ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳା ଆଇପିଏସ୍‌ ଅଙ୍କିତା, ହାତରେ ଏକେ-୪୭ ଧରି କରୁଛନ୍ତି ନକ୍ସଲ ଦମନ ଅପରେସନ୍

ସୁନ୍ଦରତା, ବୁଦ୍ଧି, ସାହସିକତା ତଥା ଷ୍ଟାଇଲିସ୍‌ ଅନ୍ଦାଜ୍‌ ଯୋଗୁଁ ଲୋକପ୍ରିୟତା ଅର୍ଜନ କରିଛନ୍ତି ଆଇପିଏସ୍ ଅଫିସ୍‌ର ଅଙ୍କିତା ଶର୍ମା। ତାଙ୍କ ଭୟଶୂନ୍ୟ କାର୍ଯ୍ୟ ତାଙ୍କୁ ଅସଲ ନାୟିକାର ପରିଚୟ ଦେଇଛି। ତା’ ସହ ଭାରତର ଲେଡି ସିଂଘମ୍‌ ଭାବେ ପାଇଛନ୍ତି ଭିନ୍ନ ଏକ ପରିଚୟ। ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତରରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍‌ (ଏଏସ୍‌ପି) ଭାବେ କାର୍ଯ୍ୟ କରୁଛନ୍ତି ଅଙ୍କିତା। ଛତିଶଗଡ଼ର ପ୍ରଥମ ମହିଳା ଆଇପିଏସ୍‌ ଅଙ୍କିତାଙ୍କ ଏହି ଯାତ୍ରା ଆଦୌ ସହଜ ନ ଥିଲା। ଦୁଇ ଦୁଇ ଥର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ସତ୍ତ୍ବେ ସେ ଲକ୍ଷ୍ୟପଥରେ ଅଟଳ ରହି ନିଜ ସ୍ବପ୍ନ ପୂରଣ କରିଛନ୍ତି।

ସରକାରୀ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା

୧୯୯୨ ଏପ୍ରିଲ୍ ୨୫ରେ ଛତିଶଗଡ଼ ଦୁର୍ଗରେ ଅଙ୍କିତାଙ୍କ ଜନ୍ମ। ଅଙ୍କିତାଙ୍କ ବାପା ରାକେଶ ଶର୍ମା ଜଣେ ବ୍ୟବସାୟୀ ଓ ମାଆ ସବିତା ଶର୍ମା ଗୃହିଣୀ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସରକାରୀ ସ୍କୁଲରୁ ଆରମ୍ଭ ହୋଇଥିଲା। ଗ୍ରାଜୁଏସନ୍‌ ପରେ ଅଙ୍କିତା ଏମ୍‌ବିଏ କଲେ। ଏମ୍‌ବିଏ ପରେ ସିଭିଲ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି ଲାଗି ଗଲେ ଦିଲ୍ଲୀ। ଛଅ ମାସ ସେଠାରେ ରହିବା ପରେ ସେ ନିଜ ଘରେ ପଢ଼ାର ସମସ୍ତ ପ୍ରସ୍ତୁତି ଚଳାଇଲେ।

ପିଲାଟି ବେଳୁ ଆଇପିଏସ୍‌ ଲକ୍ଷ୍ୟ

ତାଙ୍କର ପିଲାଟି ବେଳୁ ଆଇପିଏସ୍‌ ହେବାର ଇଚ୍ଛା ଥିଲା। କିନ୍ତୁ ସେତେବେଳେ ଏ ବାବଦରେ ତାଙ୍କୁ ବେଶି କିଛି ଜଣା ନ ଥିଲା। ଏ ଦିଗରେ ତାଙ୍କର କେହି ମାର୍ଗଦର୍ଶକ ନ ଥିବା ସେ ଏକ ସାକ୍ଷାତକାରରେ କହିଥିଲେ।

ତୃତୀୟ ପ୍ରୟାସରେ ସଫଳତା

ସିଭିଲ ସର୍ଭିସ ପରୀକ୍ଷାରେ ଅଙ୍କିତାଙ୍କୁ ପ୍ରଥମ ଦୁଇଟି ପ୍ରୟାସରେ ସଫଳତା ମିଳି ନ ଥିଲା। ତେବେ ତାଙ୍କ ମନୋବଳ ଭାଙ୍ଗି ନ ଥିଲା। ନିଜ ଲକ୍ଷ୍ୟ ପୂରଣ କରିବା ଦିଗରେ ସେ ଆଗକୁ ବଢ଼ିଲେ। ୨୦୧୮ରେ ତୃତୀୟ ପ୍ରୟାସରେ ତାଙ୍କୁ ସଫଳତା ମିଳିଲା। ୟୁପିଏସ୍‌ସି ସିଭିଲ୍ ସେବା ପରୀକ୍ଷାରେ ରଖିଲେ ସେ ୨୦୩ ରାଙ୍କ। ତାଙ୍କ ସ୍ବପ୍ନ ପୂରଣ ହେବା ସହ ହୋମ୍‌ କ୍ୟାଡର ପାଇ ଛତିଶଗଡ଼ର ପ୍ରଥମ ମହିଳା ଆଇପିଏସର ଗୌରବ ହାସଲ କଲେ।

