ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଲୋକଙ୍କ ପସନ୍ଦ ପାଲଟିଛି ଅନ୍ତର୍ଜାତୀୟ ବ୍ରାଣ୍ଡ୍‌‌ର ସାମଗ୍ରୀ; ଭୁବନେଶ୍ୱରରେ ଉପଲବ୍ଧ ବିଭିନ୍ନ ସାମଗ୍ରୀର ସ୍ୱତନ୍ତ୍ର ଆଉଟ୍‌‌ଲେଟ୍‌‌

ଭୁବନେଶ୍ୱର: ଜଗତୀକରଣ କ୍ଷେତ୍ରରେ ଆମେମାନେ ଢେର୍‌‌ ଆଗେଇଛନ୍ତି। ଯାହାର ପରିଣାମ ସ୍ୱରୂପ ବିଶ୍ୱ ଆଜି ଏକ ହେବାକୁ ଯାଉଛି। ଆମ ଦେଶରୁ ଉତ୍ପାଦିତ ସାମଗ୍ରୀ ବିଦେଶରେ ସହଜରେ ଉପଲବ୍ଧ ହେଉଥିବା ବେଳେ ବିଭିନ୍ନ ବିଦେଶୀ ବ୍ରାଣ୍ଡ୍‌‌ର ସାମଗ୍ରୀ ବା ଉତ୍ପାଦ ଏବେ ଭାରତରେ ଅତି ସହଜରେ ଉପଲବ୍ଧ ହେଉଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌‌ର ସାମଗ୍ରୀ। ଅନ୍ତର୍ଜାତୀୟ ବ୍ରାଣ୍ଡ୍‌‌ର ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ପ୍ରସାଧନ ସାମଗ୍ରୀର ସ୍ୱତନ୍ତ୍ର ଆଉଟ୍‌‌ଲେଟ୍‌‌ ଏବେ ଭୁବନେଶ୍ୱରରେ ଉପଲବ୍ଧ ହେଉଛି। ଭୁବନେଶ୍ୱରରେ ଏବେ ପ୍ରାୟ ଶତାଧିକ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌‌ର ସ୍ୱତନ୍ତ୍ର ଆଉଟ୍‌‌ଲେଟ୍‌‌ ରହିଥିବା ଦେଖିବାକୁ ମିଳିଛି।

ଗ୍ରାହକଙ୍କୁ ଟାଣୁଛି ଡୋମିନସ, ପିଜାହଟ୍‌‌
ରାଜଧାନୀରେ ଜଙ୍କଫୁଡ୍‌‌ର ଚାହିଦା ବଢ଼଼ୁଛି। ଜଙ୍କଫୁଡ୍‌‌ ପ୍ରତି ଆଗ୍ରହ ରଖୁଥିବା ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ରହୁଛି ପିଜା। ଯାହାର ପରିଣାମ ସ୍ୱରୂପ ସହରରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଫୁଡ୍‌‌ ଆଉଟ୍‌‌ଲେଟ୍‌ ଗୁଡ଼ିକ ଖୋଲିବାରେ ଲାଗିଛି। ଏଥି ମଧ୍ୟରୁ ଦୁଇଟି ଅନ୍ତର୍ଜାତୀୟ ପିଜା ରେଷ୍ଟୁରାଣ୍ଟ ଚେନ୍‌‌ ଡୋମିନୋସ ଓ ପିଜାହଟ୍‌‌ ସେମାନଙ୍କର ବ୍ୟାବସାୟ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ୧୮ ବର୍ଷ ତଳୁ ଭୁବନେଶ୍ୱରରେ ‘ପିଜା ହଟ୍‌‌’ ଓଡ଼ିଶାରେ ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ସେ ସମୟରୁ ଭବିଷ୍ୟତ ଦେଖିଥିଲା। ଖାରବେଳ ନଗରରେ ଏହି ବ୍ରାଣ୍ଡ ନିଜର ପ୍ରଥମ ଆଉଟ୍‌‌ଲେଟ ଖୋଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସହରରେ ୫ ଟି ଆଉଟ୍‌‌ଲେଟ୍‌‌ ଖୋଲିସାରିଛି। ସହରର ସମସ୍ତ ବଡ଼ ବଡ଼ ମଲ୍‌‌ ଓ କଲେଜ୍‌‌ ନିକଟରେ ଏହି ପିଜା ନିଜର ଆଉଟ୍‌ଲେଟ୍‌ ଖୋଲିଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ସମାନ ଭାବେ ଡୋମିନୋସ୍‌ ମଧ୍ୟ ଭୁବନେଶ୍ୱରରେ ଅଦ୍ଭୁତପୂର୍ବ ସଫଳତା ପାଇଛି। ପିଜାହଟ୍‌‌ ତୁଳନାରେ ଡୋମିନୋସ ସାମାନ୍ୟ ବିଳମ୍ବରେ ଓଡ଼ିଶା ପ୍ରବେଶ କରିଥିଲେ ମଧ୍ୟ ଏହା ଖୁବ୍‌‌ଶୀଘ୍ର ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହୋଇଛି। ଜନପଥରେ ଡୋମିନୋସ୍‌‌ ପ୍ରଥମ ଆଉଲେଟ୍‌‌ ଖୋଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସହରରେ ପ୍ରାୟ ୧୪ ଟି ଆଉଟ୍‌‌ଲେଟ୍‌‌ ଖୋଲିବାରେ ସଫଳ ହୋଇଛି। ସହରର ବଡ଼ବଡ଼ ମଲ୍‌‌ ଓ କଲେଜ ଅଞ୍ଚଳ ସହିତ ଗଳିକନ୍ଦିରେ ଏବେ ଡୋମିନୋସ୍‌‌ ନିଜର ଆଉଟ୍‌‌ଲେଟ ଖୋଲିପାରିଛି। ଏହି ଦୁଇ ଅନ୍ତର୍ଜାତୀୟ ଫୁଡ୍‌‌ ଚେନ୍‌‌ କମ୍ପାନୀ ରାଜଧାନୀରେ ପିଜା ଡେଲିଭରି, ଟେକ୍‌‌-ଆୱେ ଓ ଡାଇନ୍‌‌-ଇନ୍‌‌ ସୁବିଧା ଉପଲବ୍ଧ କରାଉଛନ୍ତି। ଅଧିକାଂଶ ସମୟରେ ଏହି ଷ୍ଟୋର୍‌‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ପ୍ରାୟ ସବୁ ରାସ୍ତାରେ ଏହି ଦୁଇ କମ୍ପାନୀର ଡେଲିଭରି ବୟଙ୍କୁ ଦେଖିବାକୁ ମିଳେ।

