ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋଷେଇ ଘରେ ‘ମହଙ୍ଗା’ ନିଆଁ : ୧୭ ମାସରେ ସର୍ବୋଚ୍ଚସ୍ତରରେ ମୁଦ୍ରାସ୍ଫୀତି

ଭୁବନେଶ୍ୱର : ତେଲ ଦର ନିଆଁ ବିଗାଡ଼ିଛି ସାଧାରଣ ପରିବାରର ଖର୍ଚ୍ଚ ଗଣିତ। ମହଙ୍ଗା ମାଡ଼ ଗରିବ ଲୋକଙ୍କଠାରୁ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହିସାବକିତାବ ଗଡ଼ବଡ଼ କରିଛି। ଦର ବୃଦ୍ଧି ନିଆଁ ରାସ୍ତାରୁ ଆସି ଲୋକଙ୍କ ରୋଷେଇ ଘରେ ପଶିଲାଣି। ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା, କପଡ଼ା ଠାରୁ ଯୋତା ଓ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟନ୍ତ ସବୁ ସାମଗ୍ରୀର ମୂଲ୍ୟ ପ୍ରତିଦିନ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ଶହେ ଟଙ୍କା ଟପିଥିବାବେଳେ ଖାଇବା ତେଲ ୨୫୦ ଟଙ୍କା ଛୁଇଁଛି। ଆଳୁ କିଲୋ ୨୫ ଟଙ୍କାକୁ ପିଆଜ ୪୦ ଟଙ୍କା। ଏହି ପରିପ୍ରେକ୍ଷୀରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୧୭ ମାସର ମୁଦ୍ରାସ୍ଫୀତି ଦେଶରେ ସର୍ବୋଚ୍ଚସ୍ତର ଛୁଇଁଛି।

ପାଇକାରୀ ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ଦେଶର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ ୬.୯୫ %ରେ ପହଞ୍ଚିଛି। ଏଥିରେ ଖାଦ୍ୟ ପାନୀୟ ସାମଗ୍ରୀଗୁଡିକ କ୍ଷେତ୍ରରେ ମୁଦ୍ରାସ୍ଫୀତି ୫.୮୫ ପ୍ରତିଶତରୁ ୭.୬୮ ପ୍ରତିଶତସ୍ତରକୁ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କ୍ରମାଗତ ଭାବେ ତିନି ମାସ ଧରି ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଛି। ଫଳ ସ୍ୱରୂପ ବଜାର ମହଙ୍ଗା ହେବାରେ ଲାଗିଛି। ଚଳିତବର୍ଷ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୭ ପ୍ରତିଶତ ରହିଥିବାବେଳେ ଜାନୁଆରୀରେ ୬.୦୧ ପ୍ରତିଶତ ରହିଥିଲା। ଗୋଟିଏ ବର୍ଷର ପୁରୁଣା ତଥ୍ୟକୁ ଅନୁଶୀଳନ କଲେ ଦେଶରେ ଦରବୃଦ୍ଧି ଗୋଟିକ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଥିବା ଦେଖାଯାଇଛି।

୨୦୨୧ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୫୨ ପ୍ରତିଶତ ସ୍ତରରେ ରହିଥିଲା। ବର୍ଷକ ମଧ୍ୟରେ ଖାଉଟି ସାମଗ୍ରୀଗୁଡିକର ବଜାର ଦରରେ ଆକାଶପାତାଳ ଫରକ। ମୁଦ୍ରାସ୍ଫୀତି ସଂକ୍ରାନ୍ତ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୮୭ ପ୍ରତିଶତ ପରିବାର ଦରବୃଦ୍ଧି ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପ୍ରତି ୧୦ ପରିବାର ମଧ୍ୟରୁ ୯ ପରିବାରକୁ ଘାରିଛି ଏହି ଦରବୃଦ୍ଧି ଚିନ୍ତା। ବର୍ତ୍ତମାନର ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ଯଦି ବିଚାରକୁ ନିଆଯାଏ ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ସ୍ୱାଭାବିକ। ଯେଉଁ ହାରରେ ତେଲ ଦର ବଢ଼଼ୁଛି ଏଭଳି ହେଲେ ପରିବହନ କ୍ଷେତ୍ରରେ ମାଲ ପରିବହନ ଭଡ଼ା ବଢ଼଼ିବ। ପରିଣତିସ୍ୱରୂପ ବର୍ତ୍ତମାନଠାରୁ ନିୟନ୍ତ୍ରଣ ବାହାରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦର ଆଗାମୀ ଦିନରେ ଆହୁରି ବଢ଼଼ିବ, ଯାହା ଖାଉଟିଙ୍କୁ ଆହୁରି କନ୍ଦାଇବ।

ତେବେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ହେବା ନେଇ ପୂର୍ବାନୁମାନ ଏ କ୍ଷେତ୍ରରେ ସବୁଠୁ ବଡ଼ ଆଶ୍ୱାସନା ବୋଲି କୁହାଯାଉଛି। ମୌସୁମୀ ସ୍ୱାଭାବିକ ହେଲେ ଉତ୍ପାଦନ ବୃଦ୍ଧି ପାଇବ ଓ ମୁଦ୍ରାସ୍ଫୀତି ହ୍ରାସ ପାଇବାର ସମ୍ଭାବନା ରହିଛି। ସାଧାରଣତଃ ପାଇକାରୀ ମୁଦ୍ରାସ୍ଫୀତି ବଢ଼଼ିଲେ ଖୁଚୁରା ମୁଦ୍ରାସ୍ଫୀତି ବଢ଼଼ିଥାଏ। ଅଶୋଧିତ ତୈଳ ଦର, କମୋଡିଟିର ମୂଲ୍ୟ, ଉତ୍ପାଦିତ ସାମଗ୍ରୀ ସମେତ କେତେ ଅନ୍ୟ କେତେକ ଖର୍ଚ୍ଚକୁ ହିସାବ କରି ଖୁଚୁରା ମୁଦ୍ରାସ୍ଫୀତି ନିର୍ଦ୍ଧାରଣ କରାଯାଇଥାଏ। ଏମିତି ୨୯୯ ସାମଗ୍ରୀ ରହିଛି ଯେଉଁଗୁଡିକର ମୂଲ୍ୟକୁ ଅଧାର କରି ମୁଦ୍ରାସ୍ଫୀତି ବା ବଜାର ଦର ନିର୍ଣ୍ଣୟ କରାଯାଇଥାଏ।

Leave A Reply

Your email address will not be published.