ଆଇପିଏସ୍‌ ପୂର୍ବରୁ ବାହାଘର

ଅଙ୍କିତାଙ୍କ ବାହାଘର ଆଇପିଏସ୍‌ ହେବାର ବହୁ ପୂର୍ବରୁ ସରିଥିଲା। ତାଙ୍କ ସ୍ବାମୀ ବିବେକାନନ୍ଦ ଶୁକ୍ଳା ଭାରତୀୟ ସେନାରେ ମେଜ୍‌ର ଅଛନ୍ତି। ସ୍ବାମୀଙ୍କ ସହ ରହିବା ବେଳେ ତାଙ୍କୁ ଜମ୍ମୁ-କାଶ୍ମୀର, ହାଇଦ୍ରାବାଦ୍‌ରେ ବି କିଛି କାଳ ବିତାଇବାକୁ ପଡ଼ିଥିଲା।

ଘୋଡ଼ାଚଢ଼ା ଓ ବ୍ୟାଡ୍‌ମିଣ୍ଟନ ପ୍ରେମୀ

ଅଙ୍କିତାଙ୍କ ସଉକ ଘୋଡ଼ା ଚଢ଼ିବା ଓ ବ୍ୟାଡମିଣ୍ଟନ ଖେଳିବା। ଏପରିକି ଇନଷ୍ଟାଗ୍ରାମ୍‌ରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ଅଧିକ। ଅନେକ ସମୟରେ ଘୋଡ଼ାଚଢ଼ାର ଫଟୋ ସେ ଇନଷ୍ଟା ପେଜ୍‌ରେ ସେୟାର୍ କରନ୍ତି। ୨୦୨୦ ଗଣତନ୍ତ୍ର ଦିବସରେ ସେ ଛତିଶଗଡ଼ ରାଜଧାନୀ ରାୟପୁରରେ ପରେଡ୍‌ର ନେତୃତ୍ବ ନେଇଥିଲେ। ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାରେ ଅଙ୍କିତା ହେଉଛନ୍ତି ଛତିଶଗଡ଼ର ପ୍ରଥମ ମହିଳା ପୁଲିସ ଅଧିକାରୀ।

ଶିକ୍ଷାଦାତ୍ରୀ

କଠିନ ପରିସ୍ଥିତିରୁ ଶିକ୍ଷା ପାଇଥିବା ଅଙ୍କିତା ଅନ୍ୟମାନଙ୍କ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଫାଙ୍କା ସମୟରେ ସେ ଅନ୍‌ଲାଇନ୍ କ୍ଲାସ୍‌ ନିଅନ୍ତି। ଏପରିକି ତାଙ୍କ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଥରେ ଦେଖା କରନ୍ତି। ତା’ସହ ପ୍ରତ୍ୟହ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରନ୍ତି। ଏଯାବତ୍ ସେ ୧୦୦ ମହିଳାଙ୍କୁ ସିଭିଲ୍ ସର୍ଭିସ ପରୀକ୍ଷା ପ୍ରସ୍ତୁତି ଦିଗରେ ସାହଯ୍ୟ କରିଛନ୍ତି।

ଅପରାଧ ଉପରେ ଅଙ୍କୁଶ ଲଗାଇଲେ

ରାୟପୁରରେ ଆଇପିଏସ୍‌ ଅଫିସର ଭାବେ ୨୦୧୮ରେ ତାଙ୍କୁ ପ୍ରଥମେ ନିଯୁକ୍ତି ମିଳିଥିଲା। ୨୦୨୧ରେ ସେ ନକ୍ସଲ ପ୍ରବଣ ବସ୍ତରରେ ଏସ୍‌ପି ଭାବେ ନିଯୁକ୍ତ ହେଲେ। ବର୍ତ୍ତମାନ ସେ ନକ୍ସଲ ଦମନ ଅଭିଯାନ ଅପରେସନ୍ ବସ୍ତରର କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି। ହାତରେ ଏକେ-୪୭ ରାଇଫଲ ଧରି ସାହସର ସହ କାର୍ଯ୍ୟ କରୁଛନ୍ତି। ତାଙ୍କର ସାହସ ଓ କାର୍ଯ୍ୟଦକ୍ଷତାକୁ ଦେଖି ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି। ଏପରିକି ଅଭିନେତ୍ରୀ ରବିନା ଟଣ୍ଡନ ତାଙ୍କୁ ‘ଅସଲ ନାୟିକା’ ବୋଲି କହିଛନ୍ତି।

Leave A Reply

Your email address will not be published.