ଆଜିଠୁ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ: କ୍ଲିନ୍ ସୁଇପ ଲକ୍ଷ୍ଯରେ ଭାରତ

ବେଙ୍ଗାଲୁରୁ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ତଥା ଶେଷ ମୁକାବିଲା ଶନିବାରଠାରୁ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ ଦିବାରାତ୍ର ହୋଇଥିବାରୁ ଏସ୍‌ଜି ପିଙ୍କ୍ ବଲ ଏଠାରେ କିଭଳି ପ୍ରଦର୍ଶନ କରିବ ତାହାକୁ ନେଇ ଉଭୟ ଦଳ ଆଶଙ୍କାରେ ରହିଛନ୍ତି। ଭାରତ ପ୍ରଥମ ଟେଷ୍ଟକୁ ଇନିଂସ ଓ ୨୨୨ ରନରେ ଜିତି ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଯଦି ରୋହିତ୍ ଶର୍ମାଙ୍କ ଦଳ ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇପାରିଲେ ଏହି ସିରିଜ କ୍ଲିନ୍‌ ସୁଇପ୍ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ତଥାପି ସୂର୍ଯ୍ୟାସ୍ତ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଯେଉଁ ଦଳ ଭଲ ଖେଳିପାରିବ, ସେହି ଦଳର ପଲା ଭାରି ରହିବ ବୋଲି କୁହାଯାଉଛି।

ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ଓ ସମସ୍ତ ଫର୍ମାଟରେ ଅଧିନାୟକ ଭାବେ ରୋହିତ ଯୋଗଦେବା ପରେ ଭାରତୀୟ ଦଳରେ ବାରମ୍ବାର ଖେଳାଳି ପରିବର୍ତ୍ତନର ଆଶା କମ୍ ରହିଛି। କିନ୍ତୁ ପ୍ରଥମ ଟେଷ୍ଟ ଜିତିବା ପରେ ଦ୍ୱିତୀୟ ଟେଷ୍ଟରେ ଦୁଇ ଜଣ ଖେଳାଳିଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ପ୍ରଥମେ ଅଛନ୍ତି ବାମହାତୀ ସ୍ପିନର ଅକ୍ଷର ପଟେଲ ଏବଂ ଯୁବ ଖେଳାଳି ଶୁବମାନ ଗିଲ୍। ସମସ୍ତ ବ୍ୟାଟର ପ୍ରଥମ ଟେଷ୍ଟରେ ଭଲ ଖେଳିଥିବାରୁ ଗିଲ୍‌ଙ୍କ ସାମିଲ ହେବା ସମ୍ଭାବନା କମ୍। କିନ୍ତୁ ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ୧୧ଟି ୱିକେଟ ନେଇଥିବା ବାମହାତୀ ସ୍ପିନର ଅକ୍ଷରଙ୍କୁ ସାମିଲ କରାଯିବା ନେଇ ଜୋର ଚର୍ଚ୍ଚା ହେଉଛି। ଦ୍ରାବିଡ-ଶର୍ମାଙ୍କ ଯୋଡି କି ନିଷ୍ପତ୍ତି ନେବେ ତାହା ପିଚ୍‌ର ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଅଦି ଅକ୍ଷରଙ୍କୁ ସାମିଲ କରାଯାଏ, ତେବେ ଅଫ୍ ସ୍ପିନର ଜୟନ୍ତ ଯାଦବଙ୍କୁ ବାହାରେ ବସିବାକୁ ପଡ଼ିବ।

 

ଶ୍ରୀଲଙ୍କାର ଟପ୍‌ ଅର୍ଡରରେ ୫ଜଣଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍। ଏଣୁ ଦଳ ଦୁଇ ଜଣ ବାମହାତୀ ସ୍ପିନରଙ୍କୁ ସୁଯୋଗ ଦେବ କି ନାହିଁ ତାହା ମଧ୍ୟ ଆଶଙ୍କାରେ ରହିଛି। ସେହିପରି ଜୟନ୍ତଙ୍କ ବିନା ସହଯୋଗରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ୍‌ଙ୍କ ଚମତ୍କାରିତା ବଳରେ ଭାରତ ପ୍ରଥମ ଟେଷ୍ଟକୁ ୩ ଦିନରେ ଜିତିନେଇଥିଲା। ଏମାନେ ଶ୍ରୀଲଙ୍କାର ୨୦ଟି ମଧ୍ୟରୁ ୧୫ଟି ୱିକେଟ ନେଇଥିଲେ। ଚିନ୍ନାସ୍ୱାମୀ ପିଚ୍ ହାଇସ୍କୋରିଂ ହେଉଥିଲାବେଳେ ବର୍ତ୍ତମାନ ଭାରତୀୟ ଦଳରେ ଫାଷ୍ଟ ବୋଲିଂ କରୁଥିବା ମହମ୍ମଦ୍ ସିରାଜଙ୍କୁ ସାମିଲ କରାଯିବାକୁ ମଧ୍ୟ ଚିନ୍ତା କରାଯାଉଛି।

ପାଥୁମ୍ ନିଶାଙ୍କ ବାଦ୍

ଶ୍ରୀଲଙ୍କା ଦଳ ପ୍ରଥମ ଟେଷ୍ଟରେ ମାତ୍ର ଜଣେ ସ୍ପିନରଙ୍କୁ ଖେଳାଇଥିଲା। ଏହି ମ୍ୟାଚ୍ ଖେଳିଥିବା ଫାଷ୍ଟ ବୋଲର ଲାହିରୁ କୁମାରା ଓ ଯୁବ ବ୍ୟାଟର୍‌ ପାଥମ ନିଶାଙ୍କ ଆହତ ହୋଇଛନ୍ତି। କୁମାରାଙ୍କ ସ୍ଥାନରେ ଜଣେ ସ୍ପିନରଙ୍କୁ ଦଳ ଦ୍ଵିତୀୟ ଟେଷ୍ଟରେ ସାମିଲ କରିବା ନିଶ୍ଚିତ । ସେହିପରି ପାଥୁମ୍‌ଙ୍କ ସ୍ଥାନରେ ଅଭିଜ୍ଞ ବ୍ୟାଟର ଦୀନେଶ ଚାଣ୍ଡିମଲ୍‌ଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ଦଳରେ କିଛି ପରିର୍ଜନର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ । ମୋହାଲିରେ ଭ୍ରମଣକାରୀ ଦଳ ଯେପରି ଖେଳିଥିଲା ସେଥିରେ ଜିତିବା ତ ଦୂରର କଥା ପ୍ରତିଦ୍ବନ୍ଦିତା ମଧ୍ୟ ହୋଇ ପାରି ନଥିଲା। ଦିବାରାତ୍ର ବା ପିଙ୍କ୍ ବଲ ଟେଷ୍ଟରେ ଶ୍ରୀଲଙ୍କା ୩ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇଛି । ବେଙ୍ଗାଲୁରୁରେ ଏହି ଦଳ ପୂର୍ବର କିଛି ଲଢ଼ୁଆ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Leave a comment