ଖୋଲିସାରିଛି ମ୍ୟାକ୍‌ଡୋନାଲ୍ଡସ
ଗତ ୫ ମାସ ତଳେ ଭୁବନେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଫୁଡ୍‌‌ ଚେନ୍‌‌ ମ୍ୟାକ୍‌ଡୋନାଲ୍ଡସ ନିଜର ଷ୍ଟୋର ଖୋଲିଛି। ଡମଣା ନନ୍ଦନକାନନ ରାସ୍ତାରେ ଏହି ଷ୍ଟୋର୍‌‌ ଖୋଲିଥିବା ବେଳେ ରାଜଧାନୀର ପ୍ରଥମ ଷ୍ଟୋର ସହିତ ମ୍ୟାକ୍‌ଡୋନାଲ୍ଡସ ଓଡ଼ିଶା ପ୍ରବେଶ କରିଛି। ଏହି ଆଉଟ୍‌‌ଲେଟ୍‌‌ ଖୋଲିବା ପରେ ଅନେକ ଖାଦ୍ୟପ୍ରେମୀଙ୍କର ଏଠାରେ ଭିଡ଼ ଜମୁଛି। ଉଭୟ ଭେଜ୍‌‌ ଓ ନନ୍‌‌ଭେଡ୍‌‌ ଆଇଟମ୍‌‌ ଏଠାରେ ମିଳୁଛି। ଫଳରେ ଜଙ୍କଫୁଡ୍‌‌ ଆଗ୍ରହୀ ଲୋକମାନେ ଏଠାକୁ ଯିବାକୁ ପସନ୍ଦ କରୁଛନ୍ତି। ମ୍ୟାକ୍‌ଡୋନାଲ୍ଡସରେ ମୁଖ୍ୟତଃ ବର୍ଗର ପ୍ରତି ଗ୍ରାହକଙ୍କ ଚାହିଦା ଅଧିକ ରହୁଥିବା ବେଳେ ଫ୍ରେଞ୍ଚ ଫ୍ରାଏ, ଚିକେନ୍‌‌ ଉଇଙ୍ଗସ୍‌‌, ସ୍ପାଇସ୍‌‌ ଚିକେନ୍‌‌, ଚିକେନ୍‌‌ ମହାରାଜା, ଚିକେନ୍‌‌ ମ୍ୟାକଗ୍ରିଲ୍‌‌ ସହିତ ବହୁ ଆଇଟମ୍‌‌ ଉପଲବ୍ଧ ଅଛି।

ବଢୁଛି ବର୍ଗର କିଙ୍ଗ୍‌‌
ଆମେରିକାର ବର୍ଗର କିଙ୍ଗ ଭୁବନେଶ୍ୱରରେ ବ୍ୟବସାୟ ବଢ଼଼ାଇବାରେ ଲାଗିଛି। ନିଜର ସ୍ୱତନ୍ତ୍ର ବର୍ଗର ପାଇଁ ପରିଚୟ ପାଇଥିବା ଏହି ବହୁ ରାଷ୍ଟ୍ରୀୟ ଫୁଡ୍‌‌ ଚେନ୍‌‌ କମ୍ପାନୀ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ନିଜର ଆଉଟ୍‌‌ଲେଟ୍‌‌ ଖୋଲିବାରେ ଲାଗିଛି। ବର୍ଗର କିଙ୍ଗ୍‌‌ ସହରର ସବୁ ବଡ଼ ମଲ୍‌‌ରେ ନିଜର ଆଉଟ୍‌‌ଲେଟ୍‌‌ ଖୋଲିସାରିଛି। ଛୋଟ ପିଲାମାନଙ୍କର ବର୍ଗର ପ୍ରତି ରହୁଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ଏହି ସଂସ୍ଥା ମଲଗୁଡ଼ିକରେ ଷ୍ଟୋର୍‌‌ ଖୋଲିବା ଉପରେ ଗୁରୁତ୍ୱ ଦେଉଛି। ଉତ୍କଳ କନିକା, ଡିଏନ୍‌‌ ରେଗାଲିଆ, ଏସ୍‌‌ପ୍ଲାନେଡ୍‌‌ ଭଳି ମଲ୍‌‌ରେ ବର୍ଗର କିଙ୍ଗ୍‌‌ ନିଜର ନିଆରା ଛାପ ଛାଡ଼ି ସାରିଛି।

ରାସ୍ତାକଡ଼ ଚିକେନ୍‌‌ ଦୋକାନରୁ ‘କେଏଫ୍‌‌ସି ’
ନନ୍‌‌ଭେଜ୍‌‌ ଖାଦ୍ୟ କଥା ମନକୁ ଆସିଲେ ସମସ୍ତଙ୍କ ମୁହଁରେ ପ୍ରଥମେ ଆସିଥାଏ ‘କେଏଫ୍‌‌ସି’ର ନାଁ। ଆମେରିକାନ୍‌‌ ଫାଷ୍ଟଫୁର ଏହି ରେସ୍ତୋରାଁର ଚେନ୍‌‌ ପୃଥିବୀର ବିଭିନ୍ନ ସ୍ଥାନରେ ରହିଥିବା ବେଳେ ଏହା ବ୍ୟବସାୟିକ ଦୃଷ୍ଟିକୋଣରୁ ପୃଥିବୀର ଦ୍ୱିତୀୟ ସର୍ବବୃହତ୍‌‌ ରେସ୍ତୋରାଁ ଚେନ୍‌‌। କେଏଫ୍‌‌ସି୧୫୦ଟି ଦେଶର ୨୪ହଜାର ୧୧୦ଟି ସ୍ଥାନରେ ରହିଛି। ଏହାର ପ୍ରଥମ ଫ୍ରାନଚାଇଜ୍‌‌ ଆମେରିକାର ସଲଟ୍‌‌ ଲେକ୍‌‌ ସିଟି ସ୍ଥିତ ଉଥାଃରେ ୧୯୫୨ ମସିହା ସେପ୍ଟେମ୍ବର ୨୪ରେ ଆରମ୍ଭ ହୋଇଥିଲା। କେଏଫ୍‌‌ସିର ପ୍ରତିଷ୍ଠାତା ହାରଲାଣ୍ଡ୍‌‌ ସେଣ୍ଡରସ୍‌‌ ପେଟେ ହାରମାନ୍‌‌। ଯିଏ କି ପ୍ରଥମେ କେନଟୁକୀର ରାସ୍ତା କଡ଼ର ଏକ ରେସ୍ତୋରାଁରେ ଫ୍ରାଏଡ ଚିକେନ୍‌‌ (କୁକୁଡ଼ା ମାଂସ) ବିକ୍ରି କରୁଥିଲେ। ‘କେନ୍‌‌ଟୁକୀ ଫ୍ରାଏଡ ଚିକେନ୍‌‌ ଫ୍ରାନଚାଇଜ୍‌‌’ ବା ‘କେଏଫ୍‌‌ସି’ ପୃଥିବୀର କୋଣ ଅନୁକୋଣରେ ପରିଚିତ।

