ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ : ସିରିଜ୍‌‌ ଜିତିବା ଲକ୍ଷ୍ୟରେ ଭାରତ

ଗୁଆହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମ୍ୟାଚ୍‌‌ ସ୍ଥାନୀୟ ବର୍ଷାପଡ଼ା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଖେଳାଯିବ। ଏହା ପୂର୍ବରୁ ଥିରୁଅନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ସହଜରେ ମ୍ୟାଚ୍‌‌କୁ ଜିତିନେଇଥିଲା। ଘରୋଇ ଦଳ ୧-୦ରେ ଅଗ୍ରଣୀ ରହିଥିଲାବେଳେ ଏଠାରେ ଦ୍ୱିତୀୟ ମ୍ୟାଚ୍‌‌ ଜିତି ପ୍ରଥମଥର ଭ୍ରମଣକାରୀ ଦଳ ବିପକ୍ଷରେ ଟି-୨୦ ସିରିଜ୍‌‌ ଜିତିବାକୁ ଲକ୍ଷ୍ୟ ରଖିଛି। ଦଳର ଏହି ବିଜୟରେ ପ୍ରଥମ ମ୍ୟାଚ୍‌‌ରେ ହିରୋ ସାଜିଥିବା ପେସ୍‌‌ ବୋଲରମାନେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି। ଥିରୁଅନନ୍ତପୁରମରେ ଫାଷ୍ଟ ପିଚ୍‌‌ରୁ ପୂରା ଫାଇଦା ଉଠାଇଥିଲେ ଭାରତୀୟ ପେସ୍‌‌ ବୋଲର। ଯାହା ଫଳରେ ଦଳକୁ ମ୍ୟାଚ୍‌‌ ଜିତିବା ସହଜ ହୋଇଯାଇଥିଲା।

ଗୁଆହାଟୀରେ ସେଭଳି କିଛି ଆଶା କରାଯାଉ ନାହିଁ। ଭାରତୀୟ ଦଳ ପୁଣିଥରେ ଟସ୍‌‌ ଜିତିବ ବୋଲି ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। ଏଭଳି ସ୍ଥିତିରେ ଦଳରେ ଦୁଇ ବରିଷ୍ଠ ପେସ୍‌‌ ବୋଲରଙ୍କ ଅନୁପସ୍ଥିତି ରହିଛି। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିଲାବେଳେ ପିଠିରେ ଆଘାତ ଲାଗିଥିବାର ଯଶ୍‌‌ପ୍ରୀତ୍‌‌ ବୁମ୍‌‌ରାଙ୍କୁ ଶେଷ ଦୁଇଟି ଟି-୨୦ରୁ ବାଦ୍‌‌ ଦିଆଯାଇଛି। ମହମ୍ମଦ୍‌‌ ସାମି କୋଭିଡ୍‌‌ ଆକ୍ରାନ୍ତରୁ ମୁକ୍ତିପାଇଥିଲେ ମଧ୍ୟ ଏବେ ମ୍ୟାଚ୍‌‌ ଫିଟ ହେବା ସମ୍ଭବ ନୁହେଁ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ସିରିଜ୍‌‌ ଖେଳୁ ନାହାନ୍ତି। ଏଭଳି ସମୟରେ ବୁମ୍‌‌ରାଙ୍କ ଆହତ ସମସ୍ୟା ଭାରତର ସମୀକରଣକୁ ଏପଟ ସେପଟ କରିଦେଇଛି।

