ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷିଆରୁ ଅଶୋଧିତ ତୈଳ ଆମଦାନୀ ନେଇ ଜିଦ୍‌ରେ ଭାରତ

ନୂଆଦିଲ୍ଲୀ: ଋଷିଆରୁ ଅଶୋଧିତ ତୈଳ କିଣିବା ଲାଗି ଏବେ ଭାରତ ଜିଦ୍‌ରେ ଅଡି ରହିଛି। ଏଥିଲାଗି ଭାରତର ପ୍ରସ୍ତୁତିକୁ ଆମେରିକା ପରୋକ୍ଷରେ ଇସାରା କରୁଛି। ଏଣୁ ତେଲ କିଣାରେ ରାଜନୀତି ନ ହେଉ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଭାରତ ସରକାର। ଭାରତର ୪ କମ୍ପାନୀ ଗତ ୩ ଦିନରେ ରିଆତି ମୂଲ୍ୟରେ ତେଲ କିଣିବା ଲାଗି ଋଷିଆ ସହ ବୁଝାମଣା କରିଛନ୍ତି। ଏଣୁ ଏହି ପ୍ରସଙ୍ଗରେ ଭାରତ ବର୍ତ୍ତମାନ ସୁଦ୍ଧା ନିଜର ମନଭାବ ସ୍ପଷ୍ଟ କରିଦେଇଛି।

ଋଷିଆରୁ ଭାରତର ତେଲ କିଣାକୁ ଆମେରିକା ସରକାର ସିଧାସଳଖ ବିରୋଧ କରୁନାହିଁ। ତେବେ ହ୍ୱାଇଟ୍ ହାଉସ୍ ଓ ବୈଦେଶିକ ମନ୍ତ୍ରାଳୟ ବାରମ୍ବାର ଭାରତକୁ ପ୍ରସଙ୍ଗରେ ସଞ୍ଜମତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକାରୀ ଦେଶଙ୍କ ସପକ୍ଷରେ ଛିଡା ନ ହେବା ଲାଗି ପ୍ରବର୍ତ୍ତାଉଛନ୍ତି। ତେବେ ଅଶୋଧିତ ତୈଳ କ୍ରୟକୁ ନେଇ ଭାରତର ଆଭିମୁଖ୍ୟ ଭିନ୍ନ। ଅଶୋଧିତ ତେଲ ଆମଦାନୀକୁ ଏବେ ଦେଶର ଆର୍ଥିକ ଓ ରଣନୈତିକ ସାର୍ବଭୌମତା ଭାବେ ବିବେଚନା କରାଯାଉଛି। ଯାହା ଏବେ ଦେଶ ଲାଗି ନିତ୍ୟାନ୍ତ ଜରୁରି। ଏଣୁ ଅନ୍ୟ ଦେଶଙ୍କୁ ଦେଖି ଭାରତ ନିଜର ରଣନୀତି ପ୍ରସ୍ତୁତ କରିପାରିବନି ବୋଲି କହିଛି। ଭାରତର ବୈଦେଶିକ ମନ୍ତ୍ରାଳୟ ଏ ବାବଦରେ ଆମେରିକାକୁ ସୂଚିତ ମଧ୍ୟ କରିଦେଇଛି। ଋଷିଆରୁ ଯେତିକି ପରିମାଣରେ ଭାରତ କ୍ରୁଡ ଆଣୁଛି ତାଠାରୁ ଅନେକ ଗୁଣା ଅଧିକ ମୂଲ୍ୟରେ ତୈଳ ବିଭିନ୍ନ ଦେଶରୁ ଆମଦାନୀ କରୁଛି। କିଛି ବର୍ଷ ପୂର୍ବରୁ ଆମେରିକାରୁ ଭାରତ ଗୋଟିଏ ବ୍ୟାରେଲ୍‌ ତୈଳ କ୍ରୟ କରୁ ନ ଥିଲା। ହେଲେ ୨୦୨୧ ବେଳକୁ ଆମେରିକାରୁ ତାର ଆବଶ୍ୟକତାର ୭.୩ ପ୍ରତିଶତ ଆମଦାନୀ ପୂରଣ କରୁଥିବା ଦେଖାଯାଇଛି। ଯାହା ୨୦୨୨ ମସିହାରେ ୧୧ ପ୍ରତିଶତକୁ ବଢିପାରେ ବୋଲି ଏବେ ଅନୁମାନ କରାଗଲାଣି। ଅନ୍ୟପକ୍ଷରେ ଭାରତ ଏହାର ମୋଟ ଆବଶ୍ୟକତାର ମାତ୍ର ୧ ପ୍ରତିଶତ ହିଁ ଋଷିଆରୁ ଆମଦାନୀ କରିଥାଏ।

