ଛାଡପତ୍ର ମାମଲାର ବିଚାର ବେଳେ ଅଲଗା କରିବା ବଦଳରେ ଭଙ୍ଗାଘରକୁ ଯୋଡ଼ିଦେଲେ ବିଚାରପତି

କେନ୍ଦ୍ରାପଡ଼ା : ପତିପତ୍ନୀଙ୍କ ମନୋମାଳିନ ଯୋଗୁଁ ଅନେକ ପରିବାର ଭାଙ୍ଗିଯାଉଛି। ହେଲେ ଦୁଇ ଦୁଇଟି ଛାଡପତ୍ର ମାମଲାର ବିଚାର କଲାବେଳେ ନିଜେ ବିଚାରପତି ଭଙ୍ଗାଘରକୁ ଯୋଡ଼ି ଦେଇଛନ୍ତି। ଆଉଥରେ ସେମାନେ ନୂଆ କରି ଘର ସଂସାର କରିବାକୁ ବିଚାରପତିଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଘଟଣା କେନ୍ଦ୍ରାପଡ଼ା ପରିବାର ଅଦାଲତରେ ଦେଖିବାକୁ ମିଳିଛି। ବିଚାରପତି ବିକାଶ ଚନ୍ଦ୍ର ଦେଙ୍କ ଉଦ୍ୟମରେ ଦୁଇ ଦୁଇଟି ଘର ଭାଙ୍ଗିବାକୁ ଯାଉଥିବାବେଳେ ସଜାଡ଼ି ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି। ପତିପତ୍ନୀଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଏହି ସମାଧାନ ହୋଇଛି। ମାମଲା ପରିଚାଳନା ସମୟରେ ବିଚାରପତି ଏଭଳି ସୂତ୍ର ଦେଲେ ଯେ କି ଭଙ୍ଗା ପରିବାର ଯୋଡି ହୋଇଗଲା। ପୁଣି ପତିପତ୍ନୀ ଏକାଠି ଜୀବନଯାପନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଘରକୁ ଫେରିଲେ। ଏହାପରେ ଛାଡ଼ପତ୍ର ମାମଲା ପ୍ରତ୍ୟାହୃତ ହୋଇଥିଲା।

ସୂଚନା ମୁତାବକ, ଡେରାବିଶ ଥାନା ଅଧୀନ ସାନଗୋପାଳ ଗ୍ରାମର ଅଶୋକ କୁମାର ପାତ୍ର ଗତ ୨୦୧୫ ମସିହା ମଇ ୧୬ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ନିରୂପମା ସାହୁଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ତିକ୍ତତା ହେବାରୁ ନିରୂପମା ସ୍ୱାମୀଙ୍କ ଘର ଛାଡ଼ି ବାପାଙ୍କ ଘରକୁ ପଳାଇଯାଇଥିଲେ। ଏହାପରେ ଛାଡପତ୍ର ମାମଲା ରୁଜୁ ହୋଇଥିଲା। ସେହିଭଳି ଅନ୍ୟଏକ ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଲୋକନାଥପୁରର ମନୁ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ବାରକୋଟି ଅଞ୍ଚଳର ସିଲୁ ଦାସଙ୍କ ସହିତ ବିବାହ ହୋଇଥିଲା। ବୈଦିକ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ମାତ୍ର ଅଳ୍ପ କେତେଦିନ ପରେ ଆଉ ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲା। ଉଭୟଙ୍କ ମଧ୍ୟରେ ମତାନ୍ତର ଶୀର୍ଷ ସ୍ଥାନରେ ପହଞ୍ଚିବାରୁ ପତ୍ନୀ ସିଲୁ ସ୍ୱାମୀଙ୍କ ଘର ଛାଡ଼ି ବାପାଙ୍କ ଘରକୁ ପଳାଇ ଆସିଥିଲେ। ଏହି ଦୁଇଟି ମାମଲାକୁ ସମାଧାନ କରିବା ପରେ ବିଚାରପତିଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave a comment