ଦୁଇ ଯୁବ ପେସ୍‌‌ ବୋଲର ଦୀପକ ଚହର ଓ ଅର୍ଶଦୀପ ସିଂ ଭଲ ବୋଲିଂ କରିଥିଲେ ମଧ୍ୟ ସେମାନଙ୍କ ନିକଟରେ ଅଭିଜ୍ଞତାର ଅଭାବ ରହିଛି। ଦୁଇ ବଦଳ ଖେଳାଳି ଉମେଶ ଯାଦବ ଓ ମହମ୍ମଦ୍‌‌ ସିରାଜଙ୍କ ମଧ୍ୟରୁ ଜଣେ ଏଠାରେ ମ୍ୟାଚ୍‌‌ ଖେଳିପାରନ୍ତି, କିନ୍ତୁ ଏମାନେ କେତେ ପ୍ରଭାବ ପକାଇପାରିବେ ତାହା ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ଟି-୨୦ ବିଶ୍ୱକପ୍‌‌ ପୂର୍ବରୁ ଭାରତ ହରଡଘଣାରେ ପଡ଼ିଛି। ଏହି ମେଗା ଇଭେଣ୍ଟ ଲାଗି ଶେଷ ପ୍ରସ୍ତୁତି ଲାଗି ଭାରତ ନିକଟରେ ଆଉ ଦୁଇଟି ମ୍ୟାଚ୍‌‌ ଖେଳିବାକୁ ବାକି ରହିଛି। ଏଥିରୁ କିପରି ଭାରତ ଫାଇଦା ଉଠାଇବ ତାହା ସମୟ କହିବ।

ପେସ୍‌‌ ବୋଲିଂକୁ ନେଇ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଯେତିକି ବିବ୍ରତ, ସ୍ପିନ୍‌‌ ବୋଲିଂ କିମ୍ବା ବ୍ୟାଟିଂକୁ ନେଇ ନୁହେଁ। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ସହଜରେ ପୂରଣ କରିଛନ୍ତି ଅକ୍ଷର ପଟେଲ। ତାଙ୍କ କୋଟାରେ ସେ ଯେପରି ରନ୍‌‌ ସଂଗ୍ରହରେ ଅଙ୍କୁଶ ଲଗାଉଛନ୍ତି, ଠିକ୍‌‌ ସେହିପରି ୱିକେଟ ମଧ୍ୟ ନେଉଛନ୍ତି। ପେସ୍‌‌ ବୋଲରଙ୍କ ବିଫଳତାରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ପାୱାର ପ୍ଲେ’ ବୋଲରରେ ପରିଣତ କରିସାରିଲେଣି। ଏଥିରେ ମଧ୍ୟ ଅକ୍ଷର ସଫଳ ହୋଇଛନ୍ତି। ଅନ୍ୟ ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଭଲ ଫର୍ମ ଦେଖାଇଛନ୍ତି। ବ୍ୟାଟିଂରେ ଟପ୍‌‌ ଅର୍ଡରରେ ଖେଳୁଥିବା ୪ଜଣ ବ୍ୟାଟର ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଆସିଯାଇଛନ୍ତି। ମିଡଲ ଅର୍ଡରକୁ ନେଇ ଯେଉଁ ଚିନ୍ତା ରହିଛି ତାହାକୁ ସଜାଡିବାକୁ ସୁଯୋଗ ମିଳିନାହିଁ। ଋଷଭ ପନ୍ତ୍‌‌ କିମ୍ବା ନୂଆ ଟିମ୍‌‌ ଫିନିସର ଦିନେଶ କାର୍ତ୍ତିକ ପ୍ରାକ୍ଟିସ୍‌‌ କରିବାର ସୁଯୋଗ ପାଇ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌‌ ଲାଗି ବିଶ୍ରାମ ଦିଆଯାଇଛି। କେବଳ ପେସ୍‌‌ ବୋଲିଂକୁ ସଜାଡିପାରିଲେ, ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌‌ରେ ଏକ ଶ୍ରେଷ୍ଠ ଦଳର ମାନ୍ୟତା ପାଇବ।

ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ପେସ୍‌‌ ବୋଲର ମଧ୍ୟ ଭଲ ଫର୍ମରେ ନାହାନ୍ତି। ଏହି ବୋଲରଙ୍କ ଉପରେ ଯଥେଷ୍ଟ ଭରସା ଥିଲେ ମଧ୍ୟ ସେମାନେ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିବାରେ ସମର୍ଥ ହେଉ ନାହାନ୍ତି। ବ୍ୟାଟରଙ୍କଠାରୁ ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ ଆଶା କରୁଛି। ଏଭଳି ସ୍ଥିତିରେ ଭାରତକୁ ହରାଇବା ଲାଗି ଦକ୍ଷିଣ ଆଫ୍ରିକାକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ।

