ପାଣ୍ଡ୍ୟା ବାହିନୀ ଆଟାକ୍‌ରେ କଙ୍ଗାରୁ ବେହାଲ, ସାମି-ସିରାଜ ଦେଖାଇଲେ ଦମ୍‌, ଅଷ୍ଟ୍ରେଲିଆ ୧୮୮ ରନରେ ଅଲଆଉଟ୍

ମୁମ୍ବଇ: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ୍‌‌ ଖେଳାଯାଉଥିବା ବେଳେ ପାଣ୍ଡ୍ୟା ବାହିନୀ ଆଟାକ୍‌ରେ କଙ୍ଗାରୁ ବେହାଲ ହୋଇଯାଇଛି। ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରହିଛି ।


ଆଜିର ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା । ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ୟାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସମ୍ମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୨ଟି ଓ୍ବିକେଟ୍ ନେଇଥିବାବେଳେ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।


ସୂଚନାଯୋଗ୍ୟ ପାରିବାରିକ କାରଣ ଯୋଗୁ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌‌ରେ ଖେଳୁନାହାନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇଛନ୍ତି। ଆଜି ପ୍ରଥମଥର ପାଇଁ ପାଣ୍ଡ୍ୟା ଦିନିକିଆରେ ଭାରତର ନେତୃତ୍ୱ ନେଇଛନ୍ତି। ଅବଶ୍ୟ ସେ ଟି-୨୦ ଫର୍ମାଟ୍‌‌ରେ ନିୟମିତ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଓ ଦିନିକିଆ ଦଳର ଉପଅଧିନାୟକ ରହିଛନ୍ତି। ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରେ ଭାରତରେ ଦିନିକିଆ ବିଶ୍ୱକପ୍‌‌ ଖେଳାଯିବ। ତେଣୁ ବିଶ୍ୱକପ୍‌‌ ପସ୍ତୁତିକୁ ନଜରରେ ରଖି ଏହି ଶୃଙ୍ଖଳା ଖେଳିବ। ବିଶ୍ୱ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ ନଂ ସ୍ଥାନରେ ରହିଛି।

Leave a comment