ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବ ସ୍ତରରେ ଭାରତରେ ସବୁଠୁ ଅଧିକ ମହିଳା ପାଇଲଟ୍‌ : ୧୦ହଜାର ପାଇଲଟଙ୍କ ମଧ୍ୟରୁ ୧୫୦୦ ମହିଳା

ନୂଆଦିଲ୍ଲୀ : ବିଶ୍ବ ସ୍ତରରେ ଯେତିକି ମହିଳା ପାଇଲଟ୍‌ ରହିଛନ୍ତି ସେ ତୁଳନାରେ ଭାରତରେ ମହିଳା ପାଇଲଟ୍‌ଙ୍କ ସଂଖ୍ୟା ସବୁଠୁ ଅଧିକ। ଭାରତରେ ପ୍ରାୟ ୧୦ ହଜାର ପାଇଲଟ୍‌ କାର୍ଯ୍ୟ କରୁଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ କେବଳ ମହିଳା ପାଇଲଟ୍‌ ରହିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ବଶେଷ ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି। ଡିଜିସିଏ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଘରୋଇ ରୁଟ୍‌ରେ ଏବଂ ବିଭିନ୍ନ ଘରୋଇ ବିମାନ କମ୍ପାନୀରେ ପ୍ରାୟ ୧୦ ହଜାରରୁ ଅଧିକ ପାଇଲଟ୍‌ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ମାତ୍ର ୬୭ ପାଇଲଟ୍‌ ବିଦେଶୀ ହୋଇଥିଲା ବେଳେ ମୋଟ ପାଇଲଟ୍‌ ସଂଖ୍ୟାର ୧୫ ପ୍ରତିଶତ କେବଳ ମହିଳା ପାଇଲଟ୍‌ ରହିଛନ୍ତି।

ବିଶ୍ବସ୍ତରରେ ମୋଟ ଯେତିକି ସଂଖ୍ୟକ ପାଇଲଟ୍‌ କାର୍ଯ୍ୟ କରୁଛନ୍ତି ସେଥିମଧ୍ୟରୁ ମହିଳା ପାଇଲଟ୍‌ଙ୍କ ସଂଖ୍ୟା ହାରାହାରି ୫ ପ୍ରତିଶତ ରହିଛି। କିନ୍ତୁ ଭାରତରେ ଏହି ହାର ୧୫ ପ୍ରତିଶତ ରହିଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ପାଇଲଟ୍‌ ହେବା ପାଇଁ ମହିଳା, ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ପାଇଁ ସେଭଳି କୌଣସି ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ନ ଥିଲେ ହେଁ ଭାରତ ଏହି କ୍ଷେତ୍ରରେ ଆଗୁଆ ରହିଥିବା କୁହାଯାଇଛି। ୨୦୨୧ରେ ବିଭିନ୍ନ ବିମାନ କମ୍ପାନୀ ଦ୍ବାରା ୨୪୪ ପାଇଲଟ୍‌ଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ପାଇଲଟଙ୍କ ଆବଶ୍ୟକତା ପଡ଼ିବ। ଏପରିକି ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଆହୁରି ଏକ ହଜାର ପାଇଲଟ୍‌ଙ୍କ ନିଯୁକ୍ତି ପାଇଁ ବାଟ ଖୋଲିବ ବୋଲି କୁହାଯାଇଛି।

ସେହି ଅନୁସାରେ ଭାରତରେ ମହିଳା ପାଇଲଟ୍‌ଙ୍କ ସଂଖ୍ୟା ଆହୁରି ଅଧିକ ହେବ। ଇଣ୍ଟରନ୍ୟାସନାଲ ୱିମେନ ଏୟାରଲାଇନ ପାଇଲଟ୍ସ ସଂସ୍ଥା ପକ୍ଷରୁ ଦିଆଯାଇଥିବା ୨୦୨୧ ବର୍ଷ ପାଇଁ ଦିଆଯାଇଥିବା ସୂଚନା ଅନୁଯାୟୀ ଆୟର୍ଲାଣ୍ଡରେ ମହିଳା ପାଇଲଟ୍‌ଙ୍କ ହାର ୯.୯ ପ୍ରତିଶତ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକାରେ ୯.୮ ପ୍ରତିଶତ, ଅଷ୍ଟ୍ରେଲିଆରେ ୭.୫ ପ୍ରତିଶତ, କାନାଡା ୭ ପ୍ରତିଶତ, ଜର୍ମାନୀ ୬.୯ ପ୍ରତିଶତ, ଆମେରିକା ୫.୫ ପ୍ରତିଶତ, ଯୁକ୍ତରାଜ୍ୟ ୪.୭ ପ୍ରତିଶତ, ନ୍ୟୁଜିଲାଣ୍ଡ ୪. ୫ ପ୍ରତିଶତ, ସ୍କାଣ୍ଡିନେଭିଆ ୩.୮ ପ୍ରତିଶତ, କ୍ବାତର ୨.୪ ପ୍ରତିଶତ, ଜାପାନ ୧.୩ ପ୍ରତିଶତ ଏବଂ ସିଙ୍ଗାପୁରରେ ମହିଳା ପାଇଲଟଙ୍କ ହାର ୧ ପ୍ରତିଶତ ରହିଛି। କିନ୍ତୁ ଏହି ରିପୋର୍ଟରେ ଭାରତୀୟ ମହିଳା ପାଇଲଟଙ୍କ ହାର ସବୁଠୁ ଅଧିକ ଭାବେ ୧୨.୪ ପ୍ରତିଶତ ରହିଛି।

ଯାହାକି ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ମୋଟ ପାଇଲଟ ସଂଖ୍ୟାର ୧୫ ପ୍ରତିଶତ ଛୁଇଁଛି। ବର୍ତ୍ତମାନ କେବଳ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନୁହେଁ, ବରଂ ଭାରତୀୟ ବାୟୁସେନାରେ ମଧ୍ୟ ମହିଳା ପାଇଲଟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୮୯ରେ ବିଶ୍ବସ୍ତରରେ ସବୁଠୁ କମ୍‌ ବୟସ୍କା କମର୍ସିଆଲ ଏୟାରଲାଇନ୍ସର କ୍ୟାପଟେନ ହୋଇ ନିବେଦିତା ଭାସିନ ଆନ୍ତର୍ଜାତିକ ମହଲରେ ଚର୍ଚ୍ଚିତ ରହିଥିଲେ।

Leave A Reply

Your email address will not be published.