସଦସ୍ୟ ମାନେ ଏହି ପ୍ରସଙ୍ଗରେ ବିଚାର କରିବାକୁ ବାଚସ୍ପତିଙ୍କୁ କହିଛନ୍ତି।
ଅନ୍ୟପଟେ ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ଅମର ଶତପଥୀ । କହିଲେ ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ହୋଇଛି । ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ।
ସୂଚନାଯୋଗ୍ୟ ୨୦୨୨ ଜୁଲାଇରେ ହୋଇଥିବା ବିଧାନସଭା ବୈଠକ ସମୟରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିଜେପି,କଂଗ୍ରେସ ଓ ବିଜେଡି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଶେଷ ଥର ପାଇଁ ୧୩.୦୯.୨୦୧୭ ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।
ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ ୯୮ ହଜାର ରହିଛି ତେଣୁ ତାକୁ ବଢାଯାଉ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଥିଲେ । ଅନେକ ସାମାଜିକ କାର୍ଯ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହା ସହ ପୂର୍ବତନ ବିଧାୟକ ମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଥିଲେ ତାରା । ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଛନ୍ତି ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଥିଲେ।
ଏହାପରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ କମିଟି ଗଠନ କରିଥିଲେ। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ରହିଥିଲେ। ଉକ୍ତ ଟିମ୍ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଚାର ବିମର୍ଶ କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ସଂସଦୀୟ ବ୍ୟାପର ବିଭାଗକୁ ଦେଇଛନ୍ତି।
ଏହି ପ୍ରସଙ୍ଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି। ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ। ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି।