ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୦ ଟେଷ୍ଟ ଖେଳିଥିବା ଭାରତୀୟ କ୍ରିକେଟର

ମୋହାଲିର ଆଇଏସ୍‍ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ଖେଳାଳି ବିରାଟ କୋହଲି ନିଜ ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ୍‍ ଖେଳିଛନ୍ତି। ଏହି ସଫଳତା ପାଇବାରେ ସେ ହେଉଛନ୍ତି ଭାରତର ଦ୍ୱାଦଶ ଖେଳାଳି।ତେବେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ୧୦୦ ମ୍ୟାଚ୍‍ ଖେଳିଥିବା ଆଉ କେଉଁ କେଉଁ ଖେଳାଳି ଅଛନ୍ତି ଆସନ୍ତୁ ଜାଣିବା।

ସଚିନ ତେନ୍ଦୁଲକର (୨୦୦ ମ୍ୟାଚ୍‍)

ମାଷ୍ଟର ବ୍ଲାଷ୍ଟରଭାବେ ବିବେଚିତ ସଚିନ ତେନ୍ଦୁଲକର ଭାରତ ତଥା ବିଶ୍ୱର ଏକମାତ୍ର ଖେଳାଳିଭାବେ ୨୦୦ ଟେଷ୍ଟ ମ୍ୟାଚ୍‍ ଖେଳିଛନ୍ତି। ଏହି ସମୟରେ ସେ ଅନେକ ରେକର୍ଡ କରିଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୫, ୯୨୧ ରନ୍‍ ଓ ୫୧ଟି ଶତକ ହାସଲ କରିବାରେ ବିଶ୍ୱରେକର୍ଡ ଏଯାଏ ଅତୁଟ ରହିଛି। ୧୯୮୯ରୁ ୨୦୧୩ ଯାଏ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଏହି ସୁପରଷ୍ଟାର ବାଂଲାଦେଶ ବିପକ୍ଷରେ ସଂଗ୍ରହ କରିଥିବା ୨୪୮ ରନ୍‍ ତାଙ୍କର ସର୍ବାଧିକ ସ୍କୋର କରିଥିଲେ।

ରାହୁଲ ଦ୍ରାବିଡ୍‍ (୧୬୩)

ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିବା ରାହୁଲ ଦ୍ରାବିଡ୍‍ ଦେଶ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ୧୬୩ଟି ଟେଷ୍ଟ ମ୍ୟାଚ୍‍ ଖେଳିଛନ୍ତି। ସେ ଭାରତର ପ୍ରଥମ ଖେଳାଳି ଯିଏକି ସମସ୍ତ ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। ସେ ତାଙ୍କ ୨୮୬ଟି ଟେଷ୍ଟ ଇନିଂସରେ ଥରେ ମାତ୍ର ଶୂନରେ ଆଉଟ ହୋଇନାହାନ୍ତି। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ୩୧,୨୫୮ଟି ବଲର ସମ୍ମୁଖୀନ ହୋଇଥିଲାବେଳେ କ୍ରିଜ୍‍ରେ ସର୍ବାଧିକ ୪୪,୧୫୨ ମିନିଟ୍‍ ସମୟ କଟାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।

ଭିଭିଏସ୍‍ ଲକ୍ଷ୍ମଣ (୧୩୪)

ଭାରତୀୟ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଦାୟିତ୍ୱରେ ରହିଥିବା ଭାଙ୍ଗିପୁରାପୁ ଭେଙ୍କଟ ସାଇ (ଭିଭିଏସ୍‍) ଲକ୍ଷ୍ମଣ ମିଡଲ ଅର୍ଡରରେ ଖେଳି ମଧ୍ୟ ୧୩୪ଟି ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି। ୨୦୦୧ କୋଲକାତା ଟେଷ୍ଟରେ ସେ ରାହୁଲ ଦ୍ରାବିଡଙ୍କ ପାର୍ଟନରସିପ୍‍ରେ ୩୭୬ ରନ୍‍ କରି ଅଷ୍ଟ୍ରେଲିଆକୁ ଇନିଂସ ବିଜୟରୁ ବଞ୍ଚିତ କରିବା ସହ ଭାରତକୁ ସିରିଜ୍‍ ବିଜୟୀ କରାଇଥିଲେ। ଏହି ମ୍ୟାଚ୍‍ରେ ସେ ୨୮୧ ରନ୍‍ କରି ସୁନିଲ ଗାଭାସ୍କରଙ୍କ ନାମରେ ଥିବା ୨୩୬ ରନ୍‍ର ଦୀର୍ଘଦିନର ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ଭାଙ୍ଗିଦେଇଥିଲେ।

