ଆଜି ଦିଲ୍ଲୀ – ଚେନ୍ନାଇ ପ୍ରଥମ କ୍ବାଲିଫାୟର୍‌, ଦେଖିବାକୁ ମିଳିବ କଡ୍ଡା ଟକ୍କର

ଦୁବାଇ: ବିଶ୍ଵ କ୍ରିକେଟ ସମର୍ଥକଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୮ଟି ଦଳ ଡବଲ ରାଉଣ୍ଡ ରବିନ୍ ଲିଗ୍ ଭିଭିରେ ଖେଳାଯାଇଥିଲାବେଳେ
୧୪ଟି ମ୍ୟାଚ୍ରୁ ଋଷଭ ପନ୍ତ୍ରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୧୦ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିଲା। ଏହା ପଛକୁ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ। କିନ୍ତୁ ନେଟ ରନ ରେଟ୍‌ରେ ଚେନ୍ନାଇ ଦ୍ବିତୀୟ ଓ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ସମାନ ଭାବେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସମାନ ପଏଣ୍ଟ ସଂଗ୍ରହ କରିଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ନେଟରନ୍ ରେଟ୍‌ ହିଁ ଚୂଡାନ୍ତ ସ୍ଥାନ ସ୍ଥିର କରାଯାଇଥିଲା । ଫଳରେ କୋଲକାତା ଚତୁର୍ଥ ସ୍ଥାନ ହାସଲ କରି ପ୍ଲେ ଅଫ୍‌ରେ ସ୍ଥାନ ପାଇଥିଲାବେଳେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବଇ ୫ମ ସ୍ଥାନ ହାସଲ କରି ପ୍ଲେ ଅଫ୍‌କୁ ଯାଇ ପାରି ନଥିଲା।

ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ,  ଅକ୍ଟୋବର ୧୦ରେ ଖେଲାଯିବାକୁ ଥିବା  ପ୍ରଥମ କାଲିଫାୟରରେ ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହବ ସେହି ଧଳ ସିଧାସଳଖ ଫାଇନାଲ ଖେଳିବ। ପରାଜିତ ଦଳ  ଦ୍ୱିତୀୟ କ୍ୱାଲିଫାୟରରେ ମୁକାବିଲା ଖେଳିବ । ଅକ୍ଟୋବର ୧୧ରେ ଏଲିମିନେଟର ତୃତୀୟ ଓ  ଓ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ପ୍ରଥମ କାଲିଫାୟରର ପରାଜିତ ଦଳ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିବା ହିତୀୟ କ୍ୱାଲିଫାୟରରେ ମୁକାବିଲା କରିବ । ଏହି ମୁକାବିଲାର ବିଜେତା ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନୀତ ହେବ। ଅକ୍ଟୋବର ୧୫ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ଏହିକ୍ରମରେ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ପ୍ରଥମ କାଲିଫାୟର ରବିବାର ଅର୍ଥାତ ଆଜି ରାତି ୭ଟାରେ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିବା ଦିଲ୍ଲୀ ଦଳ ଏଥର ଟାଇଟଲ ଜିତିବ ବୋଲି ଆଶା କରାଯାଉଛି। ବ୍ୟାଟିଂ ହେଉ କିମ୍ବା ବୋଲିଂ, ସିନିଅର ହୁଅନ୍ତୁ କିମ୍ବା ଜୁନିଅର ଖେଳାଳି ସମସ୍ତେ ମିଳିତ ଭାବେ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି । ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ଦଳ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି ଓ ୨ଟିରେ ପରାଜିତ ହୋଇଛି । ଏଣୁ ଦଳ ଭଲ ଫର୍ମରେ ଅଛି। ଏପରିକି ଚେନ୍ନାଇ ସହ ଏଠାରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ୩ ୱିକେଟରେ ବିଜୟୀ ହୋଇଥିଲା। ସବୁ ଦୃଷ୍ଟିରୁ ଦେଖିଲେ ଚେନ୍ନାଇକୁ ହରାଇବା ଲାଗି ଦିଲ୍ଲୀ ନିକଟରେ ସମସ୍ତ ଅସ୍ତ୍ରଶସ୍ତ୍ର ରହିଛି। ଅନ୍ୟପକ୍ଷରେ ବରିଷ୍ଠ ଖେଳାଳିମାନଙ୍କୁ ଦଳରେ ସାମିଲ କରି ଖେଳୁଥିବାରୁ ଚେନ୍ନାଇକୁ ‘ଡା ଆର୍ମି’ ଟିମ୍ ବୋଲି କୁହାଯାଉଥିଲା ।

କିନ୍ତୁ ଦଳରେ ନବାଗତ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଏହି ନାମର ଯଥାର୍ଥତାକୁ ପର୍ଯ୍ୟାୟକ୍ରମେ ଭୁଲ ପ୍ରମାଣିତ କରିବାରେ ଲାଗିଛି । ଦଳ କିନ୍ତୁ ଏଠାରେ ୭ଟି ମ୍ୟାଚ୍ ଖେଳି ପ୍ରଥମ ୪ଟିରେ ଜିତିଥିଲାବେଳେ ଶେଷ ୩ଟିରେ ହାରିଯାଇଛି । ଶେଷ ୩ଟି ଯାକ ମୁକାବିଲାରେ ଚେନ୍ନାଇ ବଡ ସ୍କୋର ଏବଂ କମ୍ ସ୍କୋର କରି ଏହାକୁ ଡିଫେଣ୍ଡ କରିବାରେ ଅସମର୍ଥ ହୋଇଛି। ଏହି ପରାଜୟ ଲାଗି ଦଳ ବ୍ୟାଟିଂ ବିଫଳତାକୁ ନା ବୋଲିଂକୁ ଦୋଷ ଦେବ ତାହା କହିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ଚେନ୍ନାଇ କିଭଳି ପ୍ରଦର୍ଶନ କରିବ ତାହାକୁ ନେଇ ଆଶଙ୍କା ରହିଛି।

ପ୍ରଥମ ପ୍ରଚେଷ୍ଟାରେ ଫାଇନାଲରେ ପ୍ରବେଶ କରିବାକୁ ହେଲେ ପ୍ରଥମ କ୍ରାଲିଫାୟରରେ ମ୍ୟାଚ୍ ଜିତିବା ଆବଶ୍ୟକ। ଏଣୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବେ । ଯାହା ଫଳରେ ମ୍ୟାଚଟି ପ୍ରତିଦ୍ବନ୍ଦିତାମୂଳକ ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

Leave a comment