ବର୍ଷା ଆଶଙ୍କା

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ ଲାଗି ଗୁଆହାଟୀରେ ଦର୍ଶକଙ୍କ ଉତ୍କଣ୍ଠାର ସହ ଖେଳ ଦେଖିବାକୁ ଅପେକ୍ଷା କରିଛନ୍ତି। ଏହା ସମର୍ଥକଙ୍କ ଲାଗି ସ୍ୱାଭାବିକ କଥା। କୋଭିଡ୍‌‌ ପରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌‌ ହେଉଥିବାରୁ ଉତ୍କଣ୍ଠା ପାଇବା ସ୍ୱାଭାବିକ୍‌‌। ଅକ୍ଟୋବର ୨ ତାରିଖରେ ଦୁର୍ଗା ପୂଜାର ସପ୍ତମୀ ଓ ଗାନ୍ଧି ଜୟନ୍ତୀ ଥିବାରୁ ସୁରକ୍ଷା ଲାଗି ଅଧିକ ଫୋର୍ସ ନିୟୋଜନ କରାଯାଇଛି। କିନ୍ତୁ ମ୍ୟାଚ୍‌‌ରେ ବର୍ଷା ବାଧା ସୃଷ୍ଟି କରିବାର ଆଶଙ୍କା ଉପୁଜିଛି। ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରବିବାର ଏଠାରେ ଆକାଶ ମେଘାଛନ୍ନ ରହିବ ଓ ବର୍ଷା ହେବ। ରାତିରେ ବର୍ଷା ପରିମାଣ ବଢ଼଼ିବା ନେଇ ମଧ୍ୟ ପାଣିପାଗ ଅଫିସ ସୂତ୍ରରୁ କୁହାଯାଇଛି।

ଏଠାରେ ଖେଳ ରାତି ୭ଟାରେ ଆରମ୍ଭ ହେବ। ଏଣୁ ଖେଳ ବାଧାପ୍ରାପ୍ତର ଯଥେଷ୍ଟ ଆଶଙ୍କା ରହିଛି। ଗତଥର ଏଠାରେ ଖେଳାଯାଇଥିବା ମ୍ୟାଚ୍‌‌ ବର୍ଷା ଯୋଗୁ ଗୋଟିଏ ବଲ ବୋଲିଂ ହେବା ପୂର୍ବରୁ ବାତିଲ ହୋଇଥିଲା। ବର୍ଷାକୁ ମୁକାବିଲା କରିବା ସକାଶେ ଆମେ ପ୍ରସ୍ତୁତ ବୋଲି ଆସାମ କ୍ରିକେଟ ସଂଘ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି। କିନ୍ତୁ ୩୯,୦୦୦ ଦର୍ଶକ ଖେଳ ଦେଖିପାରୁଥିବା ଏହି ଷ୍ଟାଡିୟମ୍‌‌ରେ ବର୍ଷା ହେଲେ ପଡ଼ିଆ କେତେ ସୁରକ୍ଷିତ ରହିବ ତାହାକୁ ନେଇ ଦର୍ଶକ ଆଶଙ୍କାରେ ରହିଛନ୍ତି। ନିକଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲା ଦିନ ବର୍ଷା ହୋଇ ନଥିଲେ ମଧ୍ୟ ଓଦା ପଡ଼ିଆ ଯୋଗୁ ଖେଳ ମାତ୍ର ୮ ଓଭର ସମ୍ଭବ ହୋଇଥିଲା। ଏହାକୁ ନେଇ ବିସିସିଆଇ ଏବଂ ଆୟୋଜକ ବିଦର୍ଭ କ୍ରିକେଟ ଆସୋସିଏସନ ସମାଲୋଚିତ ହୋଇଥିଲା।

Leave A Reply

Your email address will not be published.