ରିଜର୍ଭ ବ୍ୟାଙ୍କ ପ୍ରୟାସକୁ ଝଟ୍‌କା: ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି, ଦର ବୃଦ୍ଧି ଅସମ୍ଭାଳ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଦର ବୃଦ୍ଧିରେ ପେଷି ହୋଇଗଲେଣି ଗରିବ ଆଉ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ। ହାଣ୍ଡିଶାଳରେ ପଡିଛି ଚଡ଼କ। ଘରର ନିତିଦିନିଆ ଖର୍ଚ୍ଚ ତୁଲାଇବାରେ ଅଣନିଶ୍ବାସୀ ହୋଇଗଲେଣି ଗୃହିଣୀ। ଆଉ କାମ ଦଉନି ମାସିକ ବଜେଟରେ କାଟ୍‌ଛାଣ୍ଟ ଯୋଜନା। ହାତ ଟେକିଦେଲେଣି ଘର ମୁରବି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌, ବିଦ୍ୟୁତ୍‌ ଆଉ ଟେଲିକମ୍‌ ବିଲ୍‌ ମହଙ୍ଗା ହେବା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ। ଏଭଳି ସମୟରେ ଅଗଷ୍ଟ ମାସରେ ପୁଣି ଥରେ ଖୁଚୁରା ମୁଦ୍ରାସ୍ଫୀତି ୭%କୁ ବୃଦ୍ଧି ପାଇ ମହଙ୍ଗାମାଡ଼କୁ ଆହୁରି ତୀବ୍ରତର କରିଛି। ବିଶେଷ କରି ଡାଲି, ଚାଉଳ, ଗହମ ଏବଂ ପନିପରିବା ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ଉର୍ଦ୍ଧ୍ବଗାମୀ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟଣ ମନ୍ତ୍ରାଳୟ ପକ୍ଷରୁ ସୋମବାର ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ଏହା ଜଣାଯାଇଛି। ଗତ ଜୁନ୍‌ ମାସରେ ସିପିଆଇ ୧୭୨.୬୦ ପଏଣ୍ଟ ଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ୧୭୩.୪୦ ପଏଣ୍ଟରେ ପହଞ୍ଚିଛି।

କ୍ରମାଗତ ଭାବେ ତିନିମାସ ଧରି ହ୍ରାସ ପରେ ପୁନର୍ବାର ବଢ଼ିବା ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ଚଳାଇଥିବା ପ୍ରୟାସକୁ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି। ଏସବୁକୁ ବିଚାରକୁ ନେଲେ ୨୦୨୩ ଯାଏ ଦରଦାମ୍‌ ହ୍ରାସ ଘଟିବା ସମ୍ଭାବନା କ୍ଷୀଣ ବୋଲି ଏବେଠୁ ଜଳଜଳ ଦିଶୁଛି, ଯାହା ଆଗାମୀ ଦିନରେ ସାଧାରଣ ଖାଉଟିଙ୍କ ଦୈନନ୍ଦିନ ଜୀବନକୁ ବିପର୍ଯ୍ୟସ୍ତ କରିପକାଇବ।

ତିନି ମାସ ଧରି ହ୍ରାସ ପରେ ଅଗଷ୍ଟରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭%କୁ ବୃଦ୍ଧି ପାଇଛି, ଯାହାକି ଜୁଲାଇରେ ୬.୭% ରହିଥିଲା। ଏହା ଏକ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୧ ଅଗଷ୍ଟରେ ୫.୩୦% ରହିଥିଲା। ଖାଦ୍ୟ ସାମଗ୍ରୀର ମୂଲ୍ୟ ବିଶେଷ କରି ଡାଲି, ଚାଉଳ, ଗହମ ଏବଂ ପନିପରିବା ମୂଲ୍ୟ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଏଥର ରେକର୍ଡ ଗରମ ହେତୁ ଗହମ, ଚାଉଳ ଏବଂ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି। ଫଳରେ ଏହି ସବୁ ସାମଗ୍ରୀ ଦର ବୃଦ୍ଧି ପାଇଛି। ଇତିମଧ୍ୟରେ ଖୁଚୁରା ବଜାରରେ ଚାଉଳ କିଲୋ ପିଛା ୩ ମାସ ମଧ୍ୟରେ ୩୦ରୁ ୪୦ ଟଙ୍କା ଟପିଯାଇଥିବା ବେଳେ ଅଟା କିଲୋ ୪୫ ଟଙ୍କା ଉପରେ ପହଞ୍ଚିଛି। ସେହିପରି ଉପରୋକ୍ତ ସମୟ ମଧ୍ୟରେ ଖୁଚୁରା ବଜାରରେ ଡାଲି ମୂଲ୍ୟ କିଲୋ ପିଛା ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୧୫ ଟଙ୍କାରେ ପହଞ୍ଚିଛି।