ଭୁବନେଶ୍ୱରରେ ୟୁନିଟ୍‌‌-୩ ଖାରବେଳ ନଗର, ବରମୁଣ୍ଡା ବସଷ୍ଟାଣ୍ଡ ନିକଟ, ଏସ୍‌‌ପ୍ଲାନେଡ ମଲ୍‌‌, ଉତ୍କଳ କନିକା ଗ୍ୟାଲେରିଆ, ଗୌତମନଗର, ଡିଏନ୍‌‌ ରିଗାଲିଆ, ପାତ୍ରପଡ଼ା, କିଟ୍‌‌ ଛକ ଆଦି ସ୍ଥାନରେ ରହିଥିବା ବେଳେ ଜୟଦେବ ବିହାର ପାଲହାଇଟସ୍‌‌ ପରିସରରେ ଏହାର ପ୍ରଥମ ଫ୍ରାନଚାଇଜ୍‌‌ ଖୋଲିଥିଲା। ଯାହା ରାଜଧାନୀବାସୀଙ୍କୁ ପ୍ରଥମେ କେଏଫ୍‌‌ସି ଚିକେନ୍‌‌ ସ୍ୱାଦ ଚଖାଇବାର ସୁଯୋଗ ଦେଇଥିଲା। ଏଠାରେ ଚିକେନ୍‌‌ର ବିଭିନ୍ନ ଆଇଟମ୍‌‌ ଯଥା: ଚିକେନ୍‌‌ ବକେଟ୍ସ୍‌‌, ପେରିପେରି ମ୍ୟାଚ୍‌‌ ସ୍ପେସିଆଲ, ଚିକେନ୍‌‌ ଷ୍ଟ୍ରିପ୍‌‌, ବିରିୟାନି ବକେଟ୍ସ, ସ୍ମୋକି ଗ୍ରିଲ୍‌‌ଡ ବିରିୟାନି କମ୍ବୋ, ପପ୍‌‌କର୍ଣ୍ଣ ବିରିୟାନି କମ୍ବୋ, କ୍ଲାସିକ୍‌‌ ଚିକେନ୍‌‌ ବିରିୟାନି ବକେଟ୍‌‌, ଜିନଜର୍‌‌ ତନ୍ଦୁରି ବକ୍ସ, ଅଲ ଚିକେନ୍‌‌ ବକ୍ସ, ବରଗର୍‌‌, ଚିକେନ୍‌‌ କ୍ରିସପର୍‌‌, ମଡି ମିଲ୍‌‌, ମିଙ୍ଗଲେସ୍‌‌ ବକେଟ୍‌‌, ହଟ୍‌‌ ଆଣ୍ଡ କ୍ରିସ୍‌‌ପି ଚିକେନ୍‌‌, ଲାର୍ଜ ପପ୍‌‌କର୍ଣ୍ଣ, ମିଡିୟମ୍‌‌ ପପ୍‌‌କର୍ଣ୍ଣ, ଲାର୍ଜ ପପ୍‌‌କର୍ଣ୍ଣ, ସ୍ମୋକି ରେଡ୍‌‌ ଚିକେନ୍‌‌, ହଟ୍‌‌ ଚିକେନ୍‌‌ ୱିଙ୍ଗସ୍‌‌, ଡାଇନାମିକ୍‌‌ ସ୍ପାଇସି ମାୟୋ ଡିପ୍‌‌, ବଟର୍ଡ ବନ୍‌‌ ଆଦି ୩୦ରୁ ଊର୍ଦ୍ଧ୍ବ ଆଇଟମ୍‌‌ ରହିଛି। କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ କେଏଫ୍‌‌ସି ଚିକେନ୍‌‌ ଖାଇବାକୁ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି।

ଦାମୀ ହାତଘଣ୍ଟାର ସମ୍ଭାର
ଡିଜିଟାଲ୍‌‌ ଯୁଗରେ ହାତଘଣ୍ଟା ପ୍ରତି ସାଧାରଣରେ ଆଗ୍ରହ କମିଥିଲେ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ବର୍ଗ ଏବେ ମଧ୍ୟ ହାତରେ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି। କେବଳ ସମୟ ଦେଖିବା ପାଇଁ ଯେ ଘଣ୍ଟା ଦେଖାଯାଏ, ଏହା ସତ ନୁହେଁ। ଅନେକ ନିଜ ସଉକ ଓ କିଛି ନିଜ ଅଭ୍ୟାସ ପାଇଁ ହାତ ଘଣ୍ଟା ପିନ୍ଧନ୍ତି। ଗ୍ରାହକଙ୍କ ଚାହିଦାକୁ ଦେଖି ରାଜଧାନୀରେ ଅନ୍ତର୍ଜାତୀୟ ଘଣ୍ଟା କମ୍ପାନୀଗୁଡ଼ିକ ଦିନକୁ ଦିନ ଅଧିକ ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ଦାମୀ ଘଣ୍ଟାକୁ ନେଇ ରାଜଧାନୀ ବଜାରରେ ଚାହିଦା ରହିଥିବା ବେଳେ ସୁଇଜରଲ୍ୟାଣ୍ଡଠାରୁ ଆରମ୍ଭ କରି ସ୍କେଣ୍ଡିନେଭିୟାନ୍‌‌ ଦେଶସମୂହର ଘଣ୍ଟା ରାଜଧାନୀରେ ମିଳୁଛି।

