ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ ହରିଣୀ ଲୋଗାନ, ୨୧ଟି ଶଦ୍ଦର ସଠିକ୍‌ ସ୍ପେଲିଂ କହି ଜିତିଲେ ୩୮ ଲକ୍ଷ

ୱାଶିଂଟନ : ଭାରତୀୟ ବଂଶୋଦ୍ଭବ ଆମେରିକା ଛାତ୍ରୀ ହରିଣୀ ଲୋଗାନ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୧୩ ବର୍ଷ ବୟସରେ ସ୍କ୍ରିପ୍ସ ନ୍ୟାସନାଲ ସ୍ପେଲିଂ ବି କମ୍ପିଟେସନ ଜିତିଛନ୍ତି। ମାତ୍ର ୯୦ ସେକେଣ୍ଡ ମଧ୍ୟରେ ୨୧ଟି ଶଦ୍ଦର ସଠିକ୍‌ ସ୍ପେଲିଂ (ବନାନ) କହି ହରିଣୀ ପ୍ରାୟ ୩୮ ଲକ୍ଷ ୮୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ହରିଣୀ ଏହି ପ୍ରତିଯୋଗିତା ୧୨ ବର୍ଷୀୟ ବିକ୍ରମ ରାଜୁଙ୍କ ସହ ମୁକାବିଲା କରିଥିଲେ। ରିପୋର୍ଟ ଅନୁଯାୟୀ ବିକ୍ରମ ଏବଂ ହରିଣୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। କିଛି ପର୍ଯ୍ୟାୟରେ ଉଭୟ ଶଦ୍ଦର ସଠିକ୍‌ ବନାନ କହିଥିବାବେଳେ ଆଉ କିଛି ପର୍ଯ୍ୟାୟରେ ସଠିକ୍‌ ଉତ୍ତର ଦେଇପାରିନଥିଲେ। ତେବେ ଏହି ପ୍ରତିଯୋଗିତାରେ ବିଜୟ ନିଷ୍ପତ୍ତି ନେବା ଲାଗି ଅତିରିକ୍ତ ପ୍ରଶ୍ନ ପଚରା ଯାଇଥିଲା। ଏଥିରେ ହରିଣୀ ସଠିକ୍‌ ବନାନ କହି ବିଜୟୀ ହୋଇଥିଲେ।

ଏହି ପ୍ରତିଯୋଗିତାରେ ହରିଣୀ ଲୋଗାନ ୨୧ଟି ଶଦ୍ଦର ସଠିକ୍‌ ବନାନ କହିଥିଲେ। ତେବେ ତାଙ୍କ ପ୍ରତିଦ୍ବନ୍ଦୀ ବିକ୍ରମ ମାତ୍ର ୧୫ଟି ଶଦ୍ଦର ସଠିକ୍‌ ବନାନ କହିଥିଲେ। ବିଜୟୀ ହୋଇଥିବାରୁ ହରିଣୀଙ୍କୁ ୫୦ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୩୮ ଲକ୍ଷ ୮୦ ହଜାର ଟଙ୍କା ପୁରସ୍କାର ମିଳିଛି। ରନର୍ସଅପ୍‌ ହୋଇଥିବାରୁ ବିକ୍ରମଙ୍କୁ ୨୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୧୯ ଲକ୍ଷ ୪୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୧୯୨୫ ମସିହାରେ ସ୍ପେଲିଂ ବି ଆରମ୍ଭ ହୋଇଥିଲା। ଏଥିରେ ପ୍ରତିଯୋଗୀଙ୍କୁ ୯୦ ସେକେଣ୍ଡ (ଦେଢ ମିନିଟ) ମଧ୍ୟରେ ଅଧିକରୁ ଅଧିକ ଶଦ୍ଦର ସଠିକ୍‌ ବନାନ କହିବାକୁ ପଡିଥାଏ। କମ୍‌ ସମୟରେ ଅଧିକ ଶଦ୍ଦର ସଠିକ୍‌ ବନାନ କହିଥିବା ଛାତ୍ରଛାତ୍ରୀ ବିଜୟୀ ହୁଅନ୍ତି। ଏହି ପ୍ରତିଯୋଗିତାରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି। କରୋନା ଯୋଗୁଁ ୨୦୨୦ରେ ଏହି ପ୍ରତିଯୋଗିତାକୁ ସ୍ଥଗିତ ରଖି ଦିଆଯାଇଥିଲା। ଚଳିତ ବର୍ଷ ପ୍ରତିଯୋଗିତାରେ ୨୩୪ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ ଶେଷ ପର୍ଯ୍ୟାୟକୁ ଯାଇଥିଲେ। ଏହି ପ୍ରତିଯୋଗିତାରେ ଗତ ୨୦ ବର୍ଷ ହେଲା ଭାରତୀୟ ବଂଶୋଦ୍ଭବ ଶିଶୁଙ୍କ ପ୍ରାଧାନ୍ୟ ରହିଆସିଛି।

Leave A Reply

Your email address will not be published.