ଅନିଲ କୁମ୍ବଲେ (୧୩୨)

ଭାରତ ପକ୍ଷରୁ ସର୍ବାଧିକ ୬୧୯ଟି ୱିକେଟ ନେବାର ରେକର୍ଡ ଲେଗ୍‍ସ୍ପିନର ଅନିଲ କୁମ୍ବଲେଙ୍କ ନାମରେ ରହିଛି। ସେ ମୋଟ ୧୩୨ଟି ଟେଷ୍ଟ ଖେଳିଥିଲେ ମଧ୍ୟ ୧୯୯୯ ଫେବୃଆରୀ ଦିଲ୍ଲୀରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୭୪ ରନ୍‍ ଦେଇ ୧୦ଟିଯାକ ୱିକେଟ ଅକ୍ତିଆର କରିଥିଲେ। ଏହି ସଫଳା ପାଇବାରେ ସେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଥିଲେ। ସେ ମଧ୍ୟ ୪୦,୮୫୦ଟି ବଲ୍‍ ପକାଇ ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନିଜ କ୍ୟାରିୟରେ ଏକମାତ୍ର ଶତକ ଓଭାଲରେ ସଂଗ୍ରହ କରିବା ଫଳରେ ଏହି ମ୍ୟାଚ୍‍ ଡ୍ର ରହିଥିଲା ଓ ଭାରତ ୨୦୦୭ରେ ବିରଳ ସିରିଜ୍‍ ବିଜୟ ହାସଲ କରିଥିଲା।

କପିଳ ଦେବ (୧୩୧)

ଦିନିକିଆ କ୍ରିକେଟରେ ସର୍ବକନିଷ୍ଠ ଅଧିନାୟକ ଭାବେ ବିଶ୍ୱକପ୍‍ ଚାମ୍ପିଅନ୍‍ ହୋଇଥିବା ଅଲରାଉଣ୍ଡର କପିଳ ଦେବ ୧୩୧ଟି ଟେଷ୍ଟ ଖେଳିବାର ଗୌରବ ଲାଭ କରିଛନ୍ତି। ଏବେ ସୁଦ୍ଧା ସେ ଟେଷ୍ଟ କ୍ରିକେଟରେ ୪୦୦ରୁ ଅଧିକ (୪୩୪) ୱିକେଟ ଓ ୫,୦୦୦ ରୁ ଅଧିକ (୫,୨୪୮) ରନ୍‍ ସଂଗ୍ରହ କରିବାର ବିଶ୍ୱରେକର୍ଡର ଅଧିକାରୀ ଅଟନ୍ତି। ୧୯୯୪ରେ କପିଳ ଅବସର ନେଲାବେଳକୁ ବିଶ୍ୱରେ ସର୍ବାଧିକ ୱିକେଟ ଅକ୍ତିଆର କରିବାର ରେକର୍ଡର ଅଧିକାରୀ ରହିଥିଲେ। ଏହାର ୬ ବର୍ଷ ପରେ ଅର୍ଥାତ୍‍ ୨୦୦୦ରେ ୱେଷ୍ଟଇଣ୍ଡିଜ୍‍ର କର୍ଟନୀ ୱାଲ୍‍ଶ ତାଙ୍କ ରେକର୍ଡକୁ ଭାଙ୍ଗିଦେଇଥିଲେ।