ବିଶ୍ୱର ସବୁଠାରୁ ଦାମୀ ହାତ ଘଣ୍ଟା ତିଆରି କରୁଥିବା ଦେଶ ହେଉଛି ସୁଇଜରଲ୍ୟାଣ୍ଡ। ଏହାକୁ ସୁଇସ୍‌‌ ଘଡ଼ି ବୋଲି କୁହନ୍ତି। ରାଜଧାନୀରେ ତିନୋଟି ପ୍ରମୁଖ ସୁଇସ କମ୍ପାନୀର ଘଡ଼ି ମିଳୁଛି। ଯାହାର ଦର ୮୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି କମ୍ପାନୀଗୁଡ଼ିକ ହେଲେ, ରାଡୋ, ଲନଜିନ୍ସ ଓ ଟାଗ୍‌‌ ହେୟୋର। ସେହିଭଳି ମୋଭାଡ଼ୋ, ଭରସାଚେ, ଟିସୋ, ସିକୋ, ଅରମାନୀ, ମାଇକେଲ କୋର୍ସ, ଟମି ହିଲଫିଗର, କାଲଭିନ୍‌‌ କ୍ଲେନ୍‌‌ ଓ ସୋରସ୍‌‌କି। ସେହିଭଳି ମୋଭାଡୋ ଓ ଭରସାଚେ ଭଳି ବ୍ରାଣ୍ଡର ହାତ ଘଣ୍ଟା ୬୦ ହଜାରରୁ ଆରମ୍ଭ ହୋଇ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟିସୋ ଓ ସିକୋ ଭଳି ବ୍ରାଣ୍ଡର ହାତ ଘଣ୍ଟା ଦର୨୦ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟ ଫେଶନ ବ୍ରାଣ୍ଡର ଘଣ୍ଟାର ଦର ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୬୦ ହଜାର ପର୍ଯ୍ୟନ୍ତ ରହିଛି। ତେବେ ଅଭିଜାତ୍ୟ ସମ୍ପନ୍ନ ଲୋକମାନେ ସୁଇସ୍‌‌ ଘଡ଼ିକୁ ପ୍ରଥମେ ବାଛୁଛନ୍ତି। ସାରାବିଶ୍ୱରେ ଦାମୀ ହାତ ଘଣ୍ଟା ବିକ୍ରି କରିବା ସୁଇଜରଲ୍ୟାଣ୍ଡ ସବୁଠାରୁ ଅଧିକ ଲୋକପ୍ରିୟ। ତେବେ ଏହି ଘଡ଼ିର କାଚ ସବୁଠାରୁ ଶକ୍ତ ଧାତବ ପଦାର୍ଥର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ସେହିଭଳି ବିଶ୍ୱର ଯେକୌଣସି ସ୍ଥାନରେ ଜଣେ ବ୍ୟକ୍ତି ଏହି ଘଡ଼ିକୁ ସଜାଡ଼ି ପାରିବେ। ଦାମୀ ଘଡ଼ିଗୁଡ଼ିକରେ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ପିରିୟଡ୍‌‌ ମିଳୁଛି। ଏହି ସମୟ ମଧ୍ୟରେ ଘଡ଼ିର ସର୍ଭିସିଂ ମାଗଣା ରହିବ। ସେହିଭଳି ଦାମୀ ଘଡ଼ି କ୍ଷେତ୍ରରେ ମୋଡିଫିକେସନ୍‌‌ର ସୁବିଧା ମଧ୍ୟ ମିଳୁଛି। କେହି କେହି ନିଜ ଇଚ୍ଛା ମୁତାବକ ଘଣ୍ଟାରେ ମୋଡିଫିକେସନ୍‌‌ ଚାହିଁଲେ ତାହା ମଧ୍ୟ କରାଯାଉଛି।

ଅନେକ କ୍ଷେତ୍ରରେ ସୁଇସ୍‌‌ ହାତ ଘଣ୍ଟା କିଣୁଥିବା ଗ୍ରାହକମାନେ ଏହାର ଡାଏଲ୍‌‌ରେ ହୀରା କିମ୍ବା ବ୍ୟାଣ୍ଡ୍‌‌ରେ ସୁନା ଲଗାଇବାକୁ ଚାହାଁନ୍ତି; କମ୍ପାନୀ ପକ୍ଷରୁ ସେଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ଏଭଳି ଦାମୀ କମ୍ପାନୀଗୁଡ଼ିକର ନିଜସ୍ୱ ଷ୍ଟକ୍‌‌ ପଏଣ୍ଟ ରାଜ୍ୟରେ ନ ଥିବା ବେଳେ କିଛି ହାତଘଣ୍ଟା ସିଧାସଳଖ ଭାବେ ଦେଶ ବାହାରୁ ଆସୁଛି। ରାଜ୍ୟ ବାହାରୁ ମଧ୍ୟ କିଛି ବ୍ରାଣ୍ଡର ଘଣ୍ଟା ଆମଦାନୀ ହେଉଛି। ଭୁବନେଶ୍ୱର ବଜାରରେ ଅନ୍ତର୍ଜାତୀୟ ହାତ ଘଣ୍ଟା ୨ରୁ ୩ଟି ସ୍ଥାନରେ ମିଳୁଛି। ପ୍ରତି ଦୋକାନୀ ମାସକୁ ଅତିକମ୍‌‌ରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଦାମୀ ଘଣ୍ଟା ବିକ୍ରି କରୁଛନ୍ତି। କମଲ ୱାଚ୍‌‌କୋର ଶାନ୍ତନୁ ମହାନ୍ତି କହିଛନ୍ତି ଯେ, ଦାମୀ ଘଣ୍ଟା ପିନ୍ଧିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ବଢ଼଼ିଛି। ବିଶେଷକରି ୧୦ରୁ ୫୦ ହଜାର ଟଙ୍କାର ଘଡ଼ି ଅଧିକ ବିକ୍ରି ହେଉଥିବା ବେଳେ ସୁଇସ୍‌‌ ଘଡ଼ିକୁ ଅତି ଧନୀ ଶ୍ରେଣୀର ଲୋକେ କିଣୁଛନ୍ତି। ମାତ୍ର ଭୁବନେଶ୍ୱର ବଜାରରେ ଦାମୀ ଘଡ଼ିର ଚାହିଦା ରହିଛି।

