ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଭାରତ- ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: କୋହଲିଙ୍କ ଉପରେ ସମସ୍ତଙ୍କ ନଜର

ପାର୍ଲ:  ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ବୁଧବାରଠାରୁ ସ୍ଥାନୀୟ ବୋଲାଣ୍ଡ ପାର୍କଠାରେ ଆରମ୍ଭ ହେବ। ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଜାନୁଆରୀ ୧୯ ଓ ୨୧ରେ ଏଠାରେ ଖେଳାଯିବାକୁ ଥିଲାବେଳେ ସମସ୍ତଙ୍କ ନଜର ରହିଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। ଦୀର୍ଘ ୭ ବର୍ଷ ପରେ ସେ ଅଧିନାୟକ ନଥାଇ ପ୍ରଥମଥର ଖେଳିବାକୁ ଯାଉଛନ୍ତି। ଟେଷ୍ଟ ଟିମ୍‌ରେ ତାଙ୍କ ଡେପୁଟି ଥିବା ଲୋକେଶ ରାହୁଲଙ୍କ ଅଧିନରେ ସେ ଖେଳିବେ। ଦିନିକିଆ କ୍ରିକେଟ ଦଳର ନେତୃତ୍ଵ ନେବା ଲାଗି ମନୋନୀତ ରୋହିତ ଶର୍ମା ଫିଟ୍ ହୋଇ ନ ଥିବାରୁ ରାହୁଲ ଦଳର କାମଚଳା ଅଧିନାୟକ ହୋଇଛନ୍ତି।

କିନ୍ତୁ ସମସ୍ତଙ୍କ ନଜର ରହିଛି ବିରାଟଙ୍କ ଉପରେ। ସେ କେଉଁ ସ୍ଥାନରେ ବ୍ୟାଟିଂ କରିବେ, କେଉଁଠାରେ ଫିଲ୍ମ କରିବେ, ରାହୁଲଙ୍କୁ ସହଯୋଗ କରିବେ କି ନାହିଁ ଏପରି ଅନେକ ପ୍ରଶ୍ନ ଉପରେ ଚର୍ଚ୍ଚା ଜୋର ଧରିଛି। ଏବେ ସେ କେବଳ ଜଣେ ବ୍ୟାଟର ଭାବେ କିପରି ପ୍ରଦର୍ଶନ କରିବେ, ତାହା ଦେଖିବାକୁ ଉତ୍ସାହ ବଢ଼ିବା ସ୍ଵାଭାବିକ୍ । ଟେଷ୍ଟ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ପରେ ଘରୋଇ ଦଳର ମନୋବଳ ଢ଼େର ବୃଦ୍ଧି ପାଇଛି। ଟେଷ୍ଟ ସିରିଜରେ କିଛିଟା ସ୍ଥିର ପ୍ରଦର୍ଶନ କରିଥିବା ଟେମ୍ବା ବଭୁମାଙ୍କ ନେତୃତ୍ବରେ ଦଳ ଭାରତର ମୁକାବିଲା କରିବ। କିନ୍ତୁ ସିରିଜ ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର କାଗିଶୋ ରାବାଡାଙ୍କୁ  ବିଶ୍ରାମ ଦିଆଯିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଭାରତୀୟ ଦଳରେ କିଛି ଖେଳାଳିଙ୍କ ବ୍ୟାଟିଂ ପୋଜିସନ ନେଇ ଦ୍ୱନ୍ଦ ମଧ୍ଯ ରହିଛି। ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ରାହୁଲ ମିଡଲ ଅର୍ଡରରେ ଖେଳିଥିଲେ। ଏବେ ସେ ଶିଖର ଧାୱନଙ୍କ ସହ ଇନିଂସ ଓପନ କରିବେ ବୋଲି ମଙ୍ଗଳବାର  ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଟି-୨୦ ଦଳରେ ସ୍ଥାନ ହରାଇଥିବା ଧାୱନଙ୍କ ଲାଗି ଏହା ବେଶ ଗୁରୁତ୍ବପୂର୍ଣ୍ଣ। ସେ ଓ ରାହୁଲ ଇନିଂସ ଓପନ କରିବେ। ନଂ-୩ରେ ବିରାଟ ଖେଳିବେ। କିନ୍ତୁ ନଂ-୪ରେ ଶ୍ରେୟସ ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣେ ଜଣେ ଖେଳିପାରନ୍ତି ।

ଏମାନଙ୍କ ପଛକୁ ୱିକେଟକିପର ଋଷଭ ପନ୍ତୁ ଓ ନଂ-୬ରେ ଅଲରାଉଣ୍ଡର ଭେଙ୍କଟେଶ ଆୟର ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବୋଲିଂରେ ଦୁଇ ସ୍ପିନର ଆର୍ ଅଶ୍ବିନ ଓ ଯୁଜବେନ୍ଦ୍ର ଚହଲ ନିଶ୍ଚିତ ପ୍ରଥମ ପସନ୍ଦ। ଉପଅଧିନାୟକ ଯଶପ୍ରୀତ୍ ବୁମ୍ରା ଓ ଭୁବନେଶ୍ବର କୁମାରଙ୍କ ସହ ଆଉ ଜଣେ ଖେଳିବେ। ମହମ୍ମଦ୍ ସିରାଜ ଫିଟ୍ ହୋଇଛନ୍ତି ଓ ଶାର୍ଦ୍ଧଳ ଠାକୁର ମଧ୍ୟ ତୃତୀୟ ପେସ୍ ବୋଲର ସ୍ଥାନ ପୂରଣ ଲାଗି ପ୍ରସ୍ତୁତ। ଭେଙ୍କଟେଶ ଚତୁର୍ଥ ପେସ୍‌ ବୋଲର କାମ ସମ୍ଭାଳିବେ। ଏହାକୁ ନେଇ ଦକ୍ଷିଣ ଆଫ୍ରିକା ସହ ଭାରତ ମୁକାବିଲା କରିବ। ବିରାଟଙ୍କ  ବ୍ୟକ୍ତିତ୍ଵ ସହ ରାହୁଲଙ୍କ ନେତୃତ୍ବର ମଧ୍ୟ ଏହି ସିରିଜ୍‌ରେ ପରୀକ୍ଷା ହେବ।ଭିବଷ୍ୟତରେ ରାହୁଲ ଭାରତୀୟ ଦଳର ନେତୃତ୍ବ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଟେମ୍ବାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା  ଏକ ଶକ୍ତିଶାଳୀ ଦଳ ନହେଲେ ମଧ୍ୟ ଏକାଧିକ ଅଲରାଉଣ୍ଡର ଓ ଘରୋଇ ମାଟିରେ ଖେଳୁଥିବାରୁ ଭାରତ ଲାଗି ମୁଣ୍ଡବ୍ୟଥାର କାରଣ ହେବେ ।

ଏଥିସହିତ ପଢ଼ନ୍ତୁ

Leave A Reply

Your email address will not be published.