ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଦିନିକିଆ; କ୍ଲିନ୍‌‌ ସୁଇପ୍‌‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇନ୍ଦୋର: ସ୍ଥାନୀୟ ହୋଲକର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ପ୍ରଥମ ଦୁଇଟି ମ୍ୟାଚ୍‌‌ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ତେଣୁ ଏହି ମ୍ୟାଚ୍‌‌ ଜିତି ଭାରତୀୟ ଦଳ କ୍ଲିନ୍‌‌ ସୁଇପ୍‌‌ କରିବା ଲକ୍ଷ୍ୟରେ ରହିଛି। ମ୍ୟାଚ୍ ଜିତିଲେ ଦିନିକିଆ ମାନ୍ୟତାରେ ନମ୍ବର ୱାନ୍ ହେବ ଭାରତ । ୨-୦ରେ ଶୃଙ୍ଖଳା କବଜା କରିବା ପରେ ଭାରତର ଆତ୍ମବିଶ୍ୱାସ ଉଚ୍ଚରେ ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଏହି ମ୍ୟା୍‌‌ଚ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ ଲକ୍ଷ୍ୟରେ ରହିଛି।

ହୋଲକର ଷ୍ଟାଡିୟମରେ ଏହି ପିଚ୍‌‌ ଫ୍ଲାଟ ହେବା ସମ୍ଭାବନା ଅଧିକ। ଛୋଟିଆ ଗ୍ରାଉଣ୍ଡରେ ଆଉଟ୍‌‌ ଫିଲ୍ଡ ଫାଷ୍ଟ ହୋଇଥିବାରୁ ଏହି ମ୍ୟାଚ୍‌‌ ହାଇ ସ୍କୋରିଂ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାକର ସମସ୍ୟା ଥିବାରୁ ଟସ୍‌‌ର ଭୂମିକା ନିର୍ଣ୍ଣାୟକ ହେବ। ତେଣୁ ପଛରେ ବ୍ୟାଟିଂ କରିବା ଲାଭଜନକ ହେବ ବୋଲି ଅନୁମାନ କରାଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭାରତ ଦମ୍‌‌ଦାର ପ୍ରଦର୍ଶନ କରିଥିଲା। ପ୍ରଥମ ମ୍ୟାଚ୍‌‌ରେ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଦ୍ୱିତୀୟରେ ବେଶ୍‌‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଦିନିକିଆରେ ଭାରତ ୧୨ ରନରେ ଓ ଦ୍ୱିତୀୟରେ ୮ ୱିକେଟରେ ବିଜୟୀ ହୋଇଥିଲା।

ସିରିଜ ଜିତିସାରିଥିବାରୁ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ସ୍ଥାନରେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ। ଚହଲ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନିକିଆ ଖେଳିଥିଲେ। ସେହିପରି ରଜତ ପଟିଦାର ଓ ଶାହାବାଜ ଅହମ୍ମଦଙ୍କ ମଧ୍ୟରୁ ଟିମ୍‌‌ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ତାହା ଦେଖିବାକୁ ବାକି ରହିଲା। ମହମ୍ମଦ ସିରାଜ କିମ୍ବା ମହମ୍ମଦ ସାମି ସ୍ଥାନରେ ଉମ୍ରାନ ମଲିକଙ୍କୁ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବ୍ୟାଟିଂରେ ଦକ୍ଷତା ରଖୁଥିବାରୁ ଶାର୍ଦ୍ଦୁଳ ଠାକୁର ମଧ୍ୟ ଖେଳିବାର ସମ୍ଭାବନା ରହିଛି।

Leave A Reply

Your email address will not be published.