ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ବିଶ୍ବ ଚାମ୍ପିଅନ୍‌ : ଇଂଲଣ୍ଡକୁ ୭ ୱିକେଟରେ ହରାଇ ଅଣ୍ଡର-୧୯ ମହିଳା ଟି୨୦ ବିଶ୍ୱକପ ଜିତିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତ ବିଶ୍ବ ଚାମ୍ପିଅନ୍‌ ହୋଇଛି। ଶେଫାଳି ବର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାର ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ହରାଇ ଟାଇଟଲ୍ ଜିତିଛି। ପ୍ରଥମ ଅଣ୍ଡର-୧୯ ମହିଳା ଟି୨୦ ବିଶ୍ୱକପରେ ଚାମ୍ପିୟନ ହୋଇଛି ଭାରତ ।

ଆଜି ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ସହଜରେ ଆଉଟ୍ କରିଥିଲେ । ଇଂଲଣ୍ଡ ୧୭.୧ ଓଭରରେ ମାତ୍ର ୬୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ କେବଳ ଚାରି ଜଣ ବ୍ୟାଟର ହିଁ ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ । ରାୟନା ମ୍ୟାକଡୋନାଲ୍ଡ ସର୍ବାଧିକ ୧୯ ରନ୍ କରିଥିଲେ । ଭାରତ ତରଫରୁ ତିତାସ୍ ସାଧୁ, ଅର୍ଚନା ଦେବୀ ଓ ପାଶ୍ୱର୍ବୀ ଚୋପ୍ରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଇଂଲଣ୍ଡ ପ୍ରଦତ୍ତ ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ମାତ୍ର ୧୪ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିବା ସହ ବିଶ୍ୱକପ୍ ଟାଇଟଲ୍ ନିଶ୍ଚିତ କରିଥିଲା । ଏହି ଛୋଟ ଟାର୍ଗେଟର ପିଛା କରିବାକୁ ଯାଇ ଭାରତ ଶୀଘ୍ର ଦୁଇ ଓପନର ଶେଫାଳି (୧୫) ଓ ଶ୍ୱେତା ସେହରାୱତ(୫)ଙ୍କ ୱିକେଟ୍ ହରାଇଥିଲା । ହେଲେ ସୌମ୍ୟା ତିୱାରି ଓ ଗୋଙ୍ଗାଡି ତ୍ରିଶା ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ସୌମ୍ୟା ୩୭ଟି ବଲରେ ୩ଟି ଚୌକା ସହ ଅପରାଜିତ ୨୪ ରନ୍ କରିଥିବା ବେଳେ ତ୍ରିଶା ୨୯ଟି ବଲରେ ୨୪ ରନ୍ କରିଥିଲେ । ଭାରତୀୟ ବୋଲର ତିତାସ୍ ସାଧୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ଇଂଲଣ୍ଡର ଗେସ୍ ସ୍କ୍ରିଭେନ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ବିଶ୍ୱକପ୍ ଟ୍ରଫି ସହ ଭାରତୀୟ କ୍ୟାପଟେନ୍ ଶେଫାଳି ଓ କୋଚ୍‌ଙ୍କ ପାଇଁ ସ୍ମରଣୀୟ ଓ ସ୍ୱତନ୍ତ୍ର । ଶେଫାଳି ଏହା ପୂର୍ବରୁ ଭାରତୀୟ ସିନିୟର ଦଳ ସହ ଦୁଇଟି ବିଶ୍ୱକପ୍ ଓ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ ଖେଳିଥିଲେ । କିନ୍ତୁ ଏହି ତିନୋଟି ଯାକ ଫାଇନାଲରେ ଭାରତ ହାରିଯାଇଥିଲା । ସେହିପରି ଭାରତୀୟ ଅଣ୍ଡର-୧୯ ମହିଳା ଦଳର କୋଚ୍ ନୁଶିନ୍ ଅଲ୍ ଖାଦୀରଙ୍କ ପାଇଁ ଏହି ବିଶ୍ୱକପ୍ ଟ୍ରଫି ବିଜୟ ଏକ ବଡ଼ ସଫଳତା । ଖେଳାଳି ଭାବେ ସେ ୨୦୦୫ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ଫାଇନାଲ ଖେଳିଥିଲେ । କିନ୍ତୁ ଭାରତ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ଏବେ ସେ କୋଚ୍ ଭାବେ ବିଶ୍ୱକପ୍ ଟ୍ରଫି ଜିତିଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ପାଇଁ ଏହା ପ୍ରଥମ ବିଶ୍ୱକପ୍ ଟାଇଟଲ୍ । ଭାରତୀୟ ସିନିୟର ଦଳ ପୂର୍ବରୁ ୨୦୦୫ ଓ ୨୦୧୭ ଦିନିକିଆ ବିଶ୍ୱକପ୍ ଫାଇନାଲ ସହ ୨୦୧୯ ଟି୨୦ ବିଶ୍ୱକପର ଫାଇନାଲରେ ହାରିଯାଇଥିଲା । ଏହାଛଡ଼ା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲରେ ମଧ୍ୟ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ।

Leave A Reply

Your email address will not be published.