ମହିଳା ଟି-୨୦ ବିଶ୍ୱକପ୍: DLS ନିୟମରେ ଆୟରଲାଣ୍ଡକୁ ପରାସ୍ତ କରି ସେମିରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ଦଳ। ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଆୟରଲାଣ୍ଡକୁ ୫ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛି। ଆୟରଲାଣ୍ଡର ବ୍ୟାଟିଂ ଚାଲିଥିବା ବେଳେ ବର୍ଷା ଯୋଗୁ ଖେଳକୁ ଅଧାରେ ରୋକିବାକୁ ପଡ଼ିଥିଲା। ବର୍ଷା ନ ଛାଡ଼ିବାରୁ DLS ନିୟମରେ ଭାରତକୁ ବିଜୟୀ ଘୋଷଣା କରାଯାଇଛି।
ଭାରତ ପ୍ରଥମ ବ୍ୟାଟିଂ କରି ୧୫୫ ରନ୍ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୮୭ ରନ୍ କରିଥିଲେ । ଏହି ମ୍ୟାଚକୁ ଜିତିବାକୁ ବେଲେ ଆୟରଲାଣ୍ଡକୁ ୧୫୬ ରନ୍ର ଆବଶ୍ୟକତା ରହିଥିଲା। ଆୟରଲାଣ୍ଡ ୮.୨ ଓଭର ଖେଳି ୫୪ ରନ୍ କରି ଦୁଇ ୱିକେଟ୍ ହରାଇଥିଲା। ଏହି ସମୟରେ ବର୍ଷା ହେବାରୁ ଖେଳକୁ ମଝିରୁ ଅଟକାଇବାକୁ ପଡ଼ିଥିଲା। ବର୍ଷା ନ କମିବାରୁ ଶେଷରେ ଖେଳକୁ ରଦ୍ଦ କରାଯାଇ DLS ନିୟମରେ ଭାରତକୁ ବିଜୀୟ ଘୋଷଣା କରାଯାଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଦଳ ଭାବେ ମହିଳା ଟି-୨୦ ବିଶ୍ୱକପ୍ରେ ସେମିଫାଇନାଲ୍ରେ ପ୍ରବେଶ କରିଛି।