ଚାହିଦାରେ ଅନ୍ତର୍ଜାତୀୟ ଖେଳଣା କମ୍ପାନୀ
ଅନ୍ତର୍ଜାତୀୟ ଖେଳଣା କମ୍ପାନୀ ‘ହାମଲିଜ୍‌‌’ ରାଜଧାନୀ ଖେଳଣା ବଜାରର ପ୍ରମୁଖ ଭାଗ ଅକ୍ତିଆର କରିଛନ୍ତି। ୧ ବର୍ଷର ଶିଶୁଠାରୁ ଆରମ୍ଭ କରି ୯୯ ବର୍ଷ ବୟସ୍କ ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଣ ଖେଳଣା ଉପଲବ୍ଧ ଥିବା ଏହି କମ୍ପାନୀ ଦାବିକରେ। ଭୁବନେଶ୍ୱରର ଏସ୍‌‌ପ୍ଲାନେଡ୍‌‌ ଓ ଉତ୍କଳ ଗ୍ୟାଲେରିଆ ମଲ୍‌‌ରେ ହାମଲିଜ୍‌‌ ଷ୍ଟୋର୍‌‌ ରହିଛି। ଏହି କମ୍ପାନୀ ଆଉଟ୍‌‌ଲେଟ୍‌‌ରେ ପାଖାପାଖି ୧୦ ହଜାର ପ୍ରକାରର ଖେଳଣା ରହିଛି। ତନ୍ମଧ୍ୟରେ ବୋର୍ଡ ଗେମ୍‌‌, ବେବି ୱାକର୍‌‌, ରିମୋଟ୍‌‌ କଣ୍ଟ୍ରୋଲର୍‌‌, ସଫ୍ଟ ଟୟ ଭଳି ଖେଳଣା ପ୍ରମୁଖ ଥିବା ବେଳେ ବୈଜ୍ଞାନିକ ଅନୁଶୀଳନକୁ ପ୍ରୋତ୍ସାହିତ କରୁଥିବା ଭଳି ଖେଳଣା ମଧ୍ୟ ରହିଛି। ଯେପରି ରେଟ୍ରୋସ୍କୋପ୍‌‌ ଭିଜୁଆଲାଇଜେସନ୍‌‌, ଆନିମେସନ୍‌‌, ପ୍ରିଜିମ୍‌‌ ଫର୍ମେସନ୍‌‌, ଲାଇଟ୍‌‌ ରିଫ୍‌‌ଲେକସନ୍‌‌, ପିଏଚ୍‌‌ ଲେବୁଲ ମାପ କରିବାର ପଦ୍ଧତିଠାରୁ ଆରମ୍ଭ କରି ସମସ୍ତ ବୈଜ୍ଞାନିକ ଅନୁଶୀଳନର ପ୍ରାକ୍ଟିକାଲ୍‌‌ ଏକ୍ସପରିମେଣ୍ଟ କରିବାର ସୁଯୋଗ ଖେଳଣା ମାଧ୍ୟମରେ ମିଳିପାରୁଛି। ଏହାସହ ବିଶ୍ୱରେ ଲୋକପ୍ରିୟ କାର୍ଟୁନ୍‌‌ ଚରିତ୍ର, ମିକି, ମିନି, ଗୁଫି ଓ ଆନା ଭଳି ଶହେରୁ ଅଧିକ ଖେଳଣା ରହିଛି। ଏହାସହ ପିଲାଙ୍କ ସୃଜନଶୀଳତା ବୃଦ୍ଧିକରିବା ନିମନ୍ତେ ବିଭିନ୍ନ ମାଇଣ୍ଡ୍‌‌ ଗେମ୍‌‌ ଓ ଡୋ ସେକ୍ସନ୍‌‌ ରହିଛି। ଡୋ ଏକ ଚିକିଟା ମାଟି ଭଳି ପଦାର୍ଥ। ମାତ୍ର ତାହା ମାଟି ଭଳି ହାତରେ ଲାଗି ରହେ ନାହିଁ। ଏହାକୁ ବ୍ୟବହାର କରି ପିଲାମାନେ ନିଜ ମନ ମୁତାବକ ଆକୃତି ବନାଇପାରିବେ। ତେବେ ଭୁବନେଶ୍ୱରରେ ଅନେକ ସ୍ଥାନୀୟ ଖେଳଣା ଦୋକାନରେ ଏଭଳି ବ୍ୟାପକ ପ୍ରକାରର ଖେଳଣା ମିଳୁ ନ ଥିବା ହେତୁ ହାମ୍‌‌ଲୟଜ୍‌‌ର ଚାହିଦା ଅଧିକ ରହିଛି। ହାମ୍‌‌ଲୟଜ୍‌‌ର ଦୁଇଟି ଯାକ ଷ୍ଟୋରରୁ ମାସିକ ଆନୁମାନିକ ଏକ କୋଟିର ବ୍ୟାପାର ହେଉଥିବା କୁହାଯାଇଛି। ଅନ୍ୟପକ୍ଷରେ ନୂଆ କରି ରାଜଧାନୀର ଖେଳଣା ବଜାରରେ ପାଦ ଥାପୁଛି ଜାପାନ କମ୍ପାନୀ ଲେଟ୍‌‌ ଲିଭ୍‌‌। ଏହି କମ୍ପାନୀ ରାଜଧାନୀରେ ଏତେଟା ଲୋକପ୍ରିୟ ହୋଇ ନ ଥିଲେ ମଧ୍ୟ ଧୀରେ ଧୀରେ ହାମ୍‌‌ଲୟଜ୍‌‌ ଭଳି ସବୁ ବର୍ଗର ଖେଳଣା ବିକ୍ରି କରୁଛି। କଳ୍ପନାସ୍ଥିତ ଉତ୍କଳ ଗ୍ୟାଲେରିଆରେ ଏହାର ଆଉଟ୍‌‌ଲେଟ୍‌‌ ରହିଛି। କମ୍ପାନୀର କହିବା କଥା ଯେ, ପିଲାମାନଙ୍କ ଭିତରେ ସୃଜନଶୀଳତା ବୃଦ୍ଧି କରିବା ସହ ଏକ ପ୍ରାକ୍ଟିକାଲ୍‌‌ ଜ୍ଞାନର ବିକାଶ ଆମର ମୁଖ୍ୟ ଲକ୍ଷ୍ୟ।