ସୁନିଲ ଗାଭାସ୍କର (୧୨୫)

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓପନର ଭାବେ ବିବେଚିତ ସୁନିଲ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚ୍‍ ଖେଳିଥିଲେ। ୧୯୭୧ରୁ ୧୯୮୭ ଯାଏ ଦୀର୍ଘ ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଗାଭାସ୍କର ତାଙ୍କ କ୍ୟାରିୟରରେ ୩୪ଟି ଶତକ ଓ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‍ ଭାବେ ୧୦,୦୦୦ ରନ୍‍ ପୂରଣ କରିଥିଲେ। ସେ ଖେଳୁଥିବା ସମୟରେ ମାତ୍ର ତୃତୀୟ ଖେଳାଳିଭାବେ ଏହି ସଫଳତାର ଅଧିକାରୀ ହୋଇଥିଲେ।

ଦିଲ୍ଲୀପ ଭେଙ୍ଗସରକାର (୧୧୬)

ଗାଭାସ୍କରଙ୍କ ପରି ଫାଷ୍ଟ ବୋଲିଂକୁ ସହଜରେ ଖେଳିବାର କଳା ହାସଲ କରିଥିବା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ୍‍ ଦିଲ୍ଲୀପ ଭେଙ୍ଗସରକାର ୧୯୭୬ରୁ ୧୯୯୨ ମଧ୍ୟରେ ୧୧୬ଟି ଟେଷ୍ଟ ଖେଳି ୧୭ଟି ଶତକ ହାସଲ କରିଥିଲେ। ୧୯୭୮-୭୯ ସିଜନରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଗାଭାସ୍କରଙ୍କ ସହ ମିଶି ୩୦୦ ରନ୍‍ର ପାର୍ଟନରଶିପ୍‍ କରି ଖୁବ୍‍ ଚର୍ଚ୍ଚାରେ ରହିଥିଲେ। ସେ ବିଶ୍ୱର ଏକମାତ୍ର ବିଦେଶୀ ଖେଳାଳି ଯିଏକି କ୍ରିକେଟର ମକ୍କା ଭାବେ ବିବେଚିତ ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡରେ ୩ଟି ଶତକ ହାସଲ କରିଛନ୍ତି।

ସୌରଭ ଗାଙ୍ଗୁଲି (୧୧୩)

ଲର୍ଡ୍ସରେ ୧୯୯୬ରେ ଡେବ୍ୟୁ କରି ୧୩୧ (ଏଯାଏ ଡେବ୍ୟୁରେ ସର୍ବାଧିକ) ରନ୍‍ କରିଥିବା ସୌରଭ ଗାଙ୍ଗୁଲି ୧୧୩ଟି ଟେଷ୍ଟ ଖେଳିଛନ୍ତି। ବର୍ତ୍ତମାନ ବିସିସିଆଇ ସଭାପତି ଥିବା ଗାଙ୍ଗୁଲି୪୨.୧୭ ହାରରେ ୭,୨୧୨ ରନ୍‍ ସଂଗ୍ରହ କରିଛନ୍ତି। ଜଣେ ଦମ୍‍ଦାର ଅଧିନାୟକ ଭାବେ ନିଜକୁ ପ୍ରତିଷ୍ଠା କରିଥିବା ଗାଙ୍ଗୁଲି ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଟେଷ୍ଟ ବିଜୟ ହାସଲ କରି ସଫଳତା ପାଇଛନ୍ତି।

ଈଶାନ୍ତ ଶର୍ମା (୧୦୫)

ଭାରତର ଦ୍ୱିତୀୟ ଫାଷ୍ଟ ବୋଲର ତଥା କୋହଲିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଈଶାନ୍ତ ଶର୍ମା ୨୦୨୧ ଅହମ୍ମଦାବାଦ୍‍ରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‍ ଖେଳିଛନ୍ତି। ୨୦୦୭ରୁ ଟେଷ୍ଟ ଖେଳିଆସୁଥିବା ଏହି ବୋଲର ଏଯାଏ ୩୧୧ଟି ୱିକେଟ ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟରେ ୭୪ ରନ୍‍ ଦେଇ ୭ଟି ୱିକେଟ ନେବା ସଫଳତା ଏଯାଏ ବିଦେଶରେ ଶ୍ରେଷ୍ଠ ଭାବେ ବିବେଚିତ କରାଯାଇଛି।