ଖାଦ୍ୟ ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ୭.୬୨%ରୁ ଜୁଲାଇରେ ୬.୬୯%କୁ ବୃଦ୍ଧି ପାଇଛି। ଜୁନ୍ ମାସରେ ଏହା ୭.୭୫% ରହିଥିଲା। ମେ’ ମାସରେ ଏହା ୭.୯୭% ଏବଂ ଏପ୍ରିଲରେ ୮.୩୮% ଥିଲା। କ୍ରମାଗତ 8 ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସର୍ବୋଚ୍ଚ ସୀମା ୬% ଉପରେ ରହିଆସିଛି। ଚଳିତବର୍ଷ ଜାନୁୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୧%, ଫେବୃଆରୀରେ ୬.୦୭%, ମାର୍ଚ୍ଚରେ ୬.୯୫%, ଏପ୍ରିଲରେ ୭.୭୯%, ମେ’ରେ ୭.୦୪% ଏବଂ ଜୁନ୍‌ରେ ୭.୦୧% ରେକର୍ଡ କରାଯାଇଛି। ଏସବୁବାଦ୍‌ ବର୍ତ୍ତମାନ ସମୟରେ ବିଶ୍ବ ବଜାରରେ ଅଶୋଧିତ ତେଲ ଦରରେ ଏହି ୩ ମାସ ମଧ୍ୟରେ ୩୦% ହ୍ରାସ ଘଟି ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି। ଏହା ସତ୍ତ୍ବେ ମୁଦ୍ରାସ୍ଫୀତି ସତ୍ତ୍ୱେ ମୁଦ୍ରାସ୍ଫୀତି କମିବାର ନାମ ଧରୁନାହିଁ। କାରଣ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ସେହି ଅନୁପାତରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଓ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ କୌଣସି ହ୍ରାସ ଘଟୁନାହିଁ, ଯାହାର ଖୁଚୁରା ମୁଦ୍ରାସ୍ଫୀତି କ୍ଷେତ୍ରରେ ଏକ ବଡ଼ ଭୂମିକା ରହିଛି। କ୍ରମାଗତ ଭାବେ ୩୫ ମାସ ପାଇଁ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ବର୍ତ୍ତମାନ ଆରବିଆଇର ମଧ୍ୟମ ମିଆଦ ଲକ୍ଷ୍ୟଠାରୁ ୪ ପ୍ରତିଶତ ଏବଂ କ୍ରମାଗତ ୮ ମାସ ପାଇଁ ସହନଶୀଳତା ସୀମା ୨-୬ ପ୍ରତିଶତ ଉପରେ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଆର୍‌ବିଆଇ ଗତ ତିନିଟି ଯାକ ମୁଦ୍ରା ନୀତି ସମୀକ୍ଷା ସମୟରେ ରେପୋ ହାରକୁ ୧.୪୦ ପ୍ରତିଶତ ବୃଦ୍ଧି କରିଛି। ହେଲେ ଏବେ ଏସବୁ ପ୍ରୟାସ ଫେଲ୍‌ ମାରିଥିବା ପ୍ରମାଣିତ ହୋଇଛି। କାରଣ ଆରବିଆଇର ଉଦ୍ୟମକୁ ଚକିତ କରି ଅଗଷ୍ଟରେ ସିପିଆଇ ୭ ପ୍ରତିଶତ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଦେଶରେ ଅନିୟମିତ ମୌସୁମୀ ବର୍ଷା ଯୋଗୁ ଆଗାମୀ ଦିନରେ ବ୍ୟାପକ ଫସଲହାନୀର ସଙ୍କେତ ଦେଉଛି। ଯଦି ଏହା ହୁଏ, ତେବେ ପ୍ରତିକୂଳ ଜଳବାୟୁ ଯୋଗୁଁ ଆସନ୍ତା ମାସଗୁଡିକରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଆହୁରି ବୃଦ୍ଧି ଘଟିବାର ଆଶଙ୍କା ବଢ଼ିଯାଇଛି। ଅଶୋଧିତ ତୈଳ, ଦ୍ରବ୍ୟ ମୂଲ୍ୟ, ଉତ୍ପାଦନ ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ଅନେକ ଜିନିଷ ରହିଛି ଯାହା ଆମ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୨୯୯ ଟି ସାମଗ୍ରୀ ରହିଛି, ଯାହାର ମୂଲ୍ୟ ଆଧାରରେ ଖୁଚୁରା ମୁଦ୍ରାସ୍ଫୀତି ହାର ସ୍ଥିର ହୋଇଥାଏ। ତେଣୁ ଯଥାଶୀଘ୍ର ଏହିସବୁ ସାମଗ୍ରୀର ବଜାର ମୂଲ୍ୟରେ ହ୍ରାସ ନ ଘଟିଲେ ଖୁଚୁରା ମୁଦ୍ରାସ୍ଫୀତି ରୋକିବା କାଠିକର ପାଠ ହୋଇପଡ଼ିବ।

Leave a comment