ଏବେ ୟୁକ୍ରେନକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମନୋଭାବକୁ ଦେଖି ଋଷିଆ ୨୫ ପ୍ରତିଶତ ଶସ୍ତା ମୂଲ୍ୟରେ ଭାରତକୁ କ୍ରୁଡ ଯୋଗାଇଦେଉଛି। ଏଣୁ ଚଳିତବର୍ଷ ଭାରତ ଅଧିକ ପରିମାଣରେ ଅଶୋଧିତ ତୈଳ ଋଷିଆରୁ ଅାଣିବ ବୋଲି ଅନୁମାନ କରାଯାଉଛି। ଏହାସତ୍ତ୍ୱେ ମଧ୍ୟ ଆମେରିକା ତୁଳନାରେ ଋଷିଆରୁ ଆମଦାନୀ କମ୍‌ ରହିବ। ଋଷିଆରୁ ଭାରତ ସ୍ୱଳ୍ପ ତେଲ ଆଣିବାରେ ମଧ୍ୟ ଅନେକ କାରଣ ରହିଛି। ଏ ପର୍ଯ୍ୟନ୍ତ ଯାହାବି ଆମଦାନୀ ହୋଇଛି ତାହା କେବଳ କମ୍ପାନୀ ସ୍ତରରେ, ହେଲେ ସରକାର ଏପର୍ଯ୍ୟନ୍ତ ଋଷିଆରୁ ତେଲ କିଣାରେ ଏତେଟା ଆଗ୍ରହ ଦେଖାଇନାହାଁନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ଦେଶ ମଧ୍ୟ ଋଷିଆରୁ ତେଲ କିଣୁଛନ୍ତି।   ଋଷିଆ ଗ୍ୟାସ୍‌ର ୭୫ ପ୍ରତିଶତ ଗ୍ରାହକ ହେଉଛନ୍ତି ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ପୋଲାଣ୍ଡ, ଫିନଲ୍ୟାଣ୍ଡ ଓ ରୋମାନିଆ। ଏହି ଦେଶମାନେ ଋଷିଆ ବିରୋଧରେ କଟକଣା ଜାରି କରିଛନ୍ତି ହେଲେ ତେଲ ଓ ଗ୍ୟାସ୍ ଲାଗି କୌଣସି ପ୍ରତିବନ୍ଧକ ଲଗାଇନାହାନ୍ତି। ବାସ୍ତବରେ ଋଷର ଯେଉଁ ବ୍ୟାଙ୍କ ଗ୍ୟାସ୍‌ ଓ ତୈଳ କାରବାରରେ ଜଡିତ ଅଛନ୍ତି ସେହି ବ୍ୟାଙ୍କମାନଙ୍କର ସ୍ୱିପ୍ଟ ବ୍ୟାଙ୍କିଙ୍ଗ ସିଷ୍ଟମ୍‌ ଏ ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏଣୁ ଯେଉଁ ଦେଶମାନେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଓ ଏପର୍ଯ୍ୟନ୍ତ ଋଷିଆରୁ ତୈଳ ଓ ଗ୍ୟାସ କିଣୁଛନ୍ତି ସେମାନେ ଭାରତକୁ ଉପଦେଶ ଦେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରାଳୟ ସଫାସଫା ଶୁଣାଇ ଦେଇଛନ୍ତି।

Leave A Reply

Your email address will not be published.