ଆଜି ଆନ୍ତର୍ଜାତିକ ଦେହଜୀବୀ ଦିବସ : ଆମକୁ ବି ସମ୍ମାନ ଦରକାର

ଭୁବନେଶ୍ୱର : ଏଠି ବିଏମ୍‍ଡବ୍ଲ୍ୟୁ, ବୁଲେଟର ଘୋ’ ଘା ଶବ୍ଦ ଭିତରେ ଉଭେଇଯାଏ ସେ କଇଁ କଇଁ ସ୍ୱର। ଲୁହ ଶୁଖିବା ଆଗରୁ ପୁଣିଥରେ ଲଗାଇବାକୁ ପଡ଼େ କଜଳ ଓ ଲାଇନର୍‍ର ଗାଢ଼ ରଙ୍ଗ। ଓଦା ଓଠ ଶୁଖିବା ପୂର୍ବରୁ ବୋଳିବାକୁ ହୁଏ ଫାଉଣ୍ଡେସନ୍‍ ଓ ଲିପ୍‍ଷ୍ଟିକ୍‍ର ବହଳ ପରସ୍ତ। ରସୁଲଗଡ଼ ଆଡୁ ଭୁବନେଶ୍ୱର ପଶିଲା ବେଳେ ରାଜଧାନୀ ରାଜରାସ୍ତା କଡ଼ରେ ପ୍ରତିଦିନ ଚାଲେ ଏମିତି ବ୍ୟବସାୟ। ୩ରୁ ୪ ଜଣ ଅଳ୍ପ ବୟସ୍କା ରାସ୍ତା କଡ଼ରେ ଚୂଲି ଜାଳି ରୋଷେଇ କରୁଥିବା ବେଳେ ଚାରିଆଡ଼େ ଜରିଦିଆ ପାଲ ଓ କିଛି ସିମେଣ୍ଟ ଘର। ତାର ବାଡ଼ରେ ଶୁଖାଯାଇଛି ଅଳ୍ପ କିଛି ଓଦା ଲୁଗା। ଏମିତି ଏକ ପାରିପାର୍ଶ୍ବିକ ପରିବେଶ ଭିତରେ ଆମେ ଆବିଷ୍କାର କଲୁ ମମତା ଅପା (ଚଦ୍ମନାମ)ଙ୍କୁ। ମଧ୍ୟବୟସ୍କା ମମତା ଅପା କାଳେ ଏହା ପୂର୍ବରୁ ଜଣେ ଦେହଜୀବୀ ଥିଲେ। ୭ ବର୍ଷ ହୋଇଗଲାଣି ସେ ଏସବୁ ଛାଡ଼ି ଦେଇଛନ୍ତି। ହେଲେ ସେ ବୃତ୍ତି ତାଙ୍କୁ ଛାଡ଼ି ପାରିନି।

ନିଜେ ସିନା କାମ କରୁନାହାଁନ୍ତି, ହେଲେ ତାଙ୍କ ଭଳି ଏକାକୀ ମହିଳା ଓ ଯୁବତୀଙ୍କୁ ରଖି କାମ କରାଉଛନ୍ତି। ଯିଏ ଯେତୋଟି କାମ କଲା ତାକୁ ସେହି ହିସାବରେ ପଇସା ବି ଦେଉଛନ୍ତି। ନିଜ ଜୀବନର କାହାଣୀ ବାବଦରେ ମମତା କହନ୍ତି; କେନ୍ଦ୍ରାପଡ଼ାରେ ତାଙ୍କ ଘର। ମୁଁ ବି ଅନ୍ୟ ମହିଳାମାନଙ୍କ ଭଳି ପତିବ୍ରତା ଥିଲି। ସ୍ୱାମୀଙ୍କ ପାଦ ଧରି ପାଣି ପିଉଥିଲି। ୫ଟା ଝିଅ ମୋର। ସ୍ୱାମୀ ବି ରୋଜଗାରିଆ। ଆପଣ ଭାବୁଥିବେ ଏତେ ସବୁ ଭିତରେ ଏମିତି ରାସ୍ତାକୁ କାହିଁକି ଆସିଲି? ୧୪ କି ୧୫ ବର୍ଷ ବୟସ ହୋଇଥିଲା। ଘର ଲୋକ ବାହାଘର କରାଇ ଦେଲେ। ବୋହୂ ହୋଇ ଶାଶୂ ଘରକୁ ଆସିଲା ଦିନରୁ ମୋ ଜୀବନରେ ଶାନ୍ତି ନାହିଁ। କଥା କଥାରେ ମୋ ଉପରକୁ ହାତ ଉଠାନ୍ତି ଶ୍ୱଶୁର ଘର ଲୋକେ। କାଠ ଫାଳିଆ, ପଥର, ଲୁହାଛଡ଼ ସବୁଥିରେ ମାଡ଼ ଖାଇଛି। ମୋ ଦେହରେ ଯେଉଁ ଦାଗ ଦେଖୁଛନ୍ତି, ଗାଲରେ ଯେଉଁ କ୍ଷତ ଚିହ୍ନ ସେସବୁ ମୋ ସ୍ୱାମୀଙ୍କ ପ୍ରେମର ଦାଗ। ସେ ମୋ ମୁହଁକୁ ପଥରରେ ଛେଚି ଦେଇଥିଲା।