ମାଳମାଳ ବିଦେଶୀ କାର୍‌‌ କମ୍ପାନୀ
ଅନ୍ତର୍ଜାତୀୟ ତଥା ଦାମୀ କାର୍‌‌ କମ୍ପାନୀ ମଧ୍ୟରେ ଅଡି, ବିଏମଡବ୍ଲୁ, ମର୍ସିଡିଜ୍‌‌, ଜିପ୍‌‌ ଭଳି କମ୍ପାନୀର ସୋରୁମ୍‌‌ ଭୁବନେଶ୍ୱରରେ ରହିଛି। ବିଏମଡବ୍ଲୁ କମ୍ପାନୀର କାର ଗୁଡ଼ିକ ବିଭିନ୍ନ ସିରିଜ୍‌‌ରେ ମିଳୁଥିବା ବେଳେ ୩ ସିରିଜ୍‌‌, ୫ ସିରିଜ୍‌‌, ଏକ୍ସ ୫, ଏକ୍ସ ୧, ଏକ୍ସ ୩, ୭ ସିରିଜ୍‌‌, ଏକ୍ସ ୭, ଏକ୍ସ ୬, ଏକ୍ସ ୪ ଓ ୧ ସିରିଜ୍‌‌ ଭଳି ୨୫ ପ୍ରକାରର ଗାଡ଼ି ରହିଛି। ସୋରୁମ୍‌‌ରେ ସବୁ ମଡେଲ୍‌‌ର ଗାଡ଼ି ଉପଲବ୍ଧ ରହୁ ନ ଥିବା ବେଳେ ଗ୍ରାହକଙ୍କ ଚାହିଦାକୁ ଦେଖି ଗାଡ଼ି ଅଣାଯାଉଛି। ଅନ୍ୟ ସୋରୁମ୍‌‌ ଗୁଡ଼ିକରେ ମଧ୍ୟ ସମାନ ନିୟମ ରହିଛି। କୌଣସି ଗ୍ରାହକ ଏକ ନିର୍ଦ୍ଦିଷ୍ଟ ମଡେଲ୍‌‌ରେ ଗାଡ଼ି ଚାହିଁଲେ, ଅଗ୍ରୀମ ପଇଠ କରି ଗାଡ଼ି ମଗାଇପାରିବେ ବୋଲି ସୋରୁମ୍‌‌ ମାଲିକମାନେ କହିଛନ୍ତି। ଅନ୍ୟପକ୍ଷରେ ମର୍ସିଡିଜ୍‌‌ କାରଗୁଡ଼ିକ ସି, ଏସ୍‌‌, ଏ, ଜି, ଇ, ଜିଏଲ୍‌‌ଇ, ଜିଏଲ୍‌‌ଏସ୍‌‌, ଜିଟି, ସିଏଲ୍‌‌ଏ ଭଳି ଶ୍ରେଣୀରେ ମିଳୁଛି। ସେହିଭଳି ଅଡି କାର୍‌‌ ଏ୪,ଏ୬, ଏ୩, କିୟୁ ୫, କିୟୁ ୩, କିୟୁ ୭ଟିଟି, ଆର୍‌‌ଏସ୍‌‌ ୫, ଏସ ୪ ଓ ଆର୍‌‌ ଏସ୍‌‌ ୩ ଭଳି ଅନେକ ପ୍ରକାରରେ ଉପଲବ୍ଧ। ତେବେ ଭୁବନେଶ୍ୱରରେ ବିକ୍ରି ହେଉଥିବା ଅଡି କାର୍‌‌ଗୁଡ଼ିକ ୪୩ ଲକ୍ଷରୁ ଆରମ୍ଭ ହୋଇ ୨ କୋଟି ୨୨ ଲକ୍ଷ ପର୍ଯ୍ୟନ୍ତ ରହିଛି। ସେହିଭଳି ମର୍ସିଡିଜ୍‌‌ କାରଗୁଡ଼ିକର ଦର ୪୨ ଲକ୍ଷରୁ ଆରମ୍ଭ ହୋଇ ୩ କୋଟି ୩୦ ଲକ୍ଷ ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ବିଏମ୍‌‌ଡବ୍ଲ୍ୟୁ କାରର ସମ୍ପ୍ରତି ୧୮ଟି ଲୋକପ୍ରିୟ ମଡେଲ୍‌‌ ରହିଥିବା ବେଳେ ଏହା ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଆରମ୍ଭ ହୋଇ ୨ କୋଟି ୭୫ ଲକ୍ଷ ପର୍ଯ୍ୟନ୍ତ ରହିଛି। ସେହିଭଳି ଗ୍ରାହକଙ୍କ ଚାହିଦାକୁ ଦେଖି କାର୍‌‌ରେ ମୋଡିଫିକେସନ୍‌‌ କରାଯାଇପାରୁଥିବା ସୋରୁମ୍‌‌ ପକ୍ଷରୁ କୁହାଯାଇଛି। ତେବେ ଅଧିକାଂଶ ଅନ୍ତର୍ଜାତୀୟ କାର କମ୍ପାନୀ କେବଳ ଭୁବନେଶ୍ୱରରେ ସୀମିତ ରହିଥିବା ହେତୁ ସବୁ ଜିଲ୍ଲାର ଲୋକେ କାର୍‌‌ କିଣିବାକୁ ଏଠାକୁ ଆସୁଛନ୍ତି ବୋଲି ବିଏମ୍‌‌ଡବ୍ଲ୍ୟୁ ସୋରୁମ୍‌‌ର ଜନୈକ ଅଧିକାରୀ କହିଛନ୍ତି।

‘ଆପ୍‌ଲ’ ପ୍ରତି ବଢୁଛି ଆଗ୍ରହ
ରାଜଧାନୀର ଅଧିକ ଲୋକ ଏବେ ବ୍ରାଣ୍ଡେଡ୍‌‌ ସାମଗ୍ରୀ ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟତଃ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷେତ୍ରରେ ଏହାର ପ୍ରାସଙ୍ଗିକତା ଅଧିକ ରହୁଛି। ଯେମିତି କି ଘଣ୍ଟା, ମୋବାଇଲ୍‌‌ ଓ ଲାପଟପ ଓ ଆଇପ୍ୟାଡ୍‌‌ ଭଳି ବୈଦ୍ୟୁତିକ ଉପକରଣ ଆଦି ପାଇଁ ଲୋକେ ବ୍ରାଣ୍ଡ ଦେଖୁଛନ୍ତି। ଏ କ୍ଷେତ୍ରରେ ‘ଆପ୍‌ଲ’ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଓଡ଼ିଶାର ଅନ୍ୟ ସ୍ଥାନ ତୁଳନାରେ ରାଜଧାନୀରେ ଏହାର କ୍ରେଜ୍‌‌ ଅଧିକ ରହିଛି। ଆପ୍‌ଲର ସ୍ମାର୍ଟ ୱାଚ୍‌‌ ପ୍ରତି ଉଭୟ ମହିଳା ଓ ପୁରୁଷଙ୍କ ଦୁର୍ବଳତା ରହୁଥିବା ବେଳେ ଫୋନ୍‌‌ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ତେବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆପ୍‌ଲ ଷ୍ଟୋର୍‌‌ ସଂଖ୍ୟା ମଧ୍ୟ ବଢ଼଼ିବାରେ ଲାଗିଛି। ବର୍ତ୍ତମାନ ରାଜଧାନୀର ପ୍ରମୁଖ ସ୍ଥାନରେ ଆପ୍‌ଲର ୭ଟି ଷ୍ଟୋର ରହିଛି। ଆପ୍‌ଲ ଷ୍ଟୋର୍‌‌ ବ୍ୟତୀତ ରିଲାଏନ୍ସ ଡିଜିଟାଲ୍‌‌ ଓ କ୍ରୋମାରେ ମଧ୍ୟ ଆପ୍‌ଲର ଆସେସରିଜ୍‌‌ ଉପଲବ୍ଧ ରହିଛି। ଭୁବନେଶ୍ୱରରେ ୨୦୦୮ରେ ଆପ୍‌ଲ ଆରମ୍ଭ ହୋଇଥିବା ବେଳେ ବାପୁଜୀ ନଗର ଓ ସହିଦ ନଗର ଭଳି ସ୍ଥାନରେ ଏହାର ଷ୍ଟୋର୍‌‌ ରହିଛି। ଏହି ଷ୍ଟୋର୍‌‌ଗୁଡ଼ିକରେ ଆପ୍‌ଲର ବିଭିନ୍ନ ସିରିଜର ୱାଚ୍‌‌ କଲେକ୍ସନ ମିଳୁଥିବା ବେଳେ ଆଇ ଫୋନ୍‌‌, ମ୍ୟାକ୍‌‌ବୁକ୍‌‌ ମିଳୁଛି। ବର୍ତ୍ତମାନ ଆଇଫୋନ୍‌‌-୧୪ ସିରିଜ୍‌‌ର କ୍ରେଜ୍‌‌ ରହିଥିବା ବେଳେ ୱାଚ୍‌‌ରେ ୮-ସିରିଜ୍‌‌ ବିକ୍ରୟ ହେଉଛି। ମ୍ୟାକ୍‌‌ବୁକ୍‌‌ରେ ଏମ୍‌‌-୨ ସିରିଜ୍‌‌ ଅଳ୍ପ ଦିନ ହେବ ବଜାର ପ୍ରବେଶ କରିଥିବାରୁ ଗ୍ରାହକଙ୍କ ଚାହିଦାରେ ରହିଛି।