ହରଭଜନ ସିଂ (୧୦୩)

ପ୍ରାକ୍ତନ ଭାରତୀୟ ଅଫ୍‍ସ୍ପିନର ହରଭଜନ ୧୦୩ଟି ଟେଷ୍ଟ ଖେଳି ୪୧୭ ୱିକେଟ ନେଇଛନ୍ତି। କୋଲକାତାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରେଷ୍ଠ ସଫଳତା ପାଇଥିବା ଭଜି ଏହି ମ୍ୟାଚ୍‍ରେ ପ୍ରଥମ ଭାରତୀୟ ବୋଲରଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍‍ ଅର୍ଜନ କରିଥିଲେ। ୩ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜ୍‍ରେ ସେ ସର୍ବାଧିକ ୩୨ଟି ୱିକେଟ ପାଇଥିଲେ।

ବୀରେନ୍ଦ୍ର ସେହ୍ୱାଗ (୧୦୩)

ଭାରତୀୟ କ୍ରିକେଟରେ ଦୁଇଥର ୩୦୦ରୁ ଅଧିକ ରନ୍‍ ସଂଗ୍ରହକାରୀ ବୀରେନ୍ଦ୍ର ସେହ୍ୱାଗ ୧୦୩ଟି ଟେଷ୍ଟ ଖେଳି ୮,୫୦୩ ରନ୍‍ ସଂଗ୍ରହ କରିଛନ୍ତି। ୮୦ ଦଶକର ୱେଷ୍ଟଇଣ୍ଡିଜ୍‍ ବ୍ୟାଟରଙ୍କ ପରେ ସେହ୍ୱାଗଙ୍କୁ ବୋଲରମାନେ ଭୟ କରୁଥିଲେ। ସେ ଚେନ୍ନଇରେ ୨୦୦୮ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୩୧୯ ଓ ମୁଲତାନ୍‍ରେ ୨୦୦୪ରେ ଘରୋଇ ପାକିସ୍ତାନର ବିପକ୍ଷରେ ୩୦୯ ରନ୍‍ କରିଥିଲେ। ଜଣେ କାମଚଳା ବୋଲର ଭାବେ ୨୦୦୮ ଦିଲ୍ଲୀ ଟେଷ୍ଟରେ ସେ ଅଷ୍ଟ୍ରେଲିଆର ୫ଜଣ ଶ୍ରେଷ୍ଠ ବ୍ୟାଟର ମାଥ୍ୟୁ ହେଡେନ, ମାଇକେଲ ହସୀ, ଶେନ୍‍ ୱାଟସନ, ରିକି ପଂଟିଙ୍ଗ୍‍ ଓ କାମେରନ ହ୍ୱାଇଟ୍‍ଙ୍କୁ ଆଉଟ କରିଥିଲେ।

ବିରାଟ କୋହଲି (୧୦୦*)

ଭାରତୀୟ କ୍ରିକେଟର ଅନ୍ୟତମ ସୁପରଷ୍ଟାର ବିରାଟ କୋହଲି ବିଦେଶ ମାଟିରେ ଭାରତକୁ ଟେଷ୍ଟ ସିରିଜ୍‍ ଜିତାଇ ଏକ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଘରୋଇ ମାଟିରେ ଏଯାଏ ଅପରାଜିତ ରହିଛି। ୨୦୨୨ ମୋହାଲିରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ୧୦୦ତମ ଟେଷ୍ଟ ଖେଳିଛନ୍ତି। ଭାରତ ପକ୍ଷରୁ ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଦ୍ୱାଦଶ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.