ପୁଅ ଜନ୍ମ କରି ପାରୁନି ବୋଲି ଏତେସବୁ କଷଣ। ୮ ବର୍ଷ ରହଣି ଭିତରେ ୫ଟା ଝିଅଙ୍କୁ ଜନ୍ମ ଦେଇଛି। ଲାଗୁଥିଲା ସତେ ଯେମିତି ମୁଁ ଥିଲି ଛୁଆ ଜନ୍ମ କରିବା ମେସିନ। ସବୁପରେ ବି ଯେବେ ମୋର ପୁଅ ହେଲାନି ମୋତେ ମୋ ସ୍ୱାମୀ ଘରୁ ବାହାର କରିଦେଲେ। ଗୋଟେ ପରେ ଗୋଟେ ୫ଟା ସ୍ତ୍ରୀକୁ ଆଣି ରଖିଲେ। ପୁଅ ପାଇଁ ଏତେ ଅତ୍ୟାଚାର କରୁଥିଲେ ଯେ ବିଷ ପିଇ ଦେଇଥିଲି। ଭାବୁଥିଲି ସବୁ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିଯିବ। ହେଲେ ସେଇଟା ବି ଈଶ୍ୱର ସହିଲେନି। ତାଙ୍କୁ ଖବର ମିଳିଗଲା। ସେ ଆସି ମୋତେ ତଣ୍ଟି ଚିପି, ଚୁଟି ଘୋଷାଡ଼ି ଗାଁ ରାସ୍ତାରେ ଟାଣି ଟାଣି ଡାକ୍ତରଖାନା ନେଇଗଲେ। ସେଠୁ ଆସିବା ପରେ ଘରେ ପୂରାଇ ଦେଲେନି। ଜୀବନରେ ମାରିଦେବାକୁ ଧମକ୍‍ ଦେଲେ। ସେଇଥିପାଇଁ ଭୁବନେଶ୍ୱର ପଳାଇ ଆସିଲି। ୫୦୦ ଗ୍ରାମ ଚୁଡ଼ା ଖାଇ ତିନି ଦିନ କାଟିଛି। ୨୦ ବର୍ଷରୁ ବେଶୀ ସମୟ ହୋଇଗଲାଣି ଭୁବନେଶ୍ୱରରେ ରହୁଛି। ଆଉ ଏହି ବୃତ୍ତିରେ।

ଏତିକି ଶିଖିଲି ଏଠି ଦେହ ଦେଲେ ପେଟର ଭୋକ ମେଣ୍ଟେ। ଏସବୁ ଗପ ନୁହେଁ। ମୋ ଅନୁଭୂତିର କଥା। ଏଠି ବାଲି ସିମେଣ୍ଟ କାମ କରିବା ପାଇଁ ସୁପରଭାଇଜର୍‍ ସହ ଶୋଇବାକୁ ହେବ। ରାଜମିସ୍ତ୍ରି କାମ କରିବା ପାଇଁ ତା ଦେହ ଉଷୁମ କରିବାକୁ ହେବ। ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ହେଲେ ଠିକାଦାର ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ। ଯଦି ଏସବୁର ମୂଳରେ ଏ ଦେହ ତେବେ କାହିଁକି ଜଣେ ଏ ବୃତ୍ତିକୁ ଆସିବନି! ମୋ ସହ ବି ସେମିତି ହେଲା। ମୋ ଏକଲାପଣ ଦେଖି ଲୋକଙ୍କ ଦୃଷ୍ଟିଭଙ୍ଗୀ ମୋ ପ୍ରତି ବଦଳିଗଲା। ଯେଉଁଠି କାମ କରିବା ପାଇଁ ଗଲି ସେଠି ଲୋକେ ମୋ ଦେହକୁ ଚାହିଁଲେ। ଶେଷରେ ଜଣେ ବ୍ୟକ୍ତି ସହାୟତାରେ ମୁଁ ଏଇ ଅନ୍ଧାରୀ ମୁଲକରେ ପାଦ ଥାପିଲି। ପ୍ରଥମେ ପ୍ରଥମେ କଷ୍ଟ ହେଉଥିଲା। ଆତ୍ମସମ୍ମାନ କ୍ଷୂର୍ଣ୍ଣ ହେଲା ଭଳି ହୃଦ୍‍ବୋଧ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ଏସବୁ ଦେହସୁହା ହୋଇଗଲା। ଟଙ୍କା ବି ଦି ପଇସା ଘରକୁ ଆସିଲା।

ସେତେବେଳକୁ ମୋ ବଡ଼ ଝିଅର ବାହାଘର ହୋଇ ସାରିଥାଏ। ଥଣେ ଟଙ୍କା ରୋଜଗାର କଲା ପରେ ଧୀରେ ଧୀରେ ଅନ୍ୟ ୪ ଝିଅଙ୍କୁ ମୋ ପାଖକୁ ନେଇ ଆସିଲି। କିଛି ଦିନ ପରେ ଶୁଣିଲି ମୋର ନାତୁଣୀଟିଏ ହୋଇଛି। ଖୁସିରେ ଆତ୍ମହରା ହୋଇ ଉଠିଲା ବେଳେ ଜାଣିଲି ବୋ ବଡ଼ ଝିଅକୁ ତା ସ୍ୱାମୀ ଛାଡ଼ି ଦେଇଛି। କିଛି ବୁଝିବା ଓ ବୁଝାଇବା ଆଗରୁ ବଡ଼ ଝିଅ ନାତୁଣୀକୁ ଧରି ମୋ ପାଖକୁ ପଳାଇ ଆସିଲା ଭୁବନେଶ୍ୱର। ସେତେବେଳେ ମୁଁ ଭଲ ଆୟ କରୁଥିଲି। ଯେମିତି ମୋ ଭଳି ଭାଗ୍ୟ ମୋ ପିଲାଙ୍କର ନ ହେଉ ସେଥିପାଇଁ ସବୁବେଳେ ସେମାନଙ୍କୁ ଏହି ବୃତ୍ତିରୁ ଦୂରେଇ ରଖିଛି। ହେଲେ ବଡ଼ ଝିଅ ଅନ୍ୟ ଉପାୟ ନ ପାଇ ଏହି ବୃତ୍ତିକୁ ପଳାଇ ଆସିଲା। ଜୀବନରେ ସେଇ ଗୋଟିଏ ଦୁଃଖ ମୋତେ ରାତି ତମାମ ଶାନ୍ତିରେ ଶୁଆଇ ଦିଏନି।

ଏଇ ବୃତ୍ତିରେ ଅନେକ ଲୋକଙ୍କ ପାଖକୁ ଯାଇଛି। ଗରିବ ଦିନ ମଜୁରିଆରୁ ଆରମ୍ଭ କରି ବଡ଼ବଡ଼ ବାବୁମାନଙ୍କୁ ଆଟେଣ୍ଡ କରିଛି। ଅନେକ ଖରାପ ପରିସ୍ଥିତିର ସାମ୍ନା କରିଛି। ଲୋକେ ଶାରୀରିକ ସମ୍ପର୍କ ରଖି ସାରିବା ବେଳେ ଖରାପ ଭାଷାରେ ଗାଳିଗୁଲଜ କରିଛନ୍ତି। ଅନେକ ଗ୍ରାହକ ଦେହରେ ବ୍ଲେଡ ମାରିଦେଇଛନ୍ତି। କିଏ ନୃଶଂସ ହୋଇ ବାଡ଼େଇଛି ତ ଆଉ କିଏ ଭିଡଓ ଭାଇରାଲ କରିଛି। ସେସବୁକୁ ଅଣଦେଖା କରିବାକୁ ପଡ଼ିଛି। ଖାକି ବାବୁମାନେ ଏଠାକୁ ଆସନ୍ତି। ମାଗଣାରେ ଦେହସୁଖ ପାଇଁ ଆଖି ଦେଖାନ୍ତି। ପ୍ରତି ମୂହୁର୍ତ୍ତରେ ରେଡ ହେବାର ଭୟ। ଏବେ ଶୁଣୁଛି ମାନ୍ୟବର ସୁପ୍ରିମକୋର୍ଟ କାଳେ ଏହାକୁ ଏକ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ଲାଗୁଛି ଏବେ ଆମେ ଅନ୍ତତଃପକ୍ଷେ ଟିକେ ସମ୍ମାନର ସହ ବଞ୍ଚି ପାରିବୁ।

Leave a comment