ଛୋଟପିଲାଙ୍କ ତ୍ୱଚା ପାଇଁ ଉପାଦେୟ ସାମଗ୍ରୀ
ସାଧାରଣତଃ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚାର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ହେଲେ ବର୍ତ୍ତମାନ ପୂର୍ବଭଳି ଘରେ କଳା, ତେଲ ଆଦି କେହି ପ୍ରସ୍ତୁତ କରୁ ନ ଥିବା ବେଳେ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ପିଲାମାନଙ୍କୁ ବ୍ୟବହାର କରିବାକୁ ନାପସନ୍ଦ କରିଥାନ୍ତି। ବିଦେଶରୁ ଆସୁଥିବା ପ୍ରଡକ୍ଟ ଛୋଟ ପିଲାଙ୍କ ପାଇଁ ଉପାଦେୟ ହେଉଛି। ତେଲ, ସାବୁନ୍‌‌, ଶାମ୍ପୁ, ବଡି ଲୋସନ୍‌‌, ଫେସ୍‌‌ କ୍ରିମ୍‌‌ ଆଦି ବ୍ୟବହାର କରିବା ଦ୍ୱାରା ତ୍ୱଚା ନରମ ଓ ଚିକ୍କଣ ରହୁଥିବା ସହ କୌଣସି ଚର୍ମ ରୋଗ କିମ୍ବା ସଂକ୍ରମଣ ହେଉ ନ ଥିବାରୁ ୩ବର୍ଷ ହେବ ଏହି ଉତ୍ପାଦ ବ୍ୟବହାର କରୁଥିବା ଅନେକ କହିଛନ୍ତି। ଏହାର ଦାମ୍‌‌ ଯଦିଓ ଅଧିକ, କିନ୍ତୁ ଏହା ପିଲାର କୌଣସି କ୍ଷତି କରୁ ନ ଥିବାରୁ ଏହି ଉତ୍ପାଦକୁ ଆମ ସମ୍ପର୍କୀୟମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏହିସବୁ ବିଭିନ୍ନ ବେବି କେୟାର ଷ୍ଟୋର କିମ୍ବା ଅନ୍‌‌ଲାଇନ୍‌‌ରେ ସହଜରେ ମିଳିପାରୁଛି।

ଅର୍ଥ ଅପେକ୍ଷା ସୌନ୍ଦର୍ଯ୍ୟକୁ ଗୁରୁତ୍ୱ
ପୁଅ ହୁଅନ୍ତୁ ଅବା ଝିଅ, ଘରୁ ବାହାରିଲା ମାତ୍ରେ ମେକଅପ୍‌‌ ନେବାକୁ ପସନ୍ଦ କରିଥା’ନ୍ତି। ବିଶେଷକରି ମହିଳାମାନେ ପାଦ ନଖ ଠାରୁ ଆରମ୍ଭ କରି ମୁଣ୍ଡ କେଶ ଯାଏ ସବୁଠି ବିଭିନ୍ନ ପ୍ରକାର ଉପଚାର କରୁଛନ୍ତି। ମୁହଁରେ ବ୍ରଣ, ଦାଗ ଆଦି ହଟିବା ପାଇଁ ବିଭିନ୍ନ ଉପଚାର କରିଥାନ୍ତି। କ୍ଲିନଜର ଠାରୁ ଆରମ୍ଭ କରି ପ୍ରାଇମର, ଫାଉଣ୍ଡେସନ୍‌‌, କମପ୍ୟାକ୍ଟ ପାଉଡର, ଆଇ ଲାଇନର୍‌‌, କାଜଲ, ଆଇବ୍ରୋଜ୍‌‌, ଆଇ ଲାସେସ୍‌‌, ଲିପଷ୍ଟିକ୍‌‌, ଲିପ୍‌‌ ଲାଇନର୍‌‌, ହାଇଲାଇଟର୍‌‌, ଆଇ ସ୍ୱାଡୋ, ମସ୍କରା, ହାଇଲାଇଟର, ନେଲପଲିସ୍‌‌ ଆଦି ବ୍ୟବହାର କରିଥାନ୍ତି। ମୁହଁରେ ଚମକ ଆଣିବାକୁ ମଶ୍ଚରାଇଜର, ନାଇଟ୍‌‌ କ୍ରିମ୍‌‌, ଫେସ୍‌‌ ସିରମ୍‌‌ ବ୍ୟବହାର କରିଥାନ୍ତି। କେଶକୁ ଶକ୍ତ ଓ ସାଇନିଂ କରିବାକୁ ବ୍ୟବହାର ହେଉଥିବା ହେୟାର କଲର, ହେୟାର ସିରମ୍‌‌ ଆଦିର ଚାହିଦା ବଢ଼଼ିବାରେ ଲାଗିଛି। ମେବିଲିନ୍‌‌, ମ୍ୟାକ୍‌‌, ହୁଡ୍ଡାବିୟୁଟି, ଲରିୟଲ ପ୍ୟାରିସ୍‌‌, କ୍ଲିନିକ୍ୱ୍‌‌, ଫେସେସ୍‌‌ କାନାଡ଼ା, ବେବି ବ୍ରାଉନ୍‌‌, ଟୁଫେସ୍‌‌, କ୍ୟାରୋଲୋଟି ଟିଲବୁରି, ଦ ଫେସପ୍‌‌ ଇଷ୍ଟିଲାଓଡର, କାଲଭିନ୍‌‌କ୍ଲେନ୍‌‌ ଆଦି ୨୦ରୁ ଊର୍ଦ୍ଧ୍ବ ବିଦେଶୀ ଉତ୍ପାଦ ରହିଛି। ଏହାର ଦାମ୍‌‌ ଅଧିକ ହୋଇଥିଲେ ବି ଗ୍ରାହକମାନେ ମୂଲ୍ୟକୁ ଖାତିର ନକରି ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ବିଦେଶରୁ ଆସୁଥିବା ପ୍ରତ୍ୟେକ ବିୟୁଟି ପ୍ରଡ୍‌‌କ୍ଟ ଡର୍‌‌ମାଟୋଲୋଜି ଟେଷ୍ଟେଡ୍‌‌ ହୋଇଥାଏ। ବଜାରକୁ ଆସିବା ଆଗରୁ ତାହାକୁ ଲାବୋରେଟୋରୀରେ ପରୀକ୍ଷା କରାଯାଇ ଥାଏ। ଯାହାଦ୍ୱାରା ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ସଂକ୍ରମଣ ଭୟ ନ ଥାଏ। ତେଣୁ ଆଜିକାଲି ଟଙ୍କାକୁ ନୁହେଁ ବରଂ ମାନକୁ ଅଧିକାଂଶ ଲୋକ ଗୁରୁତ୍ୱ ଦେଉଛନ୍ତି।

ବଢ଼଼ୁଛି ବିଦେଶୀ ପର୍‌ଫ୍ୟୁମ୍‌‌ର ଚାହିଦା
ପ୍ରସାଧନ ସାମଗ୍ରୀ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ରହିଛି ପରଫ୍ୟୁମ୍‌‌ର। ବିଦେଶରୁ ଆସୁଥିବା ବିଭିନ୍ନ ବ୍ରାଣ୍ଡ୍‌‌ର ପରଫ୍ୟୁମ୍‌‌ଗୁଡ଼ିକର ଚାହିଦା ଏବେ ରାଜଧାନୀ ମାର୍କେଟରେ ଦେଖିବାକୁ ମିଳିଛି। ଡିଜେଲ୍‌‌, ଭରସେସ୍‌‌, ବ୍ୟାଲି ଡିଭେନ୍‌‌, ରିଗଲର, ଟମଫର୍ଡ, କାଲଭିନ୍‌‌ କ୍ଲେନ୍‌‌, ଡାୟର, ହାରମେସ୍‌‌, ଗେସେସ୍‌‌, ଚ୍ୟାନେଲ, ବ୍ଲ୍ୟୁବେରି ଆଦି ୫୦ରୁ ଊର୍ଦ୍ଧ୍ବ ବିଦେଶୀ ଫରଫ୍ୟୁମ୍‌‌ ବଜାରରେ ଉପଲବ୍ଧ ରହିଥିବା ବେଳେ ରାଜଧାନୀରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ପର୍‌‌ଫ୍ୟୁମ୍‌‌ ବିଭିନ୍ନ ସପିଂ ମଲ୍‌‌ରେ ବିକ୍ରି ହେଉଛି। ସେହିପରି ‘ନେଫାରିୟସ୍‌‌’ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼଼ୁଛି। ଏଠାରେ ୪ପ୍ରକାରର ଯଥା ପ୍ରିମିୟମ୍‌‌, ୱାର୍ଲଡ ସିରିଜ୍‌‌, ଲକଜୁରିୟସ୍‌‌ ଓ ରୟାଲ ସିରିଜ୍‌‌ ରହିଛି। ଏଠାରେ ର’ ଲିକ୍ୟୁଇଡ ମଧ୍ୟ ରହିଛି। ତିନି ମିଲିଲିଟର ଠାରୁ ଆରମ୍ଭ କରି ୧୨ ମିଲିଲିଟର ଯାଏ ଗ୍ରାହକମାନେ ଇଚ୍ଛା ମୁତାବକ କିଣିପାରିବେ ବୋଲି ଆଉଟଲେଟ୍‌‌ ପକ୍ଷରୁ ମହମ୍ମଦ ସାଦ୍ଦବ୍‌‌ କହିଛନ୍ତି। ଏହି ବ୍ରାଣ୍ଡ୍‌‌ ସ୍ପେନିସ୍‌‌ରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ର’ ମ୍ୟାଟେରିଆଲ ସ୍ପେନିସରୁ ଆସି ଭାରତରେ ବିଭିନ୍ନ ମିଶ୍ରଣ ପରେ ବଜାରକୁ ଆସୁଛି। ଚର୍ମରୋଗ, ଇରିଟେସନ୍‌‌, ଇନ୍‌‌ଫେକସନ୍‌‌ ଆଦିର ଭୟ ନ ଥିବାରୁ ଏହାକୁ ସବୁ ବୟସର ବ୍ୟକ୍ତିବିଶେଷ ବ୍ୟବହାର କରିପାରିବେ ବୋଲି ମହମ୍ମଦ କହିଛନ୍ତି। ବିଭିନ୍ନ ଦେଶର କ୍ଲାଇମେଟ୍‌‌କୁ ଲକ୍ଷ୍ୟ କରାଯାଇ ଏହା ପ୍ରସ୍ତୁତି କରାଯାଇଥାଏ। ଏହାର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଫ୍ଲେଭର୍‌‌ ରହିଛି। ମହିଳାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଫ୍ଲେଭର ରହିଛି।

ବ୍ରାଣ୍ଡ୍‌‌ ପଛରେ ବାୟା
ବିଭିନ୍ନ ବ୍ରାଣ୍ଡକୁ ନେଇ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାୟା। ବିଶେଷକରି ପୋଷାକ ପରିଧାନକୁ ନେଇ ଭୁବନେଶ୍ୱରରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ବିଦେଶୀ ବ୍ରାଣ୍ଡ୍‌‌ ରହିଛି। ପିଲାମାନଙ୍କ ପାଇଁ ବିବା, ଡବ୍ଲ୍ୟୁ ସାଙ୍ଗକୁ ଗ୍ୟାପ୍‌‌, ଗ୍ୟାସ୍‌‌, ଗ୍ୟାଣ୍ଟ, ୟୁଏସ୍‌‌ ପୋଲୋ ରହିଥିବା ବେଳେ ଯୁବପିଢ଼ିଙ୍କ ନିମନ୍ତେ ଗ୍ୟାପ୍‌‌, ଗ୍ୟାସ୍‌‌, ଲାମାଟିନା, ୟୁଏସ ପୋଲୋ, ଲୁଇ ଫିଲିପ୍‌‌, ବ୍ଲାକବେରୀ, ଜ୍ୟାକ୍‌‌ ଆଣ୍ଡ ଜୋନସ୍‌‌, ଲିଭାଇସ୍‌‌, ଆରୋ ସ୍ପୋର୍ଟ ଆଦି ରହିଛି। ଏଥିସହ ପୁମା, ଆଡିଡାସ୍‌‌, ସ୍କେଚରସ୍‌‌, କ୍ଲାର୍କସ, ଲିଭାଇସ୍‌‌ ଆଦି ବିଦେଶୀ ବ୍ରାଣ୍ଡ୍‌‌କୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଏହିସବୁ ବ୍ରାଣ୍ଡ୍‌‌ର ପୋଷାକ ଫିଟିଂ ଭଲ ରହୁଥିବା ବେଳେ ବାରମ୍ବାର ଧୋଇଥିଲେ ବି ରଙ୍ଗରେ ପରିବର୍ତ୍ତନ ହେଉ ନ ଥିବା ଗ୍ରାହକମାନେ କହିଛନ୍ତି।

Leave A Reply

